ପୁରୀ : ଆସନ୍ତାକାଲି ଚନ୍ଦ୍ରଗ୍ରହଣ ପଡୁଥିବାରୁ ପୁରୀ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କର ସ୍ୱତନ୍ତ୍ର ନୀତି ଅନୁଷ୍ଠିତ ହେବ। ଏ ନେଇ ଛାତିଶା ନିଯୋଗ ଓ ପରିଚାଳନା କମିଟି ବୈଠକରେ ନୀତି ନିର୍ଘଣ୍ଟ ସ୍ଥିରି କୃତ ହେବା ସହ ଅନୁମୋଦିତ ହୋଇସାରିଅଛି। ସ୍ୱତନ୍ତ୍ର ନୀତି ନିର୍ଘଣ୍ଟ ଅନୁସାରେ ଆଜି ମଧ୍ୟ ରାତ୍ର ୨ ଟାରୁ ଦ୍ବାର ଫିଟାଯିବା ସହ ୨ଟା ୪୦ ମଧ୍ୟରେ ମଙ୍ଗଳ ଆଳତି ନୀତି ଅନୁଷ୍ଠିତ ହେବ। ଏହା ପରେ ଶ୍ରୀମନ୍ଦିରରେ ଦୈନିକ ନୀତି କାନ୍ତି ମାନ ଅନୁଷ୍ଠିତ କରାଯିବ।
ଆଜି ରାତି ୨.୩୦ରେ ଭିତରଶୋଧ, ୨ଟା ୪୦ରେ ମଙ୍ଗଳ ଆଳତି ଓ ମଇଲମ, ଭୋର୍ ୩ଟାରେ ତଡ଼ପଲାଗି, ୩.୩୦ରେ ଅବକାଶ ଓ ରୋଷହୋମ କରାଯିବ। ପରେ ସୂର୍ୟ୍ୟପୂଜା, ଦ୍ୱାରପାଳ ପୂଜା, ଗୋପାଳବଲ୍ଲଭ ସରିବା ପରେ ଭୋର ୫ଟାରୁ ୬ଟା ମଧ୍ୟରେ ସକାଳ ଧୂପ (କେବଳ କୋଠଭୋଗ) ସମ୍ପନ୍ନ ହେବ। ସକାଳ ୬ଟା ୧୫ରେ ମଇଲମ, ସାଢ଼େ ୭ଟାରେ ଭୋଗମଣ୍ଡପ ଶେଷ ହୋଇ ସକାଳ ୮ଟାରୁ ୯ଟା ମଧ୍ୟରେ ମଧ୍ୟାହ୍ନ ଧୂପ (କେବଳ କୋଠଭୋଗ) ସମ୍ପନ୍ନ ହେବ। ସକାଳ ସାଢେ ୯ଟାରେ ଦକ୍ଷିଣୀ ଘର ଭୋଗ, ସକାଳ ୮.୩୦ରୁ ୧୦.୩୦ ମଧ୍ୟରେ ଦ୍ଵିତୀୟ ଭୋଗମଣ୍ଡପ, ମଇଲମ ନୀତି ହେବା ସହ ୧୧ଟା ୧୫ରେ ସନ୍ଧ୍ୟା ଆଳତି ହେବ।
ଏହା ସହିତ ଗୋବିନ୍ଦ ବନ୍ଦାପନା ଓ ଇନ୍ଦ୍ରହାତୀ ପ୍ରସ୍ତାବ ନୀତି ରହିଛି। ତେଣୁ ସାଢ଼େ ୧୧ଟାରେ ଦୋଳଗୋବିନ୍ଦ ଭିତରକୁ ବିଜେ କରିବା ସହ ୧୧ଟା ୪୫ରେ ଆଜ୍ଞାମାଳ ପାଇଁ ପାଲିଙ୍କିକୁ ବିଜେ କରିବେ। ୧୨ଟାରେ ପାଲିଙ୍କି ଉଠିବ ଏବଂ ୧୨.୩୦ସୁଦ୍ଧା ଇନ୍ଦ୍ର ଗୋବିନ୍ଦ ବନ୍ଦାପନା ସାରି ବାହୁଡ଼ା ବିଜେ କରିବେ। ଏହା ପରେ ମଇଲମ ଓ ତଡ଼ପଲାଗି ହୋଇ ଭିତରକାଠ ଦର୍ଶନ ହେବ। ଏସବୁ ଶେଷ ହେବା ପରେ ରାତି ୯ଟା ୫୭ ମିନିଟ ୨୨ ସେକେଣ୍ଡ ସୁଦ୍ଧା ଗ୍ରହଣ ସ୍ପର୍ଶ ପରେ ଗ୍ରହଣ ମହାସ୍ନାନ, ଗ୍ରହଣଭୋଗ ଓ ଅନ୍ୟ ନୀତି ହେବ।














