ଭୁବନେଶ୍ବର: ଦୁଇଟି ସଡ଼କ ଦୁର୍ଘଟଣାରେ ଆଜି ୬ ଜଣ ଶ୍ରଦ୍ଧାଳୁଙ୍କର ମୃତ୍ୟୁ ଘଟିଛି। ରଥଯାତ୍ରା ଦେଖି ଯିବା ବେଳେ ତିନି ଯୁବତୀ ଓ ବାପ-ଝିଅଙ୍କ ସମେତ ମୋଟ ୬ ଜଣଙ୍କର ମୃତ୍ୟୁ ହୋଇଛି। ପ୍ରଥମ ଘଟଣା ପୁରୀ ଜିଲ୍ଲା ପିପିଲି ଥାନା ଅଞ୍ଚଳରେ ଓ ଦ୍ବିତୀୟ ଦୁର୍ଘଟଣା ନୂଆପଡ଼ା ଜିଲ୍ଲା କୋମନା ଥାନା ପଲସିପାଣିରେ ଘଟିଛି। ମୃତକମାନଙ୍କ ମଧ୍ୟରେ ରିମିଝିମି ପ୍ରିୟଦର୍ଶିନୀ ସାହୁ, ଏଲିନା ଦାସ ଓ କାଜଲ ଦାସ, ଲଳିତ ସବର (୪୦), ଡିଲେଶ୍ବରୀ ସବର (୭)।
ଶନିବାର ଅପରାହ୍ନ ସମୟରେ ଭୁବନେଶ୍ବର-ପୁରୀ ୩୧୭ ନମ୍ବର ଜାତୀୟ ରାଜପଥର ପିପିଲି ତରାକାଜ ନିକଟରେ ଘଟିଛି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ଜଗା ଦର୍ଶନ ପାଇଁ ସ୍କୁଟିରେ ପୁରୀ ଯାଉଥିବା ୩ ଯୁବତୀଙ୍କ ଉପରେ ଓଡ଼ିଶା ରାଜ୍ୟ ସଡ଼କ ପରିବହନ ନିଗମ (ଓଏସ୍ଆରଟିସି)ର ବସ୍ ଚଢିଯାଇଛି। ଯାହା ଫଳରେ ସ୍କୁଟି ଯାଉଥିବା ୩ ଯୁବତୀଙ୍କର ଘଟଣାସ୍ଥଳରେ ହିଁ ମୃତ୍ୟୁ ହୋଇଛି। ଏହି ଦୁର୍ଘଟଣାରେ ମୃତକମାନେ ହେଲେ ରିମ୍ଝିମ ପ୍ରିୟଦର୍ଶିନୀ ସାହୁ (୨୦), ଏଲିନା ଦାସ (୨୦) ଓ କାଜଲ ଦାସ (୨୦)। ସେମାନେ ଭୁବନେଶ୍ବରସ୍ଥିତ ସଂଗୀତ ମହାବିଦ୍ୟାଳୟର ଛାତ୍ରୀ ବୋଲି କୁହାଯାଉଛି।
ମିଳିଥିବା ସୂଚନା ଅନୁସାରେ ଭୁବନେଶ୍ବର ଲିଙ୍ଗରାଜ ଥାନା ବାରିକସାହିର ରିମ୍ଝିମ ପ୍ରିୟଦର୍ଶିନୀ ସାହୁ, କେନ୍ଦ୍ରାପଡ଼ା ଜିଲ୍ଲା ରାଜକନିକା ଥାନା ଅଞ୍ଚଳର ଏଲିନା ଦାସ ଓ କାଜଲ ଦାସ ଆଜି ଅପରାହ୍ଣ ପ୍ରାୟ ସାଢ଼େ ୩ଟାରେ ଏକ ସ୍କୁଟିରେ ଭୁବନଶ୍ବେରରୁ ପୁରୀ ଅଭିମୁଖେ ବାହାରି ଥିଲେ।। ଶରଧାବାଲିରେ ପହଞ୍ଚି ରଥାରୁଢ଼ ମହାପ୍ରଭୁଙ୍କ ଦର୍ଶନ କରିବେ ବୋଲି ବହୁତ ଖୁସିରେ ଆଗକୁ ବଢୁଥିଲେ। କିନ୍ତୁ ସେମାନଙ୍କର ଆଶା ପୂରା ହୋଇପାରିଲା ନାହିଁ।
ପିପିଲି ଥାନା ତରାକାଜ ନିକଟରେ ରଙ୍ଗ ରୁଟ୍ରେ ଆସୁଥିବା ଆଉ ଏକ ସ୍କୁଟି ସାଇଡ୍ ମାରିବାରୁ ୩ ଯୁବତୀ ତଳେ ପଡ଼ି ଯାଇଥିଲେ। ଆଉ ଏହି ସମୟରେ ସେହି ରାସ୍ତାରେ ଭୁବନେଶ୍ବରରୁ ପୁରୀ ଯାଉଥିବା ଓଡ଼ିଶା ରାଜ୍ୟ ସଡ଼କ ପରିବହନ ନିଗମ (ଓଏସ୍ଆରଟିସି)ର ଏକ ଯାତ୍ରୀବାହୀ ବସ୍ ସେମାନଙ୍କର ଉପରେ ଚଢ଼ି ଯାଇଥିଲା। ଯୁବତୀମାନେ ରକ୍ତ ଜୁଡୁବୁଡୁ ହୋଇ ଛଟପଟ ହେଉଥିବା ବେଳେ ବସ୍ଟି ଫେରାର ମାରିଥିଲା। ଆଉ ସେହି ରାସ୍ତା ଉପରେ ହିଁ ୩ ଯୁବତୀଙ୍କ ମୃତ୍ୟୁ ହୋଇଥିଲା। ଦୁର୍ଘଟଣା ସୂଚନା ପାଇ ପିପିଲି ପୁଲିସ ଘଟଣାସ୍ଥଳରେ ପହଞ୍ଚି ୩ଟି ମୃତଦେହ ଉଦ୍ଧାର କରିଥିବା ବେଳେ ଦୁର୍ଘଟଣାଗ୍ରସ୍ତ ସ୍କୁଟି (ଓଡି ୦୨ ବିକ୍ୟୁ ୭୩୬୭) ଜବତ କରିଛି। ଦୁର୍ଘଟଣା ଘଟାଇଥିବା ବସ୍ଟିକୁ ଚିହ୍ନଟ ପାଇଁ ପୁଲିସ ପିପିଲି ଟୋଲ୍ ଗେଟ୍କୁ ଯାଇ ଛାନଭିନ ଜାରି ରଖିଛି।
ଦ୍ବିତୀୟ ଦୁର୍ଘଟଣା ଛତିଶଗଡ଼ର ରାୟପୁର-ଗଂଜାମ ଜିଲ୍ଲା ଗୋପାଳପୁର ୩୫୩ ଜାତୀୟ ରାଜପଥର କୋମନା ଥାନା ଅନ୍ତର୍ଗତ ପଲସିପାଣି ଗାଁ ଠାରୁ ଅଳ୍ପ ଦୂରରେ ଘଟିଥିଲା। ଲଳିତ ସବର ନଜ ଝିଅ ଡିଲେଶ୍ବରୀ ସବର (୭)ଙ୍କ ସହିତ ନିକଟ ଗାଁ ବାଞ୍ଜିବାହାଲକୁ ରଥଯାତ୍ରା ଦେଖିବା ପାଇଁ ସନ୍ଧ୍ୟା ପ୍ରାୟ ୫ଟାରେ ବାହାରିଥିଲେ। କିନ୍ତୁ ଦୁଃଖର କଥା ହେଲା ଯେ, ଘର ଠାରୁ ଅଳ୍ପ ଦୂର ଯିବା ପରେ ବାପା-ଝିଅ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାର ସାମ୍ନା କରିଥିଲେ। ସାମ୍ନା ପାର୍ଶ୍ବରୁ ଆସୁଥିବା ଏକ ବାଇକ ସହିତ ସେମାନଙ୍କର ଧକ୍କା ହୋଇଥିଲେ। ଏହି ଦୁର୍ଘଟଣାରେ ୩ଜଣଙ୍କର ମୃତ୍ୟୁ ଘଟିଛି। ସୂଚନା ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି, ମୃତଦେହ ଓ ଦୁର୍ଘଟଣାଗ୍ରସ୍ତ ବାଇକ୍ ଜବତ କରିଛି। ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଜାରି ରଖିଛି।
ଅନୁକମ୍ପାମୂଳକ ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ବର: ପୁରୀ ଜିଲ୍ଲା ପିପିଲି ନିକଟରେ ଆଜି ଅପରାହ୍ଣରେ ଏକ ଦୁଃଖଦ ସଡ଼କ ଦୁର୍ଘଟଣାରେ ତିନି ଜଣ ଯୁବତୀଙ୍କ ମୃତ୍ୟୁ ନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗଭୀର ଦୁଃଖ ପ୍ରକାଶ କରିଛନ୍ତି। ସାମାଜିକ ଗଣମାଧ୍ୟମ ‘ଏକ୍ସ’ରେ ଟୁଇଟ କରି ମୁଖ୍ୟମନ୍ତ୍ରୀ ଲେଖିଛନ୍ତି, ରିମିଝିମି ପ୍ରିୟଦର୍ଶିନୀ ସାହୁ, ଏଲିନା ଦାସ ଓ କାଜଲ ଦାସ ପ୍ରାଣ ହରାଇଥିବା ସମ୍ପର୍କରେ ଜାଣି ଦୁଃଖ ପ୍ରକାଶ କରୁଛି। ମୃତକଙ୍କ ଶୋକସନ୍ତପ୍ତ ପରିବାରବର୍ଗଙ୍କ ପ୍ରତି ସମବେଦନା ଜଣାଇବା ସହ ସେ ପ୍ରତି ମୃତକଙ୍କ ନିକଟତମ ଆତ୍ମୀୟଙ୍କ ପାଇଁ ମୁଖ୍ୟମନ୍ତ୍ରୀ ରିଲିଫ୍ ପାଣ୍ଠିରୁ ୪ ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପାମୂଳକ ସହାୟତା ଘୋଷଣା କରିଛନ୍ତି।














