ଝାରସୁଗୁଡା : ଭାରତ ଆତ୍ମନିର୍ଭରଶୀଳତା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇଛି ବୋଲି ଉଲ୍ଲେଖ କରି ଶ୍ରୀ ମୋଦୀ କହିଥିଲେ, ପୂର୍ବରୁ ଯେତେବେଳେ ୨ଜି, ୩ ଜି ଏବଂ ୪ ଜି ଭଳି ଦୂରସଞ୍ଚାର ସେବା ବିଶ୍ୱ ସ୍ତରରେ ପ୍ରଚଳନ କରାଯାଇଥିଲା, ସେତେବେଳେ ଭାରତ ପଛରେ ପଡ଼ିଯାଇଥିଲା ଏବଂ ଏହି ସେବା ପାଇଁ ବିଦେଶୀ ପ୍ରଯୁକ୍ତିବିଦ୍ୟା ଉପରେ ନିର୍ଭରଶୀଳ ରହିଥିଲା। ଏପରି ପରିସ୍ଥିତି ଦେଶ ପାଇଁ ଉପଯୁକ୍ତ ନୁହେଁ ବୋଲି ହୃଦୟଙ୍ଗମ କରି ଭାରତ ସ୍ୱଦେଶୀ ଭାବରେ ଅତ୍ୟାବଶ୍ୟକ ଦୂରସଞ୍ଚାର ପ୍ରଯୁକ୍ତିବିଦ୍ୟା ବିକଶିତ କରିବା ପାଇଁ ଏକ ଜାତୀୟ ସଂକଳ୍ପ ନେଇଥିଲା। ବିଏସଏନଏଲ ଭାରତରେ ଏକ ସମ୍ପୂର୍ଣ୍ଣ ସ୍ୱଦେଶୀ ୪ଜି ପ୍ରଯୁକ୍ତିବିଦ୍ୟା ସଫଳତାର ସହିତ ବିକଶିତ କରିଛି ବୋଲି ସେ ଗର୍ବର ସହିତ କହିଥିଲେ। ଏହି ମାଇଲଖୁଣ୍ଟ ସୃଷ୍ଟି କରିବାରେ ସେ ବିଏସଏନଏଲର ନିଷ୍ଠା, ଦୃଢ଼ତା ଏବଂ ବିଶେଷଜ୍ଞତାକୁ ପ୍ରଶଂସା କରିଥିଲେ। ସେ ଆହୁରି ମଧ୍ୟ କହିଥିଲେ, ଭାରତୀୟ କମ୍ପାନୀଗୁଡ଼ିକ ଏବେ ବିଶ୍ୱର ପାଞ୍ଚଟି ମନୋନୀତ ଦେଶ ମଧ୍ୟରେ ଭାରତକୁ ସ୍ଥାନିତ କରିଛନ୍ତି ଯେଉଁଠାରେ 4ଜି ସେବା ଆରମ୍ଭ କରିବା ପାଇଁ ସମ୍ପୂର୍ଣ୍ଣ ସ୍ୱଦେଶୀ ପ୍ରଯୁକ୍ତିବିଦ୍ୟା ଅଛି।
ପ୍ରଧାନମନ୍ତ୍ରୀ ଆଜି ବିଏସଏନଏଲର ୨୫ତମ ବାର୍ଷିକୀ ପାଳନର ସଂଯୋଗ ବିଷୟରେ ଉଲ୍ଲେଖ କରିଥିଲେ। ଏହି ଐତିହାସିକ ଅବସରରେ, ସେ ଆଲୋକପାତ କରି କହିଥିଲେ ଯେ ବିଏସଏନଏଲ ଏବଂ ଏହାର ଅଂଶୀଦାରମାନଙ୍କ ଉତ୍ସର୍ଗୀକୃତ ପ୍ରୟାସ ମାଧ୍ୟମରେ ଭାରତ ଏକ ବିଶ୍ୱସ୍ତରୀୟ ଦୂରସଞ୍ଚାର ଉତ୍ପାଦନ କେନ୍ଦ୍ର ହେବା ଦିଗରେ ଅଗ୍ରସର ହେଉଛି। ସେ କହିଥିଲେ ଯେ ଏହା ଓଡ଼ିଶା ପାଇଁ ଗର୍ବର ବିଷୟ ଯେ ବିଏସଏନଏଲର ସ୍ୱଦେଶୀ 4ଜି ନେଟୱାର୍କ ଝାରସୁଗୁଡାରୁ ଆରମ୍ଭ ହେଉଛି, ଯେଉଁଥିରେ ପ୍ରାୟ ଏକ ଲକ୍ଷ ୪ଜି ଟାୱାର ଅନ୍ତର୍ଭୁକ୍ତ। ଏହି ଟାୱାରଗୁଡ଼ିକ ଦେଶର ଦୂରଦୂରାନ୍ତ ଅଞ୍ଚଳରେ ସଂଯୋଗର ଏକ ନୂତନ ଯୁଗ ଆରମ୍ଭ କରିବାକୁ ପ୍ରସ୍ତୁତ। ଶ୍ରୀ ମୋଦୀ ଗୁରୁତ୍ୱାରୋପ କରିଥିଲେ ଯେ 4ଜି ପ୍ରଯୁକ୍ତିର ବିସ୍ତାର ଦେଶବ୍ୟାପୀ ଦୁଇ କୋଟିରୁ ଅଧିକ ଲୋକଙ୍କୁ ସିଧାସଳଖ ଲାଭ ଦେବ। ସେ ଆହୁରି ମଧ୍ୟ କହିଥିଲେ, ପୂର୍ବରୁ ହାଇ-ସ୍ପିଡ୍ ଇଣ୍ଟରନେଟ୍ ସୁବିଧା ନଥିବା ପ୍ରାୟ ତିରିଶ ହଜାର ଗ୍ରାମକୁ ଏହି ପଦକ୍ଷେପ ମାଧ୍ୟମରେ ସଂଯୋଗ କରାଯିବ। ପ୍ରଧାନମନ୍ତ୍ରୀ କହିଥିଲେ, ହଜାର ହଜାର ଗ୍ରାମ ଏହି ଐତିହାସିକ ଦିନକୁ ସାକ୍ଷୀ ରଖିବା ପାଇଁ ଆଭାସୀ ମାଧ୍ୟମରେ ଯୋଡ଼ି ହୋଇଛନ୍ତି । ହାଇ-ସ୍ପିଡ୍ ଇଣ୍ଟରନେଟ୍ ମାଧ୍ୟମରେ ସେମାନେ ଏହି କାର୍ଯ୍ୟକ୍ରମକୁ ଶୁଣି ଏବଂ ଦେଖିପାରୁଛନ୍ତି । କେନ୍ଦ୍ର ସଞ୍ଚାର ମନ୍ତ୍ରୀ ଶ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ ମଧ୍ୟ ଆସାମରୁ ଯୋଡ଼ି ହୋଇଥିବା ସେ କହିଥିଲେ ।
ବିଏସଏନଏଲର ସ୍ୱଦେଶୀ ୪ଜି ସେବା ଆଦିବାସୀ ଅଞ୍ଚଳ, ଦୁର୍ଗମ ଗ୍ରାମ ଏବଂ ପାହାଡ଼ିଆ ଅଞ୍ଚଳ ପାଇଁ ସର୍ବାଧିକ ଲାଭଦାୟକ ହେବ ବୋଲି ଶ୍ରୀ ମୋଦୀ ଉଲ୍ଲେଖ କରିଥିଲେ। ଏହି ଅଞ୍ଚଳର ଲୋକମାନେ ଏବେ ଗୁଣାତ୍ମକ ଡିଜିଟାଲ୍ ସେବା ପାଇପାରିବେ ବୋଲି ସେ ଦୃଢ଼ୋକ୍ତି ପ୍ରକାଶ କରିଥିଲେ । ପ୍ରଧାନମନ୍ତ୍ରୀ କହିଥିଲେ, ଗ୍ରାମାଞ୍ଚଳର ପିଲାମାନେ ଅନଲାଇନ୍ ଶ୍ରେଣୀରେ ପାଠ ପଢ଼ିପାରିବେ। ଦୂରବର୍ତ୍ତୀ ଅଞ୍ଚଳର ଚାଷୀମାନେ ଫସଲ ମୂଲ୍ୟ ଯାଞ୍ଚ କରିପାରିବେ ଏବଂ ରୋଗୀମାନେ ଟେଲିମେଡିସିନ୍ ମାଧ୍ୟମରେ ଡାକ୍ତରଙ୍କ ସହିତ ପରାମର୍ଶ କରିବାକୁ ସହଜ ପାଇବେ। ଏହି ପଦକ୍ଷେପ ଆମର ସଶସ୍ତ୍ର ବାହିନୀ କର୍ମଚାରୀମାନଙ୍କୁ ମଧ୍ୟ ବହୁତ ଲାଭ ଦେବ, ସେମାନଙ୍କୁ ଉନ୍ନତ ସଂଯୋଗୀକରଣ ମାଧ୍ୟମରେ ସୁରକ୍ଷିତ ଭାବରେ ଯୋଗାଯୋଗ କରିବାକୁ ସକ୍ଷମ କରିବ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ ।
ଭାରତ କିଛିଦିନ ପୂର୍ବରୁ ଦ୍ରୁତତମ ୫ଜି ସେବା ଆରମ୍ଭ କରିସାରିଛି ବୋଲି ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଥିଲେ, ଆଜି ଉଦଘାଟନ ହୋଇଥିବା ବିଏସଏନଏଲ ଟାୱାରଗୁଡ଼ିକ 5ଜିସେବାକୁ ସମର୍ଥନ କରିବା ପାଇଁ ପ୍ରସ୍ତୁତ। ଏହି ଐତିହାସିକ ଅବସରରେ ସେ ବିଏସଏନଏଲ ଏବଂ ଦେଶର ସମସ୍ତ ନାଗରିକଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଜଣାଇଥିଲେ।














