ଭୁବନେଶ୍ବର: ନୂଆପଡା ଉପନିର୍ବାଚନ ପାଇଁ ବିଗୁଲ ବାଜିବା ପରେ କମ୍ପିଲାଣି ପ୍ରଚାର ମୈଦାନ । ନୂଆପଡା ଦଖଲ ପାଇଁ ୩ ଦଳ ନିଜ ଢଙ୍ଗରେ ପ୍ରସ୍ତୁତ କଲେଣି ରଣନୀତି । ଏହାରି ଭିତରେ କଂଗ୍ରେସ କରିଛି ବଡ଼ ଘୋଷଣା। ନୂଆପଡା ପାଇଁ ପ୍ରାର୍ଥୀ ଘୋଷଣା କରିଛି କଂଗ୍ରେସ। ଏଆଇସିସି ପକ୍ଷରୁ ନୂଆପଡ଼ା ଉପନିର୍ବାଚନ ପାଇଁ କଂଗ୍ରେସ ପ୍ରାର୍ଥୀ ଘୋଷଣା କରାଯାଇଛି । ପ୍ରେସ ରିଲିଜ ଜାରି କରି କଂଗ୍ରେସ କହିଛି କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖାର୍ଗେ ଓଡ଼ିଶା ବିଧାନସଭାର ଆଗାମୀ ଉପ-ନିର୍ବାଚନ ପାଇଁ ୭୧ତମ ନୂଆପଡ଼ା ନିର୍ବାଚନମଣ୍ଡଳୀରୁ କଂଗ୍ରେସ ପ୍ରାର୍ଥୀ ଭାବରେ ଘାସିରାମ ମାଝୀଙ୍କ ପ୍ରାର୍ଥୀତ୍ୱକୁ ଅନୁମୋଦନ କରିଛନ୍ତି। ଏଆଇସିସି ପକ୍ଷରୁ ପ୍ରେସ ବିଜ୍ଞପ୍ତିରେ ଏ ନେଇ ସୂଚନା ଦିଆଯାଇଛି।
ଗତ ୨୦୨୪ ନିର୍ବାଚନକୁ ମିଶାଇ ଶ୍ରୀ ମାଝୀ ଉକ୍ତ ନିର୍ବାଚନମଣ୍ଡଳୀରେ ମୋଟ ୩ ଥର ଲଢି ହାରିଥିଲେ। ୨୦୧୪ ଓ ୨୦୧୯ରେ ସେ କଂଗ୍ରେସ ଦଳର ପ୍ରାର୍ଥୀ ହୋଇଥିବା ବେଳେ ଗତ ୨୦୨୪ ନିର୍ବାଚନରେ ତାଙ୍କୁ ଦଳୀୟ ଟିକଟ ନ ମିଳିବାରୁ ସେ ସ୍ବାଧୀନ ଭାବେ ଲଢି ୫୦ ହଜାର ୯୪୧ ଖଣ୍ଡ ଭୋଟ୍ ପାଇବା ସହ ଦ୍ବିତୀୟ ସ୍ଥାନରେ ଥିଲେ। କଂଗ୍ରେସର ଦଳୀୟ ପ୍ରାର୍ଥୀ ତଥା ତତ୍କାଳୀନ ପିସିସି ସଭାପତି ଶରତ ପଟ୍ଟନାୟକ ୧୫ ହଜାରରୁ ଅଧିକ ଭୋଟ ପାଇଥିବାରୁ କଂଗ୍ରେସ ଖାତାରେ ୬୫ ହଜାରରୁ ଅଧିକ ଭୋଟ୍ ଥିବା ନେଇ ପିସିସି ସଭାପତି ଆକଳନ କରିଆସୁଥିଲେ। ତେଣୁ ଏ ଥର ସେ ଜିତିବାରେ ଅସୁବିଧା ହେବନାହିଁ ବୋଲି ଶ୍ରୀ ଦାସ ଦୃଢୋକ୍ତି ପ୍ରକାଶ କରିଛନ୍ତି। ଅନ୍ୟ ପକ୍ଷରେ ବିଜେଡି ଓ ବିଜେପି କାହାକୁ ପ୍ରାର୍ଥୀ କରିବେ ସେ ନେଇ ଦ୍ବନ୍ଦ୍ବରେ ଅଛନ୍ତି। ଆହୁରି ମଧ୍ୟ ନୂଆପଡା ବିଧାନସଭା ଖଣ୍ଡ ପିସିସି ସଭାପତିଙ୍କ ଲୋକସଭା କ୍ଷେତ୍ର କଳାହାଣ୍ଡିର ଅଂଶବିଶେଷ ହୋଇଥିବାରୁ କଂଗ୍ରେସ ପ୍ରଚାର ଦୃଷ୍ଟିରୁ ଆଗୁଆ ଥିବା ସ୍ପଷ୍ଟ ହୋଇଛି। ଶ୍ରୀ ଦାସ ଗତ ସୋମବାରଠାରୁ ନୂଆପଡ଼ାରେ ୪ ଦିନ ପାଇଁ ଡେରା ପକାଇ ଅଛନ୍ତି । ପ୍ରଥମ ଦିନର ରାଲିରେ ସହସ୍ର ସଂଖ୍ୟାରେ କର୍ମୀମାନେ ଯୋଗଦେବା କଥା ଦଳରେ ଉତ୍ସାହକୁ ପ୍ରମାଣ କରୁଥିବା ସେ କହିଛନ୍ତି।














