ନୂଆଦିଲ୍ଲୀ: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବିକଶିତ ଭାରତ @୨୦୪୭ ଦୃଷ୍ଟିକୋଣ ପାଇଁ ସମସ୍ତ ରାଜ୍ୟକୁ ଏକତ୍ର କରିଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଧନ୍ୟବାଦ ଜଣାଇଛନ୍ତି। ପହଲଗାମ ଆତଙ୍କବାଦୀ ଆକ୍ରମଣର ଜବାବରେ ଅପରେସନ୍ ସିନ୍ଦୂରର ସଫଳତା ପାଇଁ କେନ୍ଦ୍ର ସରକାରଙ୍କ ନିଷ୍ପତ୍ତିକୁ ପ୍ରଶଂସା କରି ମୁଖ୍ୟମନ୍ତ୍ରୀ କହିଛନ୍ତି, ଡବଲ ଇଂଜିନ ସରକାର ଯୋଗୁ ଭାରତର ବିକାଶ ଅଭିବୃଦ୍ଧି ୬.୫% ଏବଂ ଓଡ଼ିଶାର ବିକାଶ ଅଭିବୃଦ୍ଧି ୭.୨% ସମ୍ଭବ ହୋଇପାରିଛି। ଓଡ଼ିଶାକୁ ୧୧ ମାସରେ ୫ ଥର ପରିଦର୍ଶନରେ ଆସିଥିବାରୁ ଓ ୭୩ ହଜାର କୋଟି ଟଙ୍କାର ରେଳ ପ୍ରକଳ୍ପ, ୪ ହଜାର ୬୦୦ କୋଟି ଟଙ୍କାର ରାଜମାର୍ଗ ପ୍ରକଳ୍ପ ଏବଂ ଆଗାମୀ ପ୍ରକଳ୍ପ ପାଇଁ ୧୭ ହଜାର ୫୦୦ କୋଟି ମଂଜୁର କରିଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ।
ଏହି ଅବସରରେ ଶ୍ରୀ ମାଝୀ ରାଜ୍ୟର ଭିଜନ୍ ୨୦୩୬ ଏବଂ ୨୦୪୭ ରୋଡମ୍ୟାପ୍ ଘୋଷଣା କରିଛନ୍ତି, ଯେଉଁଥିରେ ୨୦୩୬ ମସିହା ପର୍ଯ୍ୟନ୍ତ ୫୦୦ ବିଲିୟନ୍ ଡଲାର ଅର୍ଥନୀତି ଏବଂ ୨୦୪୭ ପର୍ଯ୍ୟନ୍ତ ୧.୫ ଟ୍ରିଲିୟନ୍ ଡଲାର ଲକ୍ଷ୍ୟ ରଖାଯାଇଛି। ଏହାର କେନ୍ଦ୍ରବିନ୍ଦୁରେ ଅଛି ଶତପ୍ରତିଶତ ଜଳସେଚନ, ସହରାଂଚଳ ବିକାଶ, ଶିଳ୍ପ ଅଭିବୃଦ୍ଧି, ଦକ୍ଷତା ଏବଂ ସାମାଜିକ ସୁରକ୍ଷା। ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଛନ୍ତି, ଏହି ସମୟ ହେଉଛି ଓଡ଼ିଶାର-ଆସନ୍ତୁ, ବିକଶିତ ଭାରତ ଗଠନ ପାଇଁ ବିକଶିତ ଓଡ଼ିଶା ଗଠନ କରିବା।