ସମନ୍ୱିତ ନିଯୁକ୍ତି ପରୀକ୍ଷା ନିୟମାବଳୀ, ୨୦୨୨ରେ ସଂଶୋଧନ
ଆଫ୍ଲକ୍ସ ବନ୍ଧ ଓ ଖଇରିବନ୍ଧନ ବ୍ୟାରେଜ୍ ନିର୍ମାଣ ପାଇଁ ୯୭.୯୮ କୋଟି ଟଙ୍କା
ଧରଣୀଧର ବିଶ୍ୱବିଦ୍ୟାଳୟର କ୍ୟାମ୍ପସ ପ୍ରତିଷ୍ଠା ପାଇଁ ୪୦ ଏକର ଜମି
ଓଡ଼ିଶା ଆଇଟିଆଇ ପ୍ରଶିକ୍ଷକ ସେବା ନିୟମରେ ସଂଶୋଧନ
ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଓଡ଼ିଶା ରାଜ୍ୟ କ୍ୟାବିନେଟ୍ ଉଚ୍ଚଶିକ୍ଷା କ୍ଷେତ୍ରରେ ସଂରକ୍ଷଣ ବ୍ୟବସ୍ଥା ଲାଗି ଆଜି ଏକ ଐତିହାସିକ ନିଷ୍ପତ୍ତି ଗ୍ରହଣ କରିଛନ୍ତି। ଏହି ବୈଠକରେ ୬ଟି ପ୍ରସ୍ତାବକୁ ଅନୁମୋଦନ ମିଳିଛି। ରାଜ୍ୟ ସରକାର ନୂଆ ସଂରକ୍ଷଣ ବ୍ୟବସ୍ଥା ଲାଗୁ କରିଛନ୍ତି। ଏହି ନିଷ୍ପତ୍ତି ଅନୁଯାୟୀ, ସାମାଜିକ ଓ ଅର୍ଥନୈତିକ ଭାବେ ପଛୁଆ ବର୍ଗର (ଏସଇବିସି) ଛାତ୍ରଛାତ୍ରୀଙ୍କ ପାଇଁ ନାମଲେଖାରେ ୧୧.୨୫% ଆସନ ସଂରକ୍ଷଣ ଲାଗୁ କରାଯିବ। ଏହି ନୀତି ଚଳିତ ଶିକ୍ଷାବର୍ଷ ୨୦୨୫-୨୬ ରୁ ରାଜ୍ୟର ସରକାରୀ ବିଶ୍ବବିଦ୍ୟାଳୟ, ସରକାରୀ ଓ ଅନୁଦାନପ୍ରାପ୍ତ ଉଚ୍ଚଶିକ୍ଷାନୁଷ୍ଠାନମାନଙ୍କରେ ପ୍ରଚଳନ କରାଯିବ। ଏହି ସଂରକ୍ଷଣ ବ୍ୟବସ୍ଥା ଉଚ୍ଚଶିକ୍ଷା ବିଭାଗ ଅଧୀନରେ ଥିବା ସ୍ନାତକ, ସ୍ନାତକୋତ୍ତର, ଶିକ୍ଷକ-ଶିକ୍ଷା ଓ ଆଇନ ପାଠ୍ୟକ୍ରମ ଅନୁଷ୍ଠାନ ଗୁଡିକରେ ଲାଗୁହେବ। ଏହା ସହିତ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ଉଚ୍ଚମାଧ୍ୟମିକ (+୨), ଶିକ୍ଷକ-ଶିକ୍ଷା ଓ ବୃତ୍ତିମୂଳକ ପାଠ୍ୟକ୍ରମ ଥିବା ଅନୁଷ୍ଠାନ ଗୁଡିକରେ ମଧ୍ୟ ଲାଗୁହେବ।
