ଭୁବନେଶ୍ୱର: ଭାରତ ସରକାରଙ୍କ ଖଣି ମନ୍ତ୍ରଣାଳୟ ଅଧୀନସ୍ଥ ନବରତ୍ନ ଲୋକ ଉଦ୍ୟୋଗ, ନ୍ୟାସନାଲ ଆଲୁମିନିୟମ କମ୍ପାନୀ ଲିମିଟେଡ୍ (ନାଲକୋ) ପକ୍ଷରୁ ଆଜି ଭୁବନେଶ୍ୱର ଠାରେ “ମିଡିଆ କନେକ୍ଟ ୨୦୨୫” ଆୟୋଜିତ ହୋଇଛି। ଏହି କାର୍ଯ୍ୟକ୍ରମରେ ରାଜ୍ୟର ପ୍ରମୁଖ ଗଣମାଧ୍ୟମ ଓ ଯୋଗାଯୋଗ ସଂସ୍ଥା ଯୋଗଦେଇଥିଲେ। ଏହି ବୈଠକରେ ନାଲକୋ ଅଧ୍ୟକ୍ଷ-ତଥା-ପରିଚାଳନା ନିର୍ଦ୍ଦେଶକ ଶ୍ରୀ ବ୍ରିଜେନ୍ଦ୍ର ପ୍ରତାପ ସିଂହ ଉପସ୍ଥିତ ରହି ନିଜର ମତ ବିନିମୟ କରିଥିଲେ। ଏଥିସହ, ନାଲକୋର ନିର୍ଦ୍ଦେଶକ ମଣ୍ଡଳୀ ଯଥା, ନିର୍ଦ୍ଦେଶକ (ଉତ୍ପାଦନ) ଶ୍ରୀ ପଙ୍କଜ କୁମାର ଶର୍ମା, ନିର୍ଦ୍ଦେଶକ (ପ୍ରକଳ୍ପ ଏବଂ ବୈଷୟିକ) ଶ୍ରୀ ଜଗଦୀଶ ଆରୋରା, ନିର୍ଦ୍ଦେଶକ (ମାନବ ସମ୍ବଳ) ଡକ୍ଟର ତାପସ କୁମାର ପଟ୍ଟନାୟକ ଏବଂ ନିର୍ଦ୍ଦେଶକ (ଅର୍ଥ) ଶ୍ରୀ ଅଭୟ କୁମାର ବେହୁରିଆ ମଧ୍ୟ ଉପସ୍ଥିତ ଥିଲେ। ପ୍ରାରମ୍ଭରେ, କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ (ମାନବ ସମ୍ବଳ) ଶ୍ରୀ ଆଶୁତୋଷ ରଥ ଗଣମାଧ୍ୟମ ପ୍ରତିନିଧି ମାନଙ୍କୁ ସ୍ୱାଗତ ଜଣାଇବା ସହ କମ୍ପାନୀର କାର୍ଯ୍ୟକଳାପ ଏବଂ ସଫଳତା ସମ୍ବନ୍ଧରେ ସଂକ୍ଷିପ୍ତ ବିବରଣୀ ପ୍ରଦାନ କରିଥିଲେ ।
ସମାବେଶକୁ ସମ୍ବୋଧିତ କରିବା ଅବସରରେ, ସିଏମଡି ଶ୍ରୀ ସିଂହ ଆଲୁମିନିୟମ ଏବଂ ଧାତୁ ଶିଳ୍ପର ସାମଗ୍ରିକ ବିକାଶ ପ୍ରତି କମ୍ପାନୀର ପ୍ରତିବଦ୍ଧତା ତଥା ପରିପାର୍ଶ୍ଵିକ ଅଂଚଳର ବିକାଶରେ କମ୍ପାନୀର ଯୋଗଦାନ ସମ୍ପର୍କରେ ଆଲୋକପାତ କରିଥିଲେ। କମ୍ପାନୀ ପ୍ରତି ରହିଥିବା ଆସ୍ଥା, ବିଶ୍ୱାସ ଓ ସହଯୋଗ ନିମନ୍ତେ ସେ ଖଣି ମନ୍ତ୍ରଣାଳୟ, ଭାରତ ସରକାର, ରାଜ୍ୟ ସରକାର ତଥା ସମସ୍ତ ଅଂଶୀଦାରମାନଙ୍କୁ ଆନ୍ତରିକ କୃତଜ୍ଞତା ଜଣାଇଥିଲେ। ଗଣମାଧ୍ୟମ ଏବଂ କମ୍ପାନୀ ମଧ୍ୟରେ ଦୃଢ଼ ସହଭାଗୀତା ମାଧ୍ୟମରେ ଶିଳ୍ପକ୍ଷେତ୍ରରେ ଅଭିବୃଦ୍ଧି ଦିଗରେ କାର୍ଯ୍ୟ କରିବା ନିମନ୍ତେ ସେ ଗରୁତ୍ତ୍ୱାରୋପ କରିଥିଲେ ମିଡିଆ କନେକ୍ଟ ୨୦୨୫ ଦ୍ୱାରା ଗଣମାଧ୍ୟମ ପ୍ରତିନିଧି ଏବଂ କମ୍ପାନୀର ନେତୃତ୍ୱ ମଣ୍ଡଳୀଙ୍କ ମଧ୍ୟରେ କମ୍ପାନୀର ଦୃଷ୍ଟିକୋଣ, ଅଭିବୃଦ୍ଧି ପଥ, ଆଗାମୀ ପ୍ରକଳ୍ପ ଏବଂ ସିଏସଆର ପଦକ୍ଷେପ ବିଷୟରେ ଆଲୋଚନା ହୋଇପାରିଛି। ପାରସ୍ପରିକ ସହଯୋଗ ମାଧ୍ୟମରେ ଅଂଶୀଦାରମାନଙ୍କ ସହିତ ସମ୍ପର୍କକୁ ସୁଦୃଢ଼ କରିବା ଦିଗରେ ନାଲକୋର ଆଭିମୁଖ୍ୟକୁ ଗଣମାଧ୍ୟମ ସମ୍ପ୍ରଦାୟ ଦ୍ୱାରା ପ୍ରଶଂସା କରାଯାଇଥିଲା।














