ଭୁବନେଶ୍ବର : ରାଜ୍ୟରେ ଯୁକ୍ତ ଦୁଇ ପରୀକ୍ଷା ଫଳ ପ୍ରକାଶ ପାଇନଥିବା ବେଳେ ଯୁକ୍ତ ୩ ନାମଲେଖା ପାଇଁ ଆଜି ଆବେଦନ ଶେଷ ହେଉଥିଲା। ଯାହାକୁ ନେଇ ଛାତ୍ରଛାତ୍ରୀ ଓ ଅଭିଭାବକ ଚିନ୍ତାରେ ରହିଥିଲେ। ସରକାରଙ୍କ ବିଭାଗ ବିଭାଗ ମଧ୍ୟରେ ସମନ୍ବୟର ଅଭାବକୁ ନେଇ ଆଜି ସକାଳୁ ଗଣମାଧ୍ୟମରେ ଖବର ପ୍ରସାରଣ ହେବା ପରେ ଚେତା ପଶିଛି। ଶେଷରେ ଉଚ୍ଚଶିକ୍ଷା ବିଭାଗ ଯୁକ୍ତ ୩ ନାମଲେଖା ଆବେଦନ ଅବଧି ବୃଦ୍ଧି କରିଛି।
ପୂର୍ବରୁ ଯୁକ୍ତ ୩ ନାମଲେଖା ପାଇଁ ଆବେଦନ ପ୍ରକ୍ରିୟା ଏପିଲ ୧୬ରେ ଆରମ୍ଭ ହୋଇ ମେ ୨୦ ତାରିଖ ଅର୍ଥାତ ଆଜି ଶେଷ ହେବାର ଥିଲା। କିନ୍ତୁ ଏଯାଏଁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଯୁକ୍ତ ଦୁଇ ପରୀକ୍ଷା ଫଳ ପ୍ରକାଶ କରିନଥିବା ବେଳେ କିପରି ଯୁକ୍ତ ୩ ନାମଲେଖା ଆବେଦନ ଅବଧି ଶେଷ ହେଉଛି ବୋଲି ଶିକ୍ଷାବୀତ ମାନେ ସରକାରଙ୍କୁ ପ୍ରଶ୍ନ କରିଥିଲେ। ଯାହା ପରେ ଉଚ୍ଚଶିକ୍ଷା ବିଭାଗ ଯୁକ୍ତ ୩ ନାମଲେଖା ଆବେଦନ ଅବଧି ଜୁନ ୧ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି। ଆଜି ଶେଷ ହେଉଥିବା ଅବଧି ଜୁନ ୧ ପର୍ଯ୍ୟନ୍ତ ବଢ଼ିଛି। ଛାତ୍ରଛାତ୍ରୀମାନେ ଆସନ୍ତା ଜୁନ୍ ୧ ତାରିଖ ପର୍ଯ୍ୟନ୍ତ SAMS ପୋର୍ଟାଲ୍ରେ ଅନଲାଇନ୍ ମାଧ୍ୟମରେ ଫର୍ମ ପୂରଣ କରିପାରିବେ। ଏଥିସହିତ +୨ ପରୀକ୍ଷାରେ ରଖିଥିବା ନିଜର ମାର୍କକୁ ମଧ୍ୟ ଜୁନ୍ ୧ ତାରିଖ ସୁଦ୍ଧା ଅପଲୋଡ଼ କରିପାରିବେ।
ସେପଟେ ଚଳିତ ବର୍ଷ ଫେବ୍ରୁଆରି ୧୮ ତାରିଖରେ ଯୁକ୍ତ ଦୁଇ ପରୀକ୍ଷା ଆରମ୍ଭ ହୋଇ ୨୭ ତାରିଖରେ ପରୀକ୍ଷା ସରିଥିଲା। ଆଉ ଏପ୍ରିଲ ୨ରୁ ଖାତା ଦେଖା ଆରମ୍ଭ କରିଥିବା ଗଣଶିକ୍ଷା ବିଭାଗ ମେ ୧୫ ସୁଦ୍ଧା ରେଜଲ୍ଟ ବାହାରିବ ବୋଲି ପୂର୍ବରୁ କହିଥିଲା। ହେଲେ ଆଜି ମେ ୨୦ ତାରିଖ ହୋଇଥିଲେ ସୁଦ୍ଧା ଆଜି ଯାଏଁ ରେଜଲ୍ଟ ପ୍ରକାଶ ପାଇଲା ନାହିଁ। ଯାହାକୁ ନେଇ ଆଜି ଗଣମାଧ୍ୟମ ପ୍ରତିନିଧିମାନେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କୁ ପ୍ରଶ୍ନ କରିବାରୁ ସେ କହିଛନ୍ତି ଦୁଇ ଦିନ ଭିତରେ ପରୀକ୍ଷା ଫଳ ପ୍ରକାଶ ପାଇବ।