ଏହା ବ୍ୟତୀତ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଅଧୀନରେ ପ୍ରଦର୍ଶନ କଳାରେ ସ୍ନାତକ ପାଠ୍ୟକ୍ରମ ଏବଂ କ୍ରୀଡା ଓ ଯୁବସେବା ବିଭାଗର ବ୍ୟାଚେଲର୍ ଅଫ୍ ଫିଜିକାଲଏଜୁକେସନ୍ ଓ ମାଷ୍ଟର ଅଫ ଫିଜିକାଲଏଜୁକେସନ ପାଠ୍ୟକ୍ରମରେ ମଧ୍ୟ ଲାଗୁ କରାଯିବ। ଏହା ସହିତ ଏହି ଅନୁଷ୍ଠାନ ମାନଙ୍କରେ ଅନୁସୂଚିତ ଜନଜାତି ବର୍ଗର ଛାତ୍ରଛାତ୍ରୀ ମାନଙ୍କ ଲାଗି ୨୨.୫ ପ୍ରତିଶତ, ଅନୁସୂଚିତ ଜାତି ବର୍ଗର ଛାତ୍ରଛାତ୍ରୀ ମାନଙ୍କ ଲାଗି ୧୬.୨୫ ପ୍ରତିଶତ, ଦିବ୍ୟାଙ୍ଗ ଛାତ୍ରଛାତ୍ରୀ ମାନଙ୍କ ଲାଗି ୫ ପ୍ରତିଶତ ଓ ପୂର୍ବତନ ସେନାନୀଙ୍କ ପରିବାର ସଦସ୍ୟଙ୍କ ଲାଗି ୧ ପ୍ରତିଶତ ଆସନ ସଂରକ୍ଷଣ ସମାନ ରୂପେ ପ୍ରଚଳନ କରାଯିବ। ଏହି ଐତିହାସିକ ନିଷ୍ପତ୍ତି ଦ୍ୱାରା ସାମାଜିକ ଓ ଅର୍ଥନୈତିକ ଭାବେ ପଛୁଆ ବର୍ଗର (ଏସଇବିସି) ଛାତ୍ରଛାତ୍ରୀମାନଙ୍କର ଶିକ୍ଷା କ୍ଷେତ୍ରରେ ସାମାଜିକ ନ୍ୟାୟ ପାଇଁ ଯେଉଁ ଦୀର୍ଘଦିନର ଅପେକ୍ଷା ଥିଲା ତାହାର ଅନ୍ତ ହୋଇଛି। ଜାତୀୟ ଶିକ୍ଷା ନୀତି (ଏନଇପି) ୨୦୨୦ ର ଦୃଷ୍ଟିକୋଣ ସହ ସମନ୍ବୟ ରକ୍ଷାକରି ଏହି ପଦକ୍ଷେପ ଅବହେଳିତ ଓ ପଛୁଆ ବର୍ଗର ଛାତ୍ରଛାତ୍ରୀମାନଙ୍କ ପାଇଁ ଶିକ୍ଷାର ଉପଲବ୍ଧତା ବଢ଼ାଇବା, ଶିକ୍ଷା ଓ ଚାକିରି କ୍ଷେତ୍ରରେ ସଂରକ୍ଷଣକୁ ସମନ୍ବିତ କରିବା ଉଦ୍ଦେଶ୍ୟରେ ଗ୍ରହଣ କରାଯାଇଛି । ଏହା ମାଧ୍ୟମରେ ମୋଟ ନାମଲେଖା ଅନୁପାତ ବୃଦ୍ଧି ପାଇବ ଓ ସାମାଜିକ ଓ ଅର୍ଥନୈତିକ ଭାବେ ଦୁର୍ବଳ ଛାତ୍ରଛାତ୍ରୀଙ୍କ ଶିକ୍ଷାରେ ଅଂଶଗ୍ରହଣକୁ ଅଧିକ ସୁଦୃଢ଼ କରାଯାଇ ପାରିବ।
