ଝାରସୁଗୁଡା : ୨୨ ସେପ୍ଟେମ୍ବର ୨୦୨୫ ଠାରୁ ଓଡ଼ିଶା ସମେତ ସାରା ଦେଶରେ ନୂତନ ଜିଏସଟି ସଂସ୍କାର କାର୍ଯ୍ୟକାରୀ ହୋଇଛି ବୋଲି ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଥିଲେ, ଏହି ସଂସ୍କାରଗୁଡ଼ିକୁ ସମସ୍ତଙ୍କ ପାଇଁ ସଞ୍ଚୟର ଉପହାର । ବିଶେଷକରି ମା’ ଏବଂ ଭଉଣୀମାନଙ୍କ ପାଇଁ ରୋଷେଇ ଘର ଖର୍ଚ୍ଚକୁ ଅଧିକ ସୁଲଭ କରାଯାଇଛି । ସେ କହିଥିଲେ, ଅଧିକାଂଶ ଅତ୍ୟାବଶ୍ୟକ ଜିନିଷର ମୂଲ୍ୟ ଯଥେଷ୍ଟ ହ୍ରାସ ପାଇଛି। ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ କହିଥିଲେ, ଓଡ଼ିଶାରେ ବହୁ ସଂଖ୍ୟାରେ ଆଦିବାସୀ ଜନସଂଖ୍ୟା ବସବାସ କରନ୍ତି । ଯେଉଁମାନେ ଜୀବିକା ପାଇଁ ଜଙ୍ଗଲ ଉତ୍ପାଦ ଉପରେ ନିର୍ଭର କରନ୍ତି। ସରକାର ପୂର୍ବରୁ କେନ୍ଦୁ ପତ୍ର ସଂଗ୍ରହକାରୀଙ୍କ ପାଇଁ କାମ କରିଆସୁଛନ୍ତି ଏବଂ ବର୍ତ୍ତମାନ ଏହି ସାମଗ୍ରୀ ଉପରେ ଜିଏସଟି ଯଥେଷ୍ଟ ହ୍ରାସ କରିଛନ୍ତି, ଯାହା ସଂଗ୍ରହକାରୀଙ୍କ ପାଇଁ ଭଲ ମୂଲ୍ୟ ସୁନିଶ୍ଚିତ କରୁଛି ବୋଲି ସେ କହିଥିଲେ ।
ପ୍ରଧାନମନ୍ତ୍ରୀ ଜୋର ଦେଇ କହିଥିଲେ, ତାଙ୍କ ସରକାର ନିରନ୍ତର ଟିକସ ରିହାତି ପ୍ରଦାନ କରୁଛି ଏବଂ ନାଗରିକମାନଙ୍କ ପାଇଁ ସଞ୍ଚୟ ବୃଦ୍ଧି କରୁଛି। ଅନ୍ୟପକ୍ଷରେ ବିରୋଧୀମାନେ ଶୋଷଣମୂଳକ ପ୍ରଥା ଜାରି ରଖିଥିଲେ ବୋଲି ସେ ଅଭିଯୋଗ କରିଥିଲେ । ଶ୍ରୀ ମୋଦୀ ସମାଲୋଚନା କରି କହିଥିଲେ, ବିରୋଧୀ ନେତୃତ୍ୱାଧୀନ ସରକାରଗୁଡ଼ିକ ଏବେ ବି ଜନସାଧାରଣଙ୍କୁ ଲୁଟ କରିବାରେ ନିୟୋଜିତ ଅଛନ୍ତି। ନୂତନ ଜିଏସଟି ହାର ଲାଗୁ କରାଯିବା ସମୟରେ ଘର ନିର୍ମାଣ ଏବଂ ମରାମତିକୁ ଅଧିକ ସୁଲଭ କରିବା ପାଇଁ ସିମେଣ୍ଟ ଉପରେ ଟିକସ ମଧ୍ୟ ହ୍ରାସ କରାଯାଇଥିଲା। ୨୨ ସେପ୍ଟେମ୍ବର ପରେ ହିମାଚଳ ପ୍ରଦେଶରେ ମଧ୍ୟ ସିମେଣ୍ଟ ମୂଲ୍ୟ ହ୍ରାସ ପାଇଥିଲା। ତଥାପି, ହିମାଚଳ ସରକାର