ପୁଲିସର ନାକ ତଳେ ଚାଲୁଥିଲା ବେଆଇନ୍ ବାଣ କାରଖାନା
ଭଦ୍ରକ: ଆଜି ସକାଳ ପ୍ରାୟ ୯ଟା ସମୟରେ ଭଦ୍ରକ ପୁରୁଣାବଜାର ଥାନା ଅଧୀନସ୍ଥ ହଳଦିଡିହ ବାଇପାସ ନିକଟରେ ଚାଲିଥିବା ଏକ ଚୋରା ବେଆଇନ୍ ବାଣ କାରଖାନାରେ ବିସ୍ଫୋରଣ ଘଟି ୧୧ ଜଣ ଆହତଙ୍କ ମଧ୍ୟରୁ ୨ ଜଣଙ୍କର ମୃତ୍ୟୁ ଘଟିଥିବାର ଜଣାପଡିଛି। ମୃତାହତଙ୍କ ମଧ୍ୟରେ ୪ ଜଣ ମହିଳାଙ୍କ ସମେତ ଜଣେ ନାବାଳକ ରହିଛନ୍ତି। ଗୁରୁତରଙ୍କ ମଧ୍ୟରେ ପୁରୁଣାବଜାର କାଜିବଜାର ଅଂଚଳର ରଶ୍ମିତା ଜେନା, ହଳଦିଡିହ ଅଂଚଳର ୧୩ ବର୍ଷିୟ ନାବାଳକ ସେକ୍ ମୁସରଫ, ରତୋ ବିବି (୫୫), ଆସିଫା ଖାତୁନ ଓ ସୁଲତାନା ରହିଥିଲେ। ଏମାନଙ୍କ ମଧ୍ୟରେ କଟକ ଡାକ୍ତରଖାନାରେ ଆଜି ନାବାଳକ ସେକ୍ ମୁସରଫ ଓ ରତୋ ବିବିଙ୍କର ମୃତ୍ୟୁ ଘଟିଛି। ପ୍ରାପ୍ତ ଖବରରୁ ଯାହା ଜଣାଯାଏ ଏହି ବେଆଇନ୍ ବାଣ କାରଖାନାଟିରେ କିଛିବର୍ଷ ପୂର୍ବେ ଏହିଭଳି ବିସ୍ଫୋରଣ ଘଟି ବହୁ ଲୋକ ମୃତାହତ ହୋଇଥିଲେ। ଏହି ବେଆଇନ୍ ବାଣ କାରଖାନାଟି ସଂପର୍କରେ ପୂର୍ବରୁ ସ୍ଥାନୀୟ ଲୋକେ ବହୁବାର ପୁଲିସ୍ ନିକଟରେ ଆପତି ଅଭିଯୋଗ କରିଥିଲେ ମଧ୍ୟ ସେ ନୀରବଦ୍ରଷ୍ଟା ରହିଥିଲା। ତେଣୁ ଏହି କାରଖାନାଟି କିଭଳି ଓ କେଉଁ ପରିସ୍ଥିତିରେ ପୁଲିସ୍ର ଜାଣତରେ ପୁନର୍ବାର ନିଜର ବେଆଇନ୍ କାରବାର ଚଳାଇ ଆସୁଥିଲା, ତାହା ବୁଦ୍ଧିଜୀବୀ ମହଲରେ ତୀବ୍ର ପ୍ରତିକ୍ରିୟା ସୃଷ୍ଟି କରିଛି। ତେବେ ସ୍ଥାନୀୟ ଲୋକଙ୍କ ସୂଚନା ଅନୁସାରେ ଆଜି ଏହି ବେଆଇନ୍ ବାଣ କାରଖାନାଟିରେ ବାଣ ଭିଡାଯାଉଥିବାବେଳେ ଏଭଳି ବଡ ଧରଣର ବିସ୍ଫୋରଣ ଘଟି ଗୋଦାମଟି ହୁତୁ ହୁତୁ ହୋଇ ଜଳିଥିଲା। ନିମିଷକେ ମଧ୍ୟରେ ସବୁ ବାଣ ସାମଗ୍ରୀ ପୋଡି ପାଉଁଶ ହୋଇଯାଇଥିବାବେଳେ ଏହାର ପ୍ରଭାବରେ ଆଖପାଖ ଘରେ ଥିବା ଘର କିଛି ସମୟ ପାଇଁ ଥରିଉଠିଥିବାବେଳେ ସେଗୁଡିକର ଝରକା କାଚ ଭାଂଗି ଖସିପଡିଥିବେଳେ ପାଖରେ ଥିବା ଗଛଗୁଡିକ ମଧ୍ୟ ଜଳିଉଠିଥିଲା। ସ୍ଥାନୀୟ ଲୋକେ ଏହା ଦେଖି ଦମକଳ ବାହିନୀ, ପୁଲିସ୍ ଓ ଆମ୍ବୁଲାନ୍ସକୁ ଡାକିଥିଲେ। ୨ଟି ଦମକଳ ପହଂଚି ନିଆଁକୁ ଆୟତ କରିଥିବାବେଳେ ୧୦୮ ଆମ୍ବୁଲାନ୍ସ ଯୋଗେ ଆହତ ୧୧ ଜଣଙ୍କୁ ତୁରନ୍ତ ଭଦ୍ରକ ଜିଲା ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଥିଲା। ସେଠାରେ ସେମାନଙ୍କର ଅବସ୍ଥା ଉଦବେଗ ଜନକ ଥିବାରୁ କଟକ ବଡ ଡାକ୍ତରଖାନା ସ୍ଥାନାନ୍ତର କରାଯାଇଥିଲା। ଏହି ବିସ୍ଫୋରଣ କିପରି ଘଟିଲା ଏବଂ ଏହି ବେଆଇନ୍ ବାଣ କାରଖାନାର ମାଲିକ କିଏ, ତାହାର ତଦନ୍ତ ପୁଲିସ୍ କରିବ ବୋଲି ଅତିରିକ୍ତ ଏସ୍ପି ଅରୂପ ଅଭିଷେକ ବେହେରା ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ଏଭଳି ଏକ ଅଘଟଣର ଖବର ପାଇ ବିଭିନ୍ନ ରାଜନୈତିକ ଦଳର କର୍ମକର୍ତାଙ୍କ ସମେତ ପୁଲିସ୍ ଓ ଜିଲା ପ୍ରଶାସନ ଅଧିକାରୀମାନେ ଡାକ୍ତରଖାନାରେ ପହଂଚି ଗୁରୁତରମାନଙ୍କୁ ଭେଟିଛନ୍ତି। ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ, ପୌରାଧ୍ୟକ୍ଷା ଗୁଲମକ୍କୀ ହବିବ ଭଦ୍ରକ ଡାକ୍ତରଖାନାରେ ପହଂଚି ଆହତମାନଙ୍କର ସ୍ୱାସ୍ଥ୍ୟବସ୍ଥା ପଚାରି ବୁଝିବା ସହିତ ଘଟଣାର ତଦନ୍ତ ଦାବି କରିଥିବାବେଳେ ଭଣ୍ଡାରିପୋଖରୀ ବିଧାୟକ ସଂଜୀବ କୁମାର ମଲ୍ଲିକ କଟକ ବଡ ଡାକ୍ତରଖାନାରେ ପହଂଚି ଗୁରୁତର ଭାବେ ଚିକିତ୍ସିତ ହେଉôଥବା ଲୋକଙ୍କୁ ଭେଟିବା ସହ ଡାକ୍ତରଖାନାର ସୁପରିଟେଣ୍ଡେଂଟ ଓ ସ୍ୱାସ୍ଥ୍ୟ ଅଧିକାରୀଙ୍କ ସହିତ ଆଲୋଚନା କରି ଉନ୍ନତ ମାନର ଚିକିତ୍ସା ଯୋଗାଇଦେବା ପାଇଁ ପରାମର୍ଶ ଦେଇଛନ୍ତି। ଏବଂ ମୃତ୍ୟୁବରଣ କରିଥିବା ପରିବାରକୁ ସମବେଦନା ଜଣାଇଛନ୍ତି। ତେବେ ଏହି ଘଟଣାରେ ହଳଦିଡିହ ବାଇପାସ ନିକଟ ଭଦ୍ରକ-ଚାନ୍ଦବାଲି ରାସ୍ତାକୁ ଆଜି ସନ୍ଧ୍ୟାରେ ସ୍ଥାନୀୟ ଲୋକେ ଅବରୋଧ କରିଛନ୍ତି। ମୃତ ପରିବାରଙ୍କୁ ୩୦ ଲକ୍ଷ ଟଙ୍କା ସହାୟତା ପ୍ରଦାନ ଓ ଏଭଳି ବେଆଇନ୍ ବାଣ କାରଖାନାକୁ ସିଜ୍ କରିବା ଦାବିନେଇ ଏହି ରାସ୍ତାରୋକ ନ୍ୟୁଜ୍ ଲେଖାଯିବା ପର୍ଯ୍ୟନ୍ତ ଚାଲୁରହିଥିଲା।