ମୁଖ୍ୟମନ୍ତ୍ରୀ କହିଛନ୍ତି, ରାଜ୍ୟ ସରକାର ଦକ୍ଷତା ଓ ବୈଷୟିକ ବିଭାଗରେ ନିୟମାବଳୀ ସଂଶୋଧନ କରିଛନ୍ତି। ମମତା ଓ ପ୍ରଧାନମନ୍ତ୍ରୀ ମାତୃ ବନ୍ଦନା ଯୋଜନା ମିଳିତ ଭାବେ କାର୍ଯ୍ୟ କରିବ। ଯୋଜନା ଅଧୀନରେ ସହାୟତା ବୃଦ୍ଧି କରାଯାଇଛି। ଆଗାମୀ ୫ ବର୍ଷ ପାଇଁ ୧୬୨୩ କୋଟି ୧୦ ଲକ୍ଷ ଅନୁମୋଦନ କରାଯାଇଛି। ଗତ ଏପ୍ରିଲ ୧ ତାରିଖ ଠାରୁ ଏହା ଲାଗୁ କରାଯାଇଛି। ମମତା ଯୋଜନାରେ ହିତାଧିକାରୀ ବୟସ ୧୯ ବର୍ଷ ଓ ତାଠାରୁ ଅଧିକ ଥିଲା ଏବେ ୧୮ ବର୍ଷ ୭ ମାସରୁ ୫୫ ବର୍ଷ ଧର୍ଯ୍ୟ କରାଯାଇଛି। ଗୋଟିଏ ବର୍ଷ ପ୍ରସବ ପୂର୍ବ ଯାଞ୍ଚ ପରେ ମିଳିବ ପ୍ରଥମ କିସ୍ତି। କନ୍ୟା ସନ୍ତାନ ପାଇଁ ମିଳିବ ୧୨ ହଜାର ଟଙ୍କା। ପୁତ୍ର ସନ୍ତାନ ପାଇଁ ୧୦ ହଜାର ଟଙ୍କା।
କେନ୍ଦୁଝର ଜିଲ୍ଲାରେ ଧରଣୀଧର ବିଶ୍ୱବିଦ୍ୟାଳୟର କ୍ୟାମ୍ପସ ପାଇଁ ଜମି ଲିଜ ଆକାରରେ ପ୍ରଦାନ କରାଯାଇଛି। ମୟୂରଭଞ୍ଜ ଯଶିପୁର ବ୍ଲକରେ ବ୍ୟାରେଜ ନିର୍ମାଣ ହେବ। ଏଥି ପାଇଁ ୯୭କୋଟି ଟଙ୍କାର ଟେଣ୍ଡର ପ୍ରଦାନ କରାଯାଇଛି। ଆଗାମୀ ୩୦ ମାସ ମଧ୍ୟରେ ସରିବ ପ୍ରକଳ୍ପର ନିର୍ମାଣ କାମ। ଏହି ପ୍ରକଳ୍ପ କାର୍ଯ୍ୟକ୍ଷମ ହେଲେ ୬୯୫୦ ଏକର ଜମିକୁ ପାଇପଲାଇନରେ ଜଳ ପ୍ରଦାନ କରାଯାଇପାରିବ। ବିଭିନ୍ନ ପଦବିରେ ଶାରୀରିକ ମାପ ଓ ଶାରୀରିକ ଦକ୍ଷତା ପରୀକ୍ଷା ପାଇଁ ୨୦୨୨ ନିୟମାବଳୀ ସଂଶୋଧନ କରାଯାଇଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।
