ଭୁବନେଶ୍ବର: ଜାତୀୟ ଚଳଚ୍ଚିତ୍ର ପୁରସ୍କାର-୨୦୨୩ ଘୋଷଣା ହୋଇଛି। ଶୁଭ୍ରାଂଶୁ ଦାଶଙ୍କ ନିର୍ଦ୍ଦେଶିତ ‘ପୁଷ୍କରା’କୁ ଶ୍ରେଷ୍ଠ ଓଡ଼ିଆ ଫିଲ୍ମ ଭାବେ ଜାତୀୟ ପୁରସ୍କାର ମିଳିବ। ତରଙ୍ଗ ସିନେ ପ୍ରଡକସନ୍ସର ‘ପୁଷ୍କରା’ ଶ୍ରେଷ୍ଠ ଓଡ଼ିଆ ଫିଲ୍ମ ବିବେଚିତ ହୋଇଛି। ପୁଷ୍କରା ସିନେମା ୨୦୨୩ରେ ତରଙ୍ଗ ସିନେ ପ୍ରଡକ୍ସନ ବ୍ୟାନରରେ ନିର୍ମିତ ହୋଇଥିଲା। ଫିଲ୍ମର ମୁଖ୍ୟ ଭୂମିକାରେ ସବ୍ୟସାଚୀ ମିଶ୍ର ଓ ସୁପ୍ରିୟା ନାୟକ ବ୍ୟତୀତ ଚୌଧୁରୀ ବିକାଶ ଦାସ, ଅଶ୍ରୁମୋଚନ ମହାନ୍ତି, ତ୍ରିଭୁବନ ପଣ୍ଡା, ଅଳକା ଶତପଥୀ, ରବି ମିଶ୍ର ଓ ଶଙ୍କର ପ୍ରଧାନ ପ୍ରମୁଖ ବିଭିନ୍ନ ଚରିତ୍ରରେ ନଜର ଆସିଥିଲେ। ଫିଲ୍ମର କାହାଣୀ ଲେଖକ ଶଙ୍କର ତ୍ରିପାଠୀଙ୍କ ଦ୍ୱାରା ରଚିତ ଉପନ୍ୟାସ ନାଦବିନ୍ଦୁ ଉପରେ ଆଧାରିତ। ଏଥିରେ ପୁଷ୍କରା ପରମ୍ପରାକୁ ବଡ଼ ସ୍କ୍ରିନରେ ପ୍ରଦର୍ଶିତ କରାଯାଇଥିଲା। ପୁରୀର ଜାଗାଘର, ସାହିଯାତ ଓ ଡଙ୍ଗା ଭସା ଭଳି ମୌଳିକ ପରମ୍ପରାକୁ ପୂରା ଓଡ଼ିଶା ଦେଖିଥିଲା। ଏବେ ଏହାକୁ ଜାତୀୟ ସ୍ତରରେ ସ୍ୱୀକୃତି ମିଳିଛି। ଉପନ୍ୟାସ ‘ନାଦବିନ୍ଦୁ’ର ଆଧାରରେ ତିଆରି ହୋଇଥିବା ଏ ଫିଲ୍ମ ପୁଣିଥରେ ଓଡ଼ିଆ ସିନେମା ଓ ସାହିତ୍ୟର ହଜି ଯାଇଥିବା ସଂପର୍କକୁ ଫେରାଇ ଆଣିବାରେ ସକ୍ଷମ ହୋଇଥିଲା। ଓଡ଼ିଆ ସିନେମାରେ ଆଉ ପରମ୍ପରାର, ନିଚ୍ଛକ ଚିତ୍ର, ଗମ୍ଭୀର ପ୍ରସଙ୍ଗ ବା ମୌଳିକ କାହାଣୀ ଦେଖିବାକୁ ମିଳୁ ନଥିବା ଅଭିଯୋଗ ହେଉଥିବା ବେଳେ ପୁଷ୍କରା ରିଲିଜ ହୋଇଥିଲା।














