ଭୁବନେଶ୍ବର: ବହୁ ପ୍ରତୀକ୍ଷିତ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଆଜି ଓଡ଼ିଶା ମାଟିରେ ପ୍ରବେଶ କରିଛି। ପହିଲି ରଜର ଦିନକ ପୂର୍ବରୁ ଓଡ଼ିଶାରେ ମୌସୁମୀ ପ୍ରବେଶ କଲା ପରେ ତାପମାତ୍ରା ଏବଂ ଗରମ ସାମାନ୍ୟ ହ୍ରାସ ପାଇଛି। ରାଜ୍ୟର ଉତ୍ତର ଭାଗକୁ ମୌସୁମୀ ଅଗ୍ରସର ହୋଇଛି। ଶନିବାରଠାରୁ ତାପମାତ୍ରା ୨ରୁ ୪ ଡିଗ୍ରୀ ହ୍ରାସ ପାଇବା ନେଇ ପୂର୍ବାନୁମାନ କରାଯାଇଛି। ହେଲେ ୧୫ ତାରିଖ ପର୍ଯ୍ୟନ୍ତ କାଳବୈଶାଖୀ ହେବା ନେଇ ସୂଚନା ଦିଆଯାଇଥିବାବେଳେ ଶୁକ୍ରବାର ୧୧ ଜିଲାକୁ ଗରମ ଓ ଗୁଳୁଗୁଳି ନେଇ ୟେଲୋ ଓ୍ବାର୍ଣ୍ଣି ଜାରି କରାଯାଇଛି। ଏଥିସହ ଅଧିକାଂଶ ଜିଲ୍ଲାରେ ବର୍ଷା ହେବା ନେଇ ପୂର୍ବାନୁମାନ କରାଯାଇଛି। ବିଶେଷକରି ଘଡ଼ଘଡ଼ି ବିଜୁଳି ସହ ପ୍ରବଳ ବର୍ଷା ଓ ପବନ ହେବା ନେଇ କେନ୍ଦ୍ରାପଡ଼ା, କଟକ, ମୟୂରଭଞ୍ଜ, କୋରାପୁଟ, ମାଲକାନଗିରି, ବାଲେଶ୍ୱର, ଭଦ୍ରକ, ଯାଜପୁର, ଜଗତ୍ସିଂହପୁର, କେନ୍ଦୁଝର, ଖୋର୍ଦ୍ଧା, ନୟାଗଡ ଜିଲାକୁ ଅରେଞ୍ଜ ଏବଂ ସୁନ୍ଦରଗଡ଼, ଝାରସୁଗୁଡା, ବରଗଡ଼, ସମ୍ବଲପୁର, ଦେବଗଡ଼, ଅନୁଗୋଳ, ଢେଙ୍କାନାଳ, ସୋନପୁର, ବୌଦ୍ଧ, ନୂଆପଡ଼ା, ବଲାଙ୍ଗୀର, କଳାହାଣ୍ଡି, କନ୍ଧମାଳ, ନବରଙ୍ଗପୁର, ରାୟଗଡ଼ା, ଗଜପତି, ଗଞ୍ଜାମ ଏବଂ ପୁରୀ ଜିଲାକୁ ୟେଲୋ ଓ୍ବାର୍ଣ୍ଣିଂ ଜାରି କରାଯାଇଛି।
ସୂଚନାଯୋଗ୍ୟ, ସ୍ବାଭାବିକ ସମୟର ୩ ଦିନ ବିଳମ୍ବରେ ଚଳିତ ବର୍ଷ କେରଳମ୍ ଛୁଇଁଥିଲା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ। ଓଡ଼ିଶାକୁ କିନ୍ତୁ ସ୍ବାଭାବିକ ସମୟରେ ମୌସୁମୀ ଆସିପାରେ ବୋଲି ଅନୁମାନ କରାଯାଇ ଥିଲା। ଅର୍ଥାତ୍ ଜୁନ୍ ୧୦ରୁ ୧୨ ତାରିଖ ମଧ୍ୟରେ ମୌସୁମୀ ଓଡ଼ିଶା ଛୁଇଁବ ବୋଲି ଭାରତୀୟ ପାଣିପାଗ ବିଭାଗ (ଆଇଏମ୍ଡି) ପକ୍ଷରୁ କୁହାଯାଇଥିଲା। ସାଧାରଣତଃ ଜୁନ୍ ୧ରେ କେରଳମ୍ ଛୁଇଁବା ପରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଜୁନ୍ ୧୦ରୁ ୧୨ ତାରିଖ ମଧ୍ୟରେ ଓଡ଼ିଶା ଛୁଇଁଥାଏ। ଯଦିଓ ଓଡ଼ିଶାକୁ ମୌସୁମୀ ଆଗମନ ପାଇଁ ମୌସୁମୀର କେରଳମ୍ ଆଗମନ ଅପେକ୍ଷା ବଙ୍ଗୋପସାଗରୀୟ ପାଣିପାଗ ଅଧିକ ଗୁରୁତ୍ବପୂର୍ଣ୍ଣ; ତଥାପି ଚଳିତ ଥର କେରଳମ୍ ଭଳି ଓଡ଼ିଶାକୁ ମୌସୁମୀର ଆଗମନ ବିଳମ୍ବ ନ ହୋଇପାରେ ବୋଲି ପୂର୍ବାନୁମାନ କରାଯାଉଥିଲା।
ସେପଟେ ଦେଶରେ ମୌସୁମୀ ଅଗ୍ରସର ହେବାରେ ଲାଗିଛି। କର୍ଣ୍ଣାଟକ, ସମ୍ପୂର୍ଣ୍ଣ ଗୋଆ, ମହାରାଷ୍ଟ୍ର ଓ ଆନ୍ଧ୍ରପ୍ରଦେଶର କିଛି କିଛି ଅଞ୍ଚଳ, ତାମିଲନାଡୁ ଓ ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରର ଅଂଧିକାଂଶ ଅଞ୍ଚଳ, ସମ୍ପୂର୍ଣ୍ଣ ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗର, ମିଜୋରାମ, ମଣିପୁରର କିଛି କିଛି ଅଞ୍ଚଳକୁ ମୌସୁମୀ ଅଗ୍ରସର ହୋଇଛି।














