ଭୁବନେଶ୍ବର: ଓଡ଼ିଶା ସାହିତ୍ୟ ଏକାଡେମୀ ଓ ଜାତୀୟ କବି ବାଞ୍ଛାନିଧି ସ୍ମୃତି ପରିଷଦର ମିଳିତ ସହଯୋଗରେ ଜାତୀୟ କବି ବାଞ୍ଛାନିଧି ମହାନ୍ତିଙ୍କ 128 ତମ ଜୟନ୍ତୀ ଭଦ୍ରକ ଜିଲ୍ଲା ସଂସ୍କୃତି ଭବନରେ ଆସନ୍ତା 20 ତାରିଖରେ ମହାସମାରୋହରେ ପାଳିତ ହେବ। ପ୍ରତିବର୍ଷ ଭଳି ଏ ବର୍ଷ ବାଞ୍ଛାନିଧି ସ୍ମୃତି ପରିଷଦ ପକ୍ଷରୁ ପ୍ରତିଭା ସମ୍ମାନ ପ୍ରଦାନ କରାଯିବ। ଚଳିତ ବର୍ଷ ବିଶିଷ୍ଟ ପ୍ରଗତିଶୀଳ କବି ନିରାକାର ଦାସଙ୍କୁ ମର୍ଯ୍ୟାଦାଜନକ “ଜାତୀୟ କବି ବାଞ୍ଛାନିଧି ସ୍ମାରକୀ ସମ୍ମାନ”ରେ ସମ୍ମାନିତ କରାଯିବ। ପରିଷଦର ସଭାପତି ଡ଼ାଃ ଦୁର୍ଯେ୍ୟାଧନ ଦାସଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସଭାରେ ଏହି ନିଷ୍ପତ୍ତି ନିଆଯାଇଥିବା ଅନୁଷ୍ଠାନର ସହ ସମ୍ପାଦକ କୃଷ୍ଣଚନ୍ଦ୍ର ମହାନ୍ତି ସୂଚନା ଦେଇଛନ୍ତି। ନବ୍ୟ ସାମ୍ୟବାଦୀ ଚେତନାର ଦରଦୀ କବି ନିରାକାର ଦାସଙ୍କ ରଚିତ-ଭିନ୍ନ ଇଲାକାର ସ୍ଵର, ମହରଗ ପାଦେ ମାଟିର ସ୍ଵପ୍ନ, ଏ ଯୁଦ୍ଧ ନୁହେଁ ତୁମର, ଅସରନ୍ତି ଯାତ୍ରା, ବିଦୀର୍ଣ୍ଣ ବସୁଧା, ମୁଁ ସର୍ବହରାର କବି, ସ୍ବର ସମୟର ଆଦି କବିତା ପୁସ୍ତକ ଓଡ଼ିଆ ବାଣୀ ଭଣ୍ଡାରକୁ ସମୃଦ୍ଧ କରିଛି। ଏହି ଉତ୍ସବରେ ଭଦ୍ରକର ଜିଲ୍ଲାପାଳ ଦିଲ୍ଲୀପ ରାଉତରାଏ ମୁଖ୍ୟ ଅତିଥି ଭାବେ ଯୋଗଦାନ କରିବା ସହ କବି ଶ୍ରୀ ଦାସଙ୍କୁ ସମ୍ମାନିତ କରାଯିବ ଏବଂ ଭଦ୍ରକ ସଙ୍ଗୀତ ମହାବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ଦ୍ଵାରା ବାଞ୍ଛାନିଧି ସଙ୍ଗୀତ ପରିବେଷଣ କରାଯିବ ବୋଲି ଶ୍ରୀ ମହାନ୍ତି ପ୍ରକାଶ କରିଛନ୍ତି।