୧୪ ଧୀବର ଅଟକ, ପାରାଦୀପରେ ମିଳିତ ସୁରକ୍ଷା ଏଜେନ୍ସି ଜରିଆରେ ଯାଞ୍ଚ
୪୫୦ବସ୍ତା ଗୁଆ ଚାଲାଣ ହେଉଥିଲା।
ମାଛଧରା ବୋଟରେ ଗୁଆ କାରବାର।
ପାରାଦୀପ : ଭାରତୀୟ ତଟରକ୍ଷୀ ବାହିନୀ(କୋଷ୍ଟଗାର୍ଡ)ଗୁରୁବାର ଏକ ଗୁଆ ଚାଲାଣ କରୁଥିବା ମାଛଧରା ବୋଟକୁ ଜବତ କରିଛି।ସଂପୃକ୍ତ ବୋଟକୁ ଧରି କୋଷ୍ଟଗାର୍ଡ ଶୁକ୍ରବାର ଅପରାହ୍ନରେ ପାରାଦୀପ ବନ୍ଦର ପୋତାଶ୍ରୟ ମଧ୍ୟରେ ପହଞ୍ଚିଛି।ସେଥିରେ ୪୫୦ ବସ୍ତା ଗୁଆ ବସ୍ତା ରହିଛି।ଯାହାର ବଜାର ମୂଲ୍ୟ ୧ କୋଟି ଟଙ୍କାରୁ ଅଧିକ ହେବ ବୋଲି କୋଷ୍ଟଗାର୍ଡ ମୁଖ୍ୟାଳୟ ୭ ପାରାଦୀପ ପକ୍ଷରୁ ସୂଚନା ମିଳିଛି।ପଶ୍ଚିମବଙ୍ଗ କାକଦ୍ବୀପ ମାଛଧରାବନ୍ଦର ର ମା ବାସନ୍ତୀ ନାମକ ବୋଟ (ଆଇଏନଡି-ଡବ୍ଲ୍ୟୁ ବି-ଡିଏସ-ଏମ ଏମ-୧୦୦୩୩)ଗୁରୁବାର ସମୁଦ୍ରର ଭାରତୀୟ ଜଳସୀମାରେ ସନ୍ଦେହଜନକ ଅବସ୍ଥାରେ ବୁଲୁଥିଲା।ତାକୁ କୋଷ୍ଟଗାର୍ଡ ପାଟ୍ରୋଲିଂ ଜାହାଜ ଭରଦ ଦେଖି ଯାଞ୍ଚ କରିଥିଲେ।ସେଥିରେ ୪୫୦ ଗୁଆ ବସ୍ତା ରହିଥିଲା।କୌଣସି ମାଛ କିମ୍ବା ମାଛଧରା ଉପକରଣ ନ ଥିଲା।ସେଥିରେ ଥିବା ୧୪ ଜଣ ଧୀବର ମାନଙ୍କର କୌଣସି ପରିଚୟପତ୍ର ପାଖରେ ନ ଥିଲା।ଏପରି ବେଆଇନ ବିପୁଳ ପରିମାଣର ଗୁଆ କାରବାର ସମ୍ପର୍କରେ କୌଣସି ତଥ୍ୟ ସେମାନେ ଦେଖାଇ ନ ଥିଲେ।ସେଥିପାଇଁ ସେମାନଙ୍କୁ ଅଧିକ ଯାଞ୍ଚ କରିବା ପାଇଁ ପାରାଦୀପ ଅଣାଯାଇଛି ବୋଲି କୋଷ୍ଟଗାର୍ଡ ସୂଚନା ମିଳିଛି।ସଂପୃକ୍ତ ବୋଟ ପାରାଦୀପରେ ପହଞ୍ଚିବା ପରେ ତାକୁ ଇମିଗ୍ରେସନ, କଷ୍ଟମ୍ସ, ସିଆଇଏସଏଫ, ମେରାଇନ୍ ପୋଲିସ, ଓଡିଶା ପୋଲିସ, ଆଇ ବି, ଆଦି ସୁରକ୍ଷା ଏଜେନ୍ସିର ଅଧିକାରୀ ମାନେ ପହଞ୍ଚି ଯାଞ୍ଚ କରୁଛନ୍ତି।ପ୍ରତି ବସ୍ତାରେ ୫୦ ରୁ ୬୦ କେଜି ଗୁଆ ରହିଛି।ବୋଟ ଭିତରେ ଆଉ କଣ ଅଛି ତା ମଧ୍ୟ ଯାଞ୍ଚ ହେଉଛି।ଉକ୍ତ ଗୁଆ କେଉଁ ଦେଶକୁ ଚାଲାଣ ହେଉଥିଲା ତାହା ଅସ୍ପଷ୍ଟ ରହିଛି।ଭାରତୀୟ ଜଳସୀମାର ଶେଷାର୍ଦ୍ଧରେ ଉକ୍ତ ବୋଟ୍ ବୁଲୁଥିଲା।କୋଷ୍ଟଗାର୍ଡ ନିରନ୍ତର ସୁରକ୍ଷା ବ୍ୟବସ୍ଥାକୁ ନେଇ ସର୍ବଦା ସତର୍କ ରହିଛି ବୋଲି ସୂଚନା ମିଳିଛି।