ମୟୂରଭଞ୍ଜ ଜିଲ୍ଲାସ୍ଥିତ ଯଶିପୁର ବ୍ଳକର ଅଁଳାବେଣୀରେ ଆଫ୍ଲକ୍ସ ବନ୍ଧ ସହିତ ଖଇରିବନ୍ଧନ ବ୍ୟାରେଜ ପ୍ରକଳ୍ପ ନିର୍ମାଣ” ପାଇଁ ୯୭ କୋଟି ୯୮ ଲକ୍ଷ ୭୫୫ ଟଙ୍କାର ଟେଣ୍ଡରକୁ ଆଜି ରାଜ୍ୟ କ୍ୟାବିନେଟ୍ ଅନୁମୋଦନ କରିଛନ୍ତି । ଏହି ବ୍ୟାରେଜ୍ ପ୍ରକଳ୍ପ ନିର୍ମାଣ ଦ୍ୱାରା ଏହି ମରୁଡ଼ି ପ୍ରବଣ ଅଞ୍ଚଳରେ ବସବାସ କରୁଥିବା ପଛୁଆ, ଦୁର୍ବଳ ଏବଂ ଆଦିବାସୀ ଗୋଷ୍ଠୀଙ୍କ ପାଇଁ ଦୀର୍ଘକାଳୀନ ଖରିଫ ଜଳସେଚନ ସୁବିଧା ମିଳିବ। ଏହି ପ୍ରକଳ୍ପକୁ ୩୦ ମାସ ମଧ୍ୟରେ ସମ୍ପୂର୍ଣ୍ଣ କରିବାର ଲକ୍ଷ୍ୟ ରଖାଯାଇଛି । ଏହି ପ୍ରକଳ୍ପ ଦ୍ୱାରା ମୟୂରଭଞ୍ଜ ଜିଲ୍ଲାର ଯଶୀପୁର, ରରୁଆଁ ଏବଂ ଶୁକୃଳି ବ୍ଲକର ୪୭ ଟି ଗ୍ରାମର ୬୯୫୦ ହେକ୍ଟର ଚାଷଜମିକୁ ଭୂତଳ ପାଇପଲାଇନ ଜଳବଣ୍ଟନ ବ୍ୟବସ୍ଥା (UGPL) ମାଧ୍ୟମରେ ଖରିଫ ଜଳସେଚନ ସୁବିଧା ଯୋଗାଇ ଦିଆଯିବ । ଏତଦ୍ବ୍ୟତୀତ ଏହି ପ୍ରକଳ୍ପ ୩୫,୦୦୦ ରୁ ଅଧିକ ଜନସଂଖ୍ୟାକୁ ପାନୀୟ ଜଳ ସୁବିଧା ଯୋଗାଇବା ସହିତ ଘରୋଇ ପଶୁପାଳନ ତଥା ମତ୍ସ୍ୟ ଚାଷର ଚାହିଦାକୁ ମଧ୍ୟ ପୂରଣ କରିବ।
ଓଡ଼ିଶା ଆଇଟିଆଇ ପ୍ରଶିକ୍ଷକ ‘ସେବା (ନିଯୁକ୍ତି ପଦ୍ଧତି ଏବଂ ସେବା ସର୍ତ୍ତାବଳୀ) ନିୟମ, 2024 ସଂକ୍ଷେପରେ Odisha Govt. ITI Trainers Service (OGITS) ନିୟମାବଳୀ ସଂଶୋଧନ, ୨୦୨୪ର ପ୍ରଣୟନକୁ ଆଜି ରାଜ୍ୟ କ୍ୟାବିନେଟ୍ ଅନୁମୋଦନ କରିଛନ୍ତି । ଏହା ଦ୍ୱାରା Asst. Training Officer ମାନଙ୍କୁ ପଦୋନ୍ନତି ସୁଯୋଗ ପ୍ରଦାନ, ଅଧ୍ୟକ୍ଷ, ଉପାଧ୍ୟକ୍ଷସ୍ତରରେ ଓ.ପି.ଏସ.ସି. ଦ୍ୱାରା ପ୍ରତ୍ୟକ୍ଷ ନିଯୁକ୍ତି ଦେବା ଏବଂ ସେମାନଙ୍କୁ ସ୍ତର 12ରୁ ସ୍ତର-13 କୁ ପଦୋନ୍ନତି ପାଇଁ ଯେକୌଣସି ଇଞ୍ଜିନିୟରିଂ ବିଭାଗରେ ଡିଗ୍ରୀ ହାସଲକୁ ସର୍ବନିମ୍ନ ଯୋଗ୍ୟତା ଭାବରେ ସ୍ଥିର କରାଯାଇଛି ।














