ଭୁବନେଶ୍ବର: ବିଧାନସଭା ସମ୍ମୁଖରେ ବିଜେଡି-ପୋଲିସ ଖଣ୍ଡଯୁଦ୍ଧ। ରାଜ୍ୟ ସରକାରଙ୍କ ବିରୋଧରେ ଶୁଭିଛି ଜନଗର୍ଜନ। ଆନ୍ଦୋଳନକାରୀଙ୍କୁ ହଟାଇବା ଲାଗି ପୋଲିସ ପକ୍ଷରୁ ଆନ୍ଦୋଳନରତ କର୍ମୀଙ୍କ ଉପରେ କରାଯାଇଛି ପାଣିମାଡ଼। ତ୍ରିସ୍ତରୀୟ ପଞ୍ଚାୟତିରାଜ ବ୍ୟବସ୍ଥାରେ ଜନ ପ୍ରତିନିଧିଙ୍କ କ୍ଷମତାକୁ ସଙ୍କୁଚିତ କରିବା ଓ ହଡପ କରିବା ଅଭିଯୋଗରେ ବିଧାନସଭା ଘେରାଉ କରିଛି ବିଜେଡି। ଏଥିରେ ସରପଞ୍ଚ, ୱାର୍ଡମେମ୍ବର, ସମିତି ସଭ୍ୟ, ଜିଲ୍ଲା ପରିଷଦ ସଦସ୍ୟ, ବ୍ଲକ ଅଧ୍ୟକ୍ଷ, ଜିଲ୍ଲା ପରିଷଦ ଅଧ୍ୟକ୍ଷ, ଗ୍ରାମର ମୁଖିଆ ତଥା ଅନ୍ୟ ଜନ ପ୍ରତିନିଧି ସାମିଲ ହୋଇଛନ୍ତି। ଆନ୍ଦୋଳନକାରୀଙ୍କୁ ଘଉଡ଼ାଇବା ପାଇଁ ପୋଲିସ ପକ୍ଷରୁ ପାଣିମାଡ଼ ହୋଇଛି। ସରକାର ବିରୋଧୀ ନାରା ଦେବା ସହ ଆନ୍ଦୋଳନକାରୀ ୨ଟି ବ୍ୟାରିକେଡ୍ ଭାଙ୍ଗିଛନ୍ତି।
ବିଜେଡି ଆନ୍ଦୋଳନକୁ ପୋଲିସ ବେଆଇନ ସମାବେଶ ଭାବେ ଘୋଷଣା କରିବା ସହ ତୁରନ୍ତ ଗାନ୍ଧି ମାର୍ଗ ଛାଡିବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ଗଣତନ୍ତ୍ରକୁ ହତ୍ୟା କରି କର୍ମୀ ପୋଷିବା ଯୋଜନା ବନ୍ଦ କରିବାକୁ ଚେତାବନୀ ଦେଇଛି ବିଜେଡି । ଯେମିତି କର୍ମୀ ମାନେ ଗୁଣ୍ଡାରାଜ, ଦାଦାବଟି ଓ ପିସି ଆଦାୟ କରିବେ ସେଥିପାଇଁ ବ୍ୟବସ୍ଥା କରୁଛନ୍ତି ସରକାର ବୋଲି ବଡ଼ ଅଭିଯୋଗ ହୋଇଛି । ପଞ୍ଚାୟତିରାଜ ବଜେଟକୁ ହ୍ରାସ କରାଯାଇଛି। ପିଏମ ଆବାସ ଯୋଜନା ୪୩୧୦ କୋଟିରୁ ୮୨୫ କୋଟି ହୋଇଛି । ଆମ ଓଡ଼ିଶା ନବୀନ ଓଡ଼ିଶାରେ ଅଧା କାମକୁ ସ୍ଥଗିତ ରଖାଯାଇ ହଇରାଣ କରାଯାଉଛି। ବିଜେପି କର୍ମୀଙ୍କୁ ପୋଷିବା ପାଇଁ ତ୍ରିସ୍ତରୀୟ ପଞ୍ଚାୟତିରାଜ ବ୍ୟବସ୍ଥାକୁ ଧ୍ୱଂସ କରାଯାଉଥିବା ଅଭିଯୋଗ ହୋଇଛି ।