ସିମେଣ୍ଟ ଉପରେ ଅତିରିକ୍ତ ଟିକସ ଲାଗୁ କରିଥିଲେ, ଯାହା ଲୋକଙ୍କୁ ଏହି ଲାଭରୁ ବଞ୍ଚିତ କରିଥିବା ପ୍ରଧାନମନ୍ତ୍ରୀ ଦାବି କରିଥିଲେ । ସେ ଚେତାଇ ଦେଇ କହିଥିଲେ, ବିରୋଧୀ ଦଳ ଯେଉଁଠାରେ ଶାସନ କରେ, ସେଠାରେ ଶୋଷଣ ହୁଏ । ନାଗରିକମାନଙ୍କୁ ଏହି ଦଳ ପ୍ରତି ସତର୍କ ରହିବାକୁ ଅନୁରୋଧ କରିଥିଲେ।
ଶ୍ରୀ ମୋଦୀ କହିଥିଲେ ଯେ ଜିଏସଟି ସଞ୍ଚୟ ମହୋତ୍ସବ ମା’ ଏବଂ ଭଉଣୀମାନଙ୍କ ପାଇଁ ସର୍ବୋତ୍ତମ ଆନନ୍ଦ ଆଣିଛି। ମହିଳା ଏବଂ ଝିଅମାନଙ୍କର ସେବା କରିବା ସରକାରଙ୍କ ପାଇଁ ସର୍ବୋଚ୍ଚ ପ୍ରାଥମିକତା। ସେମାନଙ୍କ ସ୍ୱାସ୍ଥ୍ୟ ଉପରେ ଦୃଢ଼ ଧ୍ୟାନ ଦିଆଯାଉଛି । ପରିବାର ଲାଗି ମା’ମାନଙ୍କର ବଳିଦାନକୁ ସ୍ୱୀକାର କରି ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଥିଲେ, ମା’ମାନେ ସେମାନଙ୍କ ପିଲାମାନଙ୍କୁ ସୁରକ୍ଷା ଦେବା ପାଇଁ ପ୍ରତ୍ୟେକ କଷ୍ଟ ସହିଥାନ୍ତି । ସେମାନେ ପ୍ରାୟତଃ ନିଜର ରୋଗକୁ ଲୁଚାଇଥା’ନ୍ତି । ପରିବାର ଉପରେ ଚିକିତ୍ସା ଖର୍ଚ୍ଚର ଭାର ନ ପକାଇବା ପାଇଁ ମା’ମାନେ ନିଜର ରୋଗକୁ ଲୁଚାଇ ରଖନ୍ତି। ଏହାକୁ ଦୃଷ୍ଟିରେ ରଖି ଆୟୁଷ୍ମାନ ଭାରତ ଯୋଜନା ଆରମ୍ଭ କରାଯାଇଥିଲା, ଯାହା ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମାଗଣା ଚିକିତ୍ସା ଯୋଗାଇ ଦେଇ ମହିଳାଙ୍କୁ ଯଥେଷ୍ଟ ଲାଭ ଦେଇଛି।
ଜଣେ ସୁସ୍ଥ ମା’ ଏକ ସୁଦୃଢ଼ ପରିବାର ଗଠନ କରନ୍ତି ବୋଲି ଗୁରୁତ୍ୱାରୋପ କରି ଶ୍ରୀ ମୋଦୀ ୧୭ ସେପ୍ଟେମ୍ବର ୨୦୨୫ ରୁ ଦେଶବ୍ୟାପୀ ଆରମ୍ଭ ହୋଇଥିବା “ସ୍ୱସ୍ଥ ନାରୀ, ସଶକ୍ତ ପରିବାର” ଅଭିଯାନ ଉପରେ ଆଲୋକପାତ କରିଥିଲେ। ସେ ସୂଚନା ଦେଇଥିଲେ ଯେ ଏହି ପଦକ୍ଷେପ ଅଧୀନରେ ସାରା ଦେଶରେ ଆଠ ଲକ୍ଷରୁ ଅଧିକ ସ୍ୱାସ୍ଥ୍ୟ ଶିବିର ଆୟୋଜନ କରାଯାଇଛି, ଯେଉଁଥିରେ ତିନି କୋଟିରୁ ଅଧିକ ମହିଳା ସ୍ୱାସ୍ଥ୍ୟ ପରୀକ୍ଷା