ଏମ୍ସ କର୍ମଚାରୀଙ୍କୁ ଗୁଳି କରି ହତ୍ୟା
ପଥରରେ ଛେଚି ଯୁବକଙ୍କୁ ହତ୍ୟା
ଭୁବନେଶ୍ବର: ପୁଣି ରକ୍ତରଞ୍ଜିତ ହେଲା ରାଜଧାନୀ। ଦିନକରେ ଗଡ଼ିଲା ୨ ମୁଣ୍ଡ। ଖଣ୍ଡଗିରି ଥାନା ସରକନ୍ତରାରେ ଆଜି ସକାଳେ ଗୁଳିକାଣ