ଭୁବନେଶ୍ବର: ଭାରତୀୟ ପ୍ରଶାସନିକ ସେବା (ଆଇଏଏସ୍) ଅଧିକାରିଣୀ ସୁଜାତା ରାଉତ କାର୍ତ୍ତିକେୟନଙ୍କୁ ଶୁକ୍ରବାର ବଦଳି ହୋଇଛି। ୨୦୦୦ ବ୍ୟାଚ୍ର ଆଇଏଏସ୍ ଶ୍ରୀମତୀ କାତ୍ତିକେୟନଙ୍କୁ ମିସନ ଶକ୍ତି ସଚିବ ପଦରୁ ହଟାଇ ଅର୍ଥ ବିଭାଗର ସ୍ୱତନ୍ତ୍ର ସଚିବ ଭାବେ ଅବସ୍ଥାପିତ କରାଯାଇଛି। ରାଜ୍ୟ ସରକାରଙ୍କ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଏନେଇ ବିଜ୍ଞପ୍ତି ଜରିଆରେ ସୂଚନା ଦିଆଯାଇଛି।
ନିର୍ବାଚନ କମିସନଙ୍କ କଡ଼ା ଆଭିମୁଖ୍ୟ ଓ ନିର୍ଦ୍ଦେଶ ପରେ ରାଜ୍ୟ ସରକାର ଆଜି ବିଜେଡି ନେତା ଭି.କେ ପାଣ୍ଡିଆନଙ୍କ ପତ୍ନୀ ଆଇଏଏସ୍ ସୁଜାତା କାର୍ତ୍ତିକେୟନଙ୍କୁ ବଦଳି କରିଛନ୍ତି। ଶ୍ରୀମତୀ କାର୍ତ୍ତିକେୟନ ନିଜର ପଦ ଓ କ୍ଷମତାର ଦୁରୂପଯୋଗ କରି ବିଜେଡିର ଏଜେଣ୍ଟ ଭାବେ କାର୍ଯ୍ୟ କରୁଛନ୍ତି ବୋଲି ବିଜେପିର କେନ୍ଦ୍ରୀୟ ନେତୃତ୍ବ ଭାରତୀୟ ନିର୍ବାଚନ କମିସନଙ୍କ ଦିଲ୍ଲୀ କାର୍ଯ୍ୟାଳୟରେ ଅଭିଯୋଗ କରିଥିଲା।
ସୁଜାତାଙ୍କ ସ୍ଥାନରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ସଚିବ ତଥା କମିସନର ୨୦୦୧ ବ୍ୟାଚ୍ ଆଇଏଏସ୍ ଶାଳିନୀ ପଣ୍ଡିତଙ୍କୁ ମିସନ ଶକ୍ତି ବିଭାଗର ସଚିବ ଭାବେ ଅତିରିକ୍ତ ଦାୟିତ୍ୱ ନ୍ୟସ୍ତ ହୋଇଛି। ଶ୍ରୀମତୀ ପଣ୍ଡିତ ମଧ୍ୟ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ସଚିବ ଦାୟିତ୍ୱ ତୁଲାଇବେ।