ଅହମ୍ମଦାବାଦ: ହୃଦୟବିଦାରକ… ଛାତିଥରା… ଲୋମଟାଙ୍କୁରା… ଦେଖିଲେ କିଛି ସମୟ ପାଇଁ ସ୍ତବ୍ଧ ହୋଇଯାଉଛି ମଣିଷ । କିଏ କେତେ ଆଶା ନେଇ ଯାତ୍ରା କରୁଥିଲା । କିଏ ବିଦେଶ ଭ୍ରମଣ ପାଇଁ ବାହାରିଥିଲା ତ କିଏ ପୁଣି ସ୍ଵଦେଶ ଫେରୁଥିଲା । ନିଜ ନିଜ ସିଟରେ ସମସ୍ତେ ସିଟ୍ ବେଲ୍ଟ ବାନ୍ଧିବା ପରେ ନୂଆ ଆଶା ନେଇ ବିମାନ ଉଡାଣ ଭରିଥିଲା । ହେଲେ କିଏ ଜାଣିଥିଲା ସେହି ଉଡାଣ ଅଘଟଣରେ ପରିଣତ ହେବ ବୋଲି । ଭାରତ ଇତିହାସର ସବୁଠାରୁ ବଡ଼ ବିମାନ ଦୁର୍ଘଟଣା ପୂରା ଦେଶକୁ ଦୋହଲାଇ ଦେଇଛି। ଅହମଦାବାଦରେ ହୋଇଥିବା ଏୟାର ଇଣ୍ଡିଆ ବିମାନ ଦୁର୍ଘଟଣାରେ ଚାଲି ଯାଇଛି ୨୩୦ ଯାତ୍ରୀଙ୍କ ସମେତ ୨୪୧ ଜଣଙ୍କ ଜୀବନ। ୨୩୦ ଯାତ୍ରୀଙ୍କ ବ୍ୟତୀତ ବିମାନରେ ୧୦ ଜଣ କ୍ରୁ ସଦସ୍ୟ ଓ ୨ ଜଣ ପାଲଇଟ ଥିଲେ। କିନ୍ତୁ ସମସ୍ତଙ୍କୁ ଚକିତ କରି ଜଣେ ଯାତ୍ରୀ ଜୀବିତ ଉଦ୍ଧାର ହୋଇଛନ୍ତି। ଏବେ ତାଙ୍କର ଚିକିତ୍ସା ହସ୍ପିଟାଲରେ ଚାଲିଛି। ଜୀବିତ ଯାତ୍ରୀ ଜଣଙ୍କ ବିମାନର ୧୧ ଏ ସିଟରେ ବସିଥିଲେ। ବିମାନଟି ବିଜେ ମେଡିକାଲ କଲେଜର ହଷ୍ଟେଲରେ ମାଡ଼ ହେବାରୁ ଏଥିରେ ନିଆଁ ଲାଗି ଯାଇଥିଲା। ଏଥିଯୋଗୁ ବିମାନରେ ଥିବା ସମସ୍ତ ୨୪୨ ଜଣ ଲୋକ ପୋଡ଼ି ହୋଇ ପ୍ରାଣ ହରାଇଛନ୍ତି। ସେହିପରି ମେଡିକାଲ କଲେଜର ୫ ଜଣ ଶିକ୍ଷାର୍ଥୀଙ୍କ ମଧ୍ୟ ଏଥିଯୋଗୁ ଜୀବନ ଯାଇଛି।
କ୍ରାଶ ଯୋଗୁ ସମସ୍ତେ ପୋଡ଼ି ହୋଇ ପ୍ରାଣ ହରାଇଥିବାରୁ ଶବ ଚିହ୍ନଟରେ ମଧ୍ୟ ସମସ୍ୟା ସୃଷ୍ଟି ହୋଇଛି। ଏଥିପାଇଁ ବିମାନରେ ଯାତ୍ରା କରୁଥିବା ଲୋକଙ୍କ ସମ୍ପର୍କୀୟମାନଙ୍କୁ ଡିଏନଏ ଟେଷ୍ଟ ପାଇଁ ଆଗେଇ ଆସିବାକୁ ଅହମଦାବାଦ ପୁଲିସ୍ କମିଶନର କହିଛନ୍ତି। ତାଙ୍କ କହିବା କଥା ଯେ ଦୁର୍ଘଟଣା ଏତେ ଭୟଙ୍କର ରହିଛି ଯେ କୌଣସି ଯାତ୍ରୀ ବଞ୍ଚିବା ଆଶା କମ। କିଛି ଲୋକଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ହେଲେ ସେମାନେ ବଞ୍ଚିବାର ଆଶା କ୍ଷୀଣ। ବିମାନରେ ନିଆଁ ଲାଗିବା ଯୋଗୁ ସମସ୍ତ ୨୪୨ ଜଣ ଲୋକ ପୋଡ଼ି ଯାଇଛନ୍ତି। ସେମାନଙ୍କୁ ଚିହ୍ନଟ କରିବା ବେଶ କଷ୍ଟକର। ଅହମଦାବାଦରୁ ଏୟାର ଇଣ୍ଡିଆନର ବିମାନ ଲଣ୍ଡନ ଯାଉଥିଲା। ଏଥିରେ ଗୁଜରାଟର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୟ ରୂପାନୀ ମଧ୍ୟ ରହିଥିଲେ। ବିମାନ କ୍ରାଶ ଯୋଗୁ ସେ ମଧ୍ୟ ପୋଡ଼ି ହୋଇ ପ୍ରାଣ ହରାଇଛନ୍ତି। ରୂପାନୀ ୨୦୧୬ରୁ ୨୦୨୧ ଯାଏ ଗୁଜରାଟର ୧୬ତମ ମୁଖ୍ୟମନ୍ତ୍ରୀ ଭାବେ କାମ କରିଥିଲେ। ଲଣ୍ତନରେ ତାଙ୍କ ପତ୍ନୀ ରହୁଥିବାରୁ ତାଙ୍କୁ ଆଣିବା ପାଇଁ ରୂପାନୀ ସେଠାକୁ ଯାଉଥିଲେ। କିନ୍ତୁ ଏୟାର ଇଣ୍ଡିଆର ଏଆଇ ୧୭୧ ବିମାନ ଉଡ଼ାଣ ଭରିବାର ୫ ମିନିଟରେ ଦୁର୍ଘଟଣା ଗ୍ରସ୍ତ ହୋଇ ପୂରା ଛିନଛତ୍ର ହୋଇଯାଇଛି। ଆକାଶ ପଥରେ ଦ୍ୱିତୀୟ ଥର ପାଇଁ ଗୁଜରାଟର କୌଣସି ମୁଖ୍ୟମନ୍ତ୍ରୀ କିମ୍ବା ପୂର୍ବତନ ମୁଖ୍ୟମନ୍ତ୍ରୀ ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି। ୬୮ ବର୍ଷୀୟ ରୂପାନୀଙ୍କ ପୂର୍ବରୁ ୬ ଦଶନ୍ଧି ପୂର୍ବରୁ ବଲବନ୍ତ ରାୟ ମେହେତା ବିମାନ ଦୁର୍ଘଟଣାରେ ପ୍ରାଣ ହରାଇଥିଲେ।
ଡିଜିସିଏ ପକ୍ଷରୁ କୁହାଯାଇଛି ଯେ ଏୟାର ଇଣ୍ଡିଆର ବିମାନ ଏଆଇ-୧୭୧ ଅହମଦାବାଦରୁ ଲଣ୍ଡନ ଅଭିମୁଖେ ଉଡ଼ାଣ ଭରିବାର ମାତ୍ର କିଛି ସେକେଣ୍ଡ ମଧ୍ୟରେ କ୍ରାଶ କରି ଯାଇଛି। ଏହା ଆଜି ସକାଳେ ଦିଲ୍ଲୀରୁ ଅହମଦାବାଦ ଆସିଥିଲା। ବୋଇଂ ୭୮୭ ଏୟାରକ୍ରାଫ୍ଟ ଟେଲ ନମ୍ବର ଭିଟି ଏଏନବି ୨୮ ନମ୍ବର ରନ ୱେରୁ ମଧ୍ୟାହ୍ନ ୧.