ଭୁବନେଶ୍ଵର/ପୁରୀ : ସୁସ୍ଥତା ଏବଂ ଯୋଗାଭ୍ୟାସକୁ ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟରେ, ନାଲକୋ ପକ୍ଷରୁ ପୁରୀର ମହାତ୍ମା ଗାନ୍ଧୀ ପାର୍କ ପରିସର ମଧ୍ୟରେ ଏକ ‘ପ୍ରକୃତି ଯୋଗ ଭୂମି’ ପ୍ରସ୍ତୁତ କରାଯାଇଛି । ୧୧ତମ ଅନ୍ତର୍ଜାତୀୟ ଯୋଗ ଦିବସ ପାଳନ ଅବସରରେ, ଆଜି ନାଲକୋ ସିଏମଡି ଶ୍ରୀ ବ୍ରିଜେନ୍ଦ୍ର ପ୍ରତାପ ସିଂହ ଏହି ସମର୍ପିତ ଯୋଗ ସ୍ଥାନର ଉଦଘାଟନ କରିଛନ୍ତି । ଏହି ଅବସରରେ ନିର୍ଦ୍ଦେଶକ (ମାନବ ସମ୍ବଳ) ଡକ୍ଟର ତାପସ କୁମାର ପଟ୍ଟନାୟକ ଏବଂ କମ୍ପାନୀର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ ।
ନାଲକୋ ଦ୍ଵାରା ବିକଶିତ ଓ ପରିଚାଳିତ ‘ମହାତ୍ମା ଗାନ୍ଧୀ ପାର୍କ’ ପୁରୀର ସମସ୍ତ ବର୍ଗର ନାଗରିକମାନଙ୍କ ପାଇଁ ଏକ ଲୋକପ୍ରିୟ ସ୍ଥାନ ପାଲଟିଛି । ଅଞ୍ଚଳବାସୀ ଏହି ପାର୍କକୁ ଜଗିଂ, ସକାଳ ଏବଂ ସନ୍ଧ୍ୟା ଭ୍ରମଣ ତଥା ବ୍ୟାୟମ ନିମନ୍ତେ ଆସିଥାନ୍ତି । ଯୋଗ ନିମନ୍ତେ ସ୍ଵତନ୍ତ୍ର ଭାବେ ପ୍ରସ୍ତୁତ ‘ପ୍ରକୃତି ଯୋଗଭୂମି’ ସ୍ୱାସ୍ଥ୍ୟ ସଚେତନ ଜନସାଧାରଣ, ବରିଷ୍ଠ ନାଗରିକ ଓ ଯୁବବର୍ଗଙ୍କୁ ଉତ୍ସାହିତ କରିଛି। ଏକ ଶାନ୍ତ ଓ ପ୍ରାକୃତିକ ପରିବେଶରେ ଯୋଗାଭ୍ୟାସ କରିବା ନିମନ୍ତେ ଏହି ସ୍ଥାନ ପ୍ରେରଣା ଯୋଗାଇବ । ଏହି ଅବସରରେ ପାର୍କ ପରିସରରେ ଉପସ୍ଥିତ ସମ୍ମାନିତ ଅତିଥି ମାନଙ୍କ ଦ୍ଵାରା ‘ଏକ ପେଡ଼ ମା କେ ନାମ’ ଅଭିଯାନ ଉଦ୍ଦେଶ୍ୟରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।
ସୂଚନାଯୋଗ୍ୟ ଯେ, ଅନ୍ତର୍ଜାତୀୟ ଯୋଗ ଦିବସ ପରିପ୍ରେକ୍ଷୀରେ ଆଜି ନାଲକୋ କର୍ପୋରେଟ କାର୍ଯ୍ୟାଳୟ ସମେତ ମାଇନ୍ସ ଓ ରିଫାଇନେରୀ କମ୍ପ୍ଲେକ୍ସ, କୋରାପୁଟ, ସ୍ମେଲ୍ଟର ଓ ପାୱାର କମ୍ପ୍ଲେକ୍ସ, ଅନୁଗୋଳ, ପୋର୍ଟ ଫାସିଲିଟିଜ, ବିଶାଖାପାଟଣା ତଥା ସମସ୍ତ ଆଞ୍ଚଳିକ କାର୍ଯ୍ୟାଳୟରେ ସାମୁହିକ ଯୋଗ ଶିବିରର ଆୟୋଜନ କରାଯାଇଛି । ବିଭିନ୍ନ ସ୍ଥାନରେ, ପରିବାର ସଦସ୍ୟ, ଠିକା କର୍ମଚାରୀ, ସିଆଇଏସଏଫ କର୍ମଚାରୀ, ଛାତ୍ରୀଛାତ୍ର, ଯୁବ ବର୍ଗଙ୍କୁ ମିଶାଇ ତିନି ହଜାରରୁ ଉର୍ଦ୍ଧ୍ଵ ଯୋଗ ଉତ୍ସାହୀ ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ ।














