ଭୁବନେଶ୍ବର : ରାଜ୍ୟ କ୍ୟାବିନେଟ୍ର ଗୁରୁତ୍ବପୂର୍ଣ୍ଣ ବୈଠକ ଶେଷ ହୋଇଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ୧୧ଟି ବିଭାଗର ୧୩ଟି ପ୍ରସ୍ତାବକୁ ଅନୁମୋଦନ ମିଳିଛି। ସ୍ଵରାଷ୍ଟ୍ର, ସ୍ବାସ୍ଥ୍ୟ, ଶକ୍ତି, ରାଜସ୍ବ , ଗୃହ ନିର୍ମାଣ, ଗଣଶିକ୍ଷା ଆଦି ବିଭାଗରେ ଉନ୍ନୟନମୂଳକ କାର୍ଯ୍ୟ ପାଇଁ କ୍ୟାବିନେଟ୍ ବୈଠକରେ ଆଲୋଚନା ହୋଇଥିଲା।
କ୍ୟାବିନେଟ୍ ବୈଠକ ପରେ ଗଣମାଧ୍ୟମକୁ ସୂଚନା ଦେଇ ମୁଖ୍ୟ ଶାସନ ସଚିବ କହିଛନ୍ତି ଯେ ଆଜିର କ୍ୟାବିନେଟ୍ ବୈଠକର ନିଷ୍ପତ୍ତି ଅନୁସାରେ ଆଦର୍ଶ ବିଦ୍ୟାଳୟର ମାସିକ ରେଣ୍ଟକୁ ମୁକ୍ତ କରିଛନ୍ତି ସରକାର। ଆଉ ଛାତ୍ରଛାତ୍ରୀଙ୍କୁ ଦେୟ ଦେବାକୁ ପଡିବ ନାହିଁ। ପୂର୍ବରୁ ମାସିକ ୨ ହଜାର ଟଙ୍କା ରେଣ୍ଟ ଦେଉଥିଲେ ଛାତ୍ରଛାତ୍ରୀ। ଏବେ ଏହାକୁ ଛାଡ କରାଯାଇଛି। ଏଥିପାଇଁ ୫ ବର୍ଷ ରେ ୩୫୦ କୋଟି ଟଙ୍କା ଖର୍ଚ୍ଚ କରିବେ ସରକାର। ଏଥି ସହିତ ବିଶ୍ବବିଦ୍ୟାଳୟ ଆଇନରେ କିଛି ପରିବର୍ତ୍ତନ ହୋଇଛି । ସ୍ଥାୟୀ କୁଳପତି ନିଯୁକ୍ତି ପର୍ଯ୍ୟନ୍ତ ଭାରପ୍ରାପ୍ତ କୁଳପତିଙ୍କୁ କ୍ଷମତା ପ୍ରଦାନ କରିବେ।
ସେହିପରି ମୟୂରଭଞ୍ଜ ପୁଲିସ ଜିଲ୍ଲାକୁ ବିଭକ୍ତ କରାଯାଇଛି। ରାଇରଙ୍ଗପୁର ନୂତନ ପୁଲିସ ଜିଲ୍ଲା ଘୋଷଣା ହୋଇଛି। ରାଇରଙ୍ଗପୁର ପୁଲିସ ଜିଲ୍ଲାରେ ରହିବ ୨ଟି ଏସ୍ଡିପିଓ। ରାଇରଙ୍ଗପୁର , କରଞ୍ଚିଆ ରହିବେ ଏସ୍ଡିପିଓ। ରାଇରଙ୍ଗପୁର ପୁଲିସ ଜିଲ୍ଲାରେ ୧୪ଟି ଥାନା ରହିବ। ଏଥତ ସହିତ ଏମର୍ଜେନ୍ସି ରେସପନ୍ସ ସପୋର୍ଟ ସିଷ୍ଟମକୁ ଅନୁମୋଦନ ମିଳିଛି। ଏମର୍ଜେନ୍ସି ରେସପନ୍ସ ସପୋର୍ଟ ସିଷ୍ଟମ ପାଇଁ ସୃଷ୍ଟି ହେବ ୪,୧୯୫ ପୋଷ୍ଟ।
ଅନ୍ୟପଟେ ଆଜିର କ୍ୟାବିନେଟ୍ ବୈଠକରେ ଗୃହ ଓ ନଗର ଉନ୍ନୟନ ବିଭାଗର ସମୃଦ୍ଧ ସହର ଯୋଜନାକୁ ଅନୁମୋଦନ ମିଳିଛି। ସମୃଦ୍ଧ ସହର ଯୋଜନା ପାଇଁ ୪, ୮୭୯.୩୦ କୋଟି ବ୍ୟୟ ଅଟକଳ କରାଯାଇଛି। ୨୦୩୬ ସୁଦ୍ଧା ବିକଶିତ ଓଡ଼ିଶା ଗଠନରେ ସମୃଦ୍ଧ ସହର ଯୋଜନା ସହାୟକ ହେବ। ସେହିପରି ସ୍ବାସ୍ଥ୍ୟ ବିଭାଗରେ ସିନିୟର୍ ଆୟୁଷ ଆସିଷ୍ଟାଣ୍ଟରେ ୩୫୦ ଲାଗି ପଦବୀ ସୃଷ୍ଟି କରାଯିବ। ଏହାକୁ କ୍ୟାବିନେଟ୍ ଅନୁମୋଦନ ମିଳିଛି।