୩୯ ମିନିଟରେ ଉଡ଼ାଣ ଭରିଥିଲା। ଉଡ଼ାଣ ଭରିବା କ୍ଷଣି ପାଇଲଟ ତୁରନ୍ତ ମେ’ ଡେ କଲ୍ ବା ଜରୁରିକାଳୀନ କଲ ଜରିଆରେ ଏୟାର ଟ୍ରାଫିକ କଣ୍ଟ୍ରୋଲ ସହ ଯୋଗାଯୋଗ କରିବାକୁ ଚେଷ୍ଟା କରିଥିଲେ। ବିମାନକୁ ବଡ଼ ବିପଦ ଥିବା ସେ ଅନୁଭବ କରି ସହାୟତା ମାଗିଥିଲେ। କିନ୍ତୁ କୌଣସି ସହାୟତା କରାଯିବା ପୂର୍ବରୁ ବିମାନ ସହ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଥିଲା। ଏହାପରେ ବିମାନଟି ଏୟାପୋର୍ଟ ବାହାରେ ଖସି ପଡ଼ିବା ସହ ଏଥିରେ ନିଆଁ ଲାଗି ଯାଇଥିଲା। ପୂରା ଅଞ୍ଚଳ ଧୂଆଁ ମୟ ହୋଇଥିବା ବେଳେ ଗୋଟିଏ ବିଲଡିଂ ମଧ୍ୟ କ୍ଷତିଗ୍ରସ୍ତ ହୋଇଛି। ଉଡ଼ାଣର ୫ ମିନିଟ ପରେ ବିମାନ କ୍ରାଶ ହୋଇଥିଲା। ଦୁର୍ଘଟଣା ପୂର୍ବରୁ ବିମାନଟି ସ୍ଥଳ ଭାଗରୁ ୮୨୫ ଫୁଟ ଉପରେ ରହିଥିଲା ବୋଲି ଡିଜିସିଏ ସ୍ପଷ୍ଟ କରିଛି।
ବିମାନଟିର ଉଡ଼ାଣ କ୍ୟାପ୍ଟେନ ସୁମିତ ସଭରୱାଲ କରୁଥିଲେ। ତାଙ୍କ ପାଖରେ ୮୨୦୦ ଘଣ୍ଟା ବିମାନ ଉଡ଼ାଣର ଅଭିଜ୍ଞତା ରହିଥିଲା। ସେହିପରି ପ୍ରଥମ ଅଫିସର କ୍ଲାଇଭ କୁନ୍ଦର ୧୧୦୦ ଘଣ୍ଟା ବିମାନ ଉଡ଼ାଣ କରିବାର ଅଭିଜ୍ଞତା ରଖିଥିଲେ। ତଥାପି ବିମାନଟି ଲଣ୍ଡନର ଗଟୱିକ ଯିବା ପୂର୍ବରୁ କ୍ରାଶ ହୋଇ ଯାଇଛି। ଉଦ୍ଧାର କାର୍ଯ୍ୟରେ ଏନଡିଆରଏଫ ଠାରୁ ଆରମ୍ଭ କରି ବିଭିନ୍ନ ଏଜେନ୍ସି ସାମିଲ ହୋଇଛନ୍ତି। ସେହିପରି ବିମାନରେ ୫୩ ଜଣ ବ୍ରିଟିଶ ନାଗରିକ, ଜଣେ କାନାଡା ନାଗରିକ, ୭ ଜଣ ପର୍ତ୍ତୁଗାଲ ଓ ୧୬୯ ଭାରତୀୟ ଯାତ୍ରୀ ରହିଥିଲେ। ଦୁର୍ଘଟଣା ପରେ ସର୍ଦ୍ଦାର ବଲ୍ଲଭଭାଇ ପଟେଏ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ସମସ୍ତ ପ୍ରକାରର ଅପରେସନକୁ ବନ୍ଦ କରାଯାଇଛି। ସମସ୍ତ ବିମାନ ଉଡ଼ାଣ ଓ ଅବତରଣ ଅସ୍ଥାୟୀ ରୂପେ ବାତିଲ ହୋଇଛି।














