ପାରାଦୀପ : ଗତ ୧୦ ତାରିଖରେ ଆନ୍ତର୍ଜାତିକ ଜଳସୀମା ମଧ୍ୟରେ ଧରାଯାଇଥିବା ମାଛଧରା ବୋଟରୁ ଗୁଆ ଜବତ ଘଟଣାରେ ବୁଧବାର କଷ୍ଟମ୍ସ ବିଭାଗ ୧୪ ଜଣ ଧୀବରଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାପଡ଼ିଛି।ଏହାକୁ ଭୂବନେଶ୍ୱର ଠାରେ କଷ୍ଟମ୍ସ କୋର୍ଟ ଚାଲାଣ କରିଛି।କିନ୍ତୁ ଏ ସମ୍ପର୍କରେ କୌଣସି ତଥ୍ୟ କିମ୍ବା ସୂଚନା ମିଳିନାହିଁ।ଯେଉଁ ୧୪ ଜଣଙ୍କୁ କୋର୍ଟ ଚାଲାଣ କରାଯାଇଛି ସେମାନଙ୍କ ପରିଚୟ ମିଳିନାହିଁ।ସେମାନେ ଭାରତର କିମ୍ବା ଅନ୍ୟ ଦେଶର ତା ମଧ୍ୟ ଅସ୍ପଷ୍ଟ ରହିଛି।ସୂଚନାଯୋଗ୍ୟ ଗତ ୧୦ ତାରିଖରେ ଆନ୍ତର୍ଜାତିକ ଜଳସୀମା (ବାଂଲାଦେଶ) ମଧ୍ୟରେ ଏକ ମାଛଧରା ବୋଟ୍ ସନ୍ଦେହଜନକ ଭାବେ ବୁଲୁଥିଲା।କୋଷ୍ଟଗାର୍ଡ ପାଟ୍ରୋଲିଂ ଜାହାଜ ଭରଦ ସଂପୃକ୍ତ ବୋଟକୁ ଅଟକାଇ ଯାଞ୍ଚ କରିଥିଲେ।ସେଥିରେ ୩୦ହଜାର କେଜିରୁ ଅଧିକ ଗୁଆ ଥିବା ଜଣାପଡିଥିଲା।ଉକ୍ତ ବୋଟରେ ୧୪ ଜଣ ଧୀବର ଥିଲେ।ସେହି ବୋଟକୁ ଆଣି ପାରାଦୀପରେ୧୨ ତାରିଖରେ ପହଞ୍ଚି ଥିଲା।ବନ୍ଦର ପୋତାଶ୍ରୟ ମଧ୍ୟରେ ଇମିଗ୍ରେସନ, ପୋଲିସ, କଷ୍ଟମ୍ସ, ଆଇବି, ଆଦି ସୁରକ୍ଷା ଅଧିକାରୀ ଯାଞ୍ଚ କରିଥିଲେ।ପରେ ବିଧିବଦ୍ଧ ଭାବେ କୋଷ୍ଟଗାର୍ଡ କଷ୍ଟମ୍ସ ବିଭାଗକୁ ଅଧିକ ତଦନ୍ତ ପାଇଁ ବୋଟ ,ଜବତ ଗୁଆ ଓ ୧୪ ଜଣ ଧୀବରଙ୍କୁ ହସ୍ତାନ୍ତର କରିଥିଲେ।ପରେ କଷ୍ଟମ୍ସ ବିଭାଗ ୧୪ ନାବିକଙ୍କୁ ନେଇ ଭୂବନେଶ୍ୱର ଠାରେ ପଚରାଉଚରା କରୁଥିଲା।ବୁଧବାର କୋର୍ଟ ଚାଲାଣ କରାଯାଇଛି ବୋଲି ବିଶେଷ ସୂତ୍ରରୁ ଜଣାପଡ଼ିଛି।କିନ୍ତୁ ଏ ସମ୍ପର୍କରେ କୌଣସି ଅଧିକାରୀ ବିବୃତି ଦେଇନାହାନ୍ତି।