ଭୁବନେଶ୍ବର: ବାଲେଶ୍ଵର ଛାତ୍ରୀଙ୍କ ଘଟଣା ନେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି ପୀଡିତା ଏବେ କ୍ରିଟିକାଲ କେୟାର ସେଣ୍ଟରରେ ଅଛନ୍ତି। ମୁଁ ତାଙ୍କ ପରିବାରଙ୍କୁ ଭେଟିଲି। ଏହା ଅତି ଦୁର୍ଭାଗ୍ୟ ଜନକ ଘଟଣା। ପୀଡ଼ିତା ପରିବାରଙ୍କୁ ସମବେଦନା ଦେଲି। ଏବେ ସମସ୍ୟା ହେଉଛି ଝିଅଟି ଜଟିଳ ଅବସ୍ଥାରେ ଅଛି। ଡାକ୍ତରଙ୍କ ସହିତ ଆଲୋଚନା କଲି। ସେ ଶୀଘ୍ର ସୁସ୍ଥ ହୋଇଯାଆନ୍ତୁ। ଏହା ହିଁ ଆମ କାମନା। ବାଲେଶ୍ୱର ଫକୀର ମୋହନ ସ୍ୱୟଂ ଶାସିତ ମହାବିଦ୍ୟାଳୟରେ ଘଟିଥିବା ଅଘଟଣରେ ଛାତ୍ରୀଜଣକ ଭୁବନେଶ୍ୱର ଏମ୍ସ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି । ତାଙ୍କର ବାପା ମାଆଙ୍କୁ ଭେଟି ସମବେଦନା ଜଣାଇବା ସହ ଛାତ୍ରୀଙ୍କ ସ୍ୱାସ୍ଥ୍ୟାବସ୍ଥା ସମ୍ପର୍କରେ ଏମ୍ସ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କଲି । ସେ ଶୀଘ୍ର ସୁସ୍ଥ ହୋଇ ଘରକୁ ଫେରନ୍ତୁ ବୋଲି ଧର୍ମେନ୍ଦ୍ର କହିଛନ୍ତି। ଏହା ସହିତ ୨-୩ ଘଟଣା ଯୋଡ଼ି ହୋଇ ରହିଛି ବୋଲି କେନ୍ଦ୍ର ଶିକ୍ଷା ମନ୍ତ୍ରୀ କହିଛନ୍ତି। ପ୍ରଶାସନିକ ପକ୍ଷ, ଆଇନ ପକ୍ଷ ଏବଂ ମୁଁ ଯେହେତୁ କେନ୍ଦ୍ର ଶିକ୍ଷା ବିଭାଗ ଦାୟିତ୍ବରେ ଅଛି, ମୁଁ ମଧ୍ୟ ନିଜକୁ ଗୋଟେ ପକ୍ଷଭୁକ୍ତ କରୁଛି। ଆମ ସମାଜର ଅବସ୍ଥା ଏବେ କଣ ହେଲାଣି। ଶିକ୍ଷା ବ୍ୟବସ୍ଥାରେ ଶିକ୍ଷକ ଓ ଛାତ୍ରଛାତ୍ରୀଙ୍କ ସମ୍ପର୍କ କେଉଁଠି ପହଞ୍ଚିଲାଣି ତାହା ଚିନ୍ତାର ବିଷୟ। ଏହା ମୋତେ ଓଡ଼ିଆ ଅଭିଭାବକ ଭାବେ ଚିନ୍ତିତ କରିଛି। ରାଜ୍ୟ ସରକାର ଏହା ଉପରେ ଅତ୍ୟନ୍ତ ତ୍ବରିତ, ସ୍ପଷ୍ଟ ଏବଂ କଡ଼ା ଆଭିମୁଖ୍ୟ ଦେଖାଇଛନ୍ତି।














