ଭୁବନେଶ୍ବର : ରାଜ୍ୟରେ ସାର ସମସ୍ୟାକୁ ନେଇ ଆଜି ରାଜଭବନ ସମ୍ମୁଖରେ ପ୍ରତିବାଦ କରିଛି ବିଜୁ ଜନତା ଦଳ । ଚାଷୀଙ୍କ ପାଇଁ ବିଜେଡି ଲଢ଼େଇ କରିବା ସହ ରାଜଭବନ ସମ୍ମୁଖରେ ବିଜେଡି-ପୁଲିସ ମୁହାଁମୁହିଁ ହୋଇଛନ୍ତି। ରାଜ୍ୟରେ ଚାଷୀଙ୍କ ସାର ମିଳୁନି, ସାର ସଙ୍କଟ ପାଇଁ ଚାଷୀକୂଳ ନାହିଁ ନଥିବା ଅସୁବିଧାରେ ପଡୁଛନ୍ତି। ଯାହାକୁନେଇ ରାଜଭବନ ଆଗରେ ବିଜେଡି ଧାରଣା ଦେଇଛି । ଏଥି ସହିତ ଏହି ବିକ୍ଷୋଭ ସମାବେଶରେ ବିଜେପି ସରକାର ଉପରେ ଜଣେ ଜଣେ ପରେ ସମସ୍ତ ବିଜେଡି ନେତା ବର୍ଷିଛନ୍ତି। ଏ ପର୍ଯ୍ୟନ୍ତ ସବୁ ଜିଲ୍ଲାରେ ପହଞ୍ଚିପାରିଲାନି ଆବଶ୍ୟକ ସାର । ସାର ପାଇଁ ଡହଳବିକଳ ହେଉଛନ୍ତି ଚାଷୀ । ମନ୍ତ୍ରୀମାନେ କହୁଛନ୍ତି, ରାଜ୍ୟରେ ଯଥେଷ୍ଟ ସାର ମହଜୁଦ ଅଛି। ଯଦି ସାର ଅଛି, ତେବେ ଚାଷୀଙ୍କୁ କାହିଁକି ମିଳୁନି। ମିଛ କହୁଛନ୍ତି ମନ୍ତ୍ରୀମାନେ। ସାର ଯୋଗାଣକୁ ବ୍ୟବସ୍ଥିତ ଓ କଳାବଜାରୀ ରୋକିବାରେ ରାଜ୍ୟ ସରକାର ସମ୍ପୂର୍ଣ୍ଣ ବିଫଳ ହୋଇଛନ୍ତି। ସମସ୍ୟାର ସମାଧାନ କରିବା ପରିବର୍ତ୍ତେ ରାଜ୍ୟର କୃଷକ ସମାଜକୁ ସରକାର ଭୁଆଁ ବୁଲାଉଥିବା ବିଜେଡି ଅଭିଯୋଗ ଆଣିଛି।
ସେପଟେ ପ୍ରତିବାଦ ପରେ ରାଜ୍ୟପାଳଙ୍କୁ ଭେଟଇ ସ୍ମାରକପତ୍ର ପ୍ରଦାନ କରିଛି ବିଜେଡି। ଯଦି ସମସ୍ୟାର ସମାଧାନ ନହେଲା ତେବେ ଆଗକୁ ଜିଲ୍ଲାପାଳ ଅଫିସ ଏବଂ ବ୍ଲକ ଅଫିସ ସାମ୍ନାରେ ଧାରଣା ଦେବ ଦଳ । ବିଜେଡିର ଯୁକ୍ତି ରାଜ୍ୟରେ ଚାଷୀଙ୍କର ସମସ୍ୟା ବଢିବାରେ ଲାଗିଛି । ଧାନର ଅଭାବୀ ବିକ୍ରି ଚାଲିଛି । ଖରିଫ ଋତୁରେ ଚାଷୀ ପଞ୍ଜିକରଣର ସମସ୍ୟା ରହିଛି । ଆଉ ସାର ଅଭାବ ଚାରିଆଡେ ଦେଖାଦେଇଛି । ମୁଖ୍ୟମନ୍ତ୍ରୀ ବାରମ୍ବାର ସମୀକ୍ଷା କରିଛନ୍ତି ହେଲେ ଉପମୁଖ୍ୟମନ୍ତ୍ରୀ , ସମବାୟ ମନ୍ତ୍ରୀ କହୁଛନ୍ତି ରାଜ୍ୟରେ ସାରର ଅଭାବ ନାହିଁ । ସରକାର ବଧୀର ହୋଇଯାଇଛନ୍ତି । ରାତି ଅଧାରୁ ଚାଷୀ ଆଧାରକାର୍ଡ ଧରି ରାତି ଅନିଦ୍ରା ହୋଇ ଛିଡା ହେଉଛନ୍ତି । କିନ୍ତୁ ସରକାର ଭିନ୍ନ କଥା କହୁଛନ୍ତି । ଗଞ୍ଜାମ ଜିଲ୍ଲାର ଜିଲ୍ଲାପାଳ ୧୯ ହଜାର ୫ ଶହ ମେଟ୍ରିକ ଟନ ଆବଶ୍ୟକ । ଯଦି ଦେଖାଯିବ ତାଙ୍କୁ ୧୦ ହଜାର ମେଟ୍ରିକ ଟନ ସାର ମିଳିଛି । ଏମିତିକି ସବୁ ଜିଲ୍ଲାରେ ଆବଶ୍ୟକ ଥିବା ସାର ମଧ୍ୟ ମିଳିପାରିନାହିଁ । ଆଉ ଚାଷୀକୂଳକୁ ପ୍ରତାରଣା କରିଛନ୍ତି ସରକାର । ସେମାନଙ୍କୁ ଉଚିତ ଜବାବ ଦିଆଯିବ । ସରକାର ତାଙ୍କ କୁମ୍ଭକର୍ଣ୍ଣ ନିଦ୍ରା ଭାଙ୍ଗନ୍ତୁ ଆଉ ବିରୋଧୀ ନେତା ଏନେଇ ବିଭାଗୀୟ କେନ୍ଦ୍ରମନ୍ତ୍ରୀଙ୍କୁ ପତ୍ର ଲେଖିଛନ୍ତି । ଚାଷୀଙ୍କୁ ପ୍ରତାରଣାର ସବୁ ସୀମା ଟପିଲାଣି । ଏହି ଅଭିଯୋଗ ବିଜେଡି ଆଣିଛି ।