କରିଛନ୍ତି। ଏହି ଶିବିରଗୁଡ଼ିକ ମଧୁମେହ, ସ୍ତନ କର୍କଟ, ଯକ୍ଷ୍ମା ଏବଂ ସିକଲ୍ ସେଲ୍ ଏନିମିଆ ଭଳି ରୋଗ ନିର୍ଣ୍ଣୟକୁ ସହଜ କରୁଛି। ସେ ଓଡ଼ିଶାର ସମସ୍ତ ମା’, ଭଉଣୀ ଏବଂ ଝିଅମାନଙ୍କୁ ସେମାନଙ୍କର ସ୍ୱାସ୍ଥ୍ୟ ପରୀକ୍ଷା ନିଶ୍ଚିତ କରିବାକୁ ଅନୁରୋଧ କରିଥିଲେ।
ପ୍ରଧାନମନ୍ତ୍ରୀ କହିଥିଲେ, ତାଙ୍କ ସରକାର ଟିକସ ରିହାତି ଏବଂ ଆଧୁନିକ ସଂଯୋଗୀକରଣ ସହିତ ସୁବିଧା ଓ ସମୃଦ୍ଧିର ପଥ ପ୍ରଶସ୍ତ କରିମାଧ୍ୟମରେ ଦେଶ ଏବଂ ଏହାର ନାଗରିକମାନଙ୍କର ସାମର୍ଥ୍ୟ ବୃଦ୍ଧି କରିବା ପାଇଁ ନିରନ୍ତର କାର୍ଯ୍ୟ କରୁଛି । ଓଡ଼ିଶା ଏହି ପ୍ରୟାସରୁ ଗୁରୁତ୍ୱପୂର୍ଣ୍ଣ ଲାଭ ପାଉଛି, ରାଜ୍ୟରେ ବର୍ତ୍ତମାନ ଛଅଟି ବନ୍ଦେ ଭାରତ ଟ୍ରେନ୍ ଚାଲୁଛି ଏବଂ ପ୍ରାୟ ଷାଠିଏଟି ରେଳ ଷ୍ଟେସନରେ ଆଧୁନିକୀକରଣ ଚାଲିଛି। ଝାରସୁଗୁଡ଼ାର ବୀର ସୁରେନ୍ଦ୍ର ସାଏ ବିମାନବନ୍ଦର ବର୍ତ୍ତମାନ ଭାରତର ଅନେକ ପ୍ରମୁଖ ସହର ସହିତ ଯୋଡ଼ି ହୋଇଛି । ଖଣିଜ ପଦାର୍ଥ ଏବଂ ଖଣି ଖନନରୁ ଓଡ଼ିଶା ମଧ୍ୟ ଯଥେଷ୍ଟ ଅଧିକ ରାଜସ୍ୱ ପାଉଛି। ସୁଭଦ୍ରା ଯୋଜନା ନିରନ୍ତର ଭାବରେ ଓଡ଼ିଶାର ମହିଳାମାନଙ୍କୁ ସମର୍ଥନ କରୁଛି ବୋଲି ଶ୍ରୀ ମୋଦୀ ଉଲ୍ଲେଖ କରିଥିଲେ । ଓଡ଼ିଶା ପ୍ରଗତି ପଥରେ ଦୃଢ଼ ଭାବରେ ଆଗେଇ ଚାଲିଛି ଏବଂ ବିକାଶର ଗତି ଆହୁରି ତ୍ୱରାନ୍ୱିତ ହେବ ବୋଲି ସେ ଆଶ୍ୱାସନା ଦେଇଥିଲେ। ଶେଷରେ ସେ ସମସ୍ତଙ୍କୁ ଶୁଭକାମନା ଜଣାଇଥିଲେ।
କାର୍ଯ୍ୟକ୍ରମରେ ଓଡ଼ିଶାର ରାଜ୍ୟପାଳ ଡକ୍ଟର ହରି ବାବୁ କମ୍ଭମପାଟି, ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ, କେନ୍ଦ୍ରମନ୍ତ୍ରୀ ଶ୍ରୀ ଜୁଏଲ ଓରାମ ପ୍ରମୁଖ ଉପସ୍ଥିତ ଥିଲେ। ଭିଡିଓ କନଫରେନ୍ସିଂ ମାଧ୍ୟମରେ ଆଜିର କାର୍ଯ୍ୟକ୍ରମରେ ଦେଶବ୍ୟାପୀ ଅନେକ କେନ୍ଦ୍ର ମନ୍ତ୍ରୀ ଏବଂ ମୁଖ୍ୟମନ୍ତ୍ରୀମାନେ ଯୋଗ ଦେଇଥିଲେ।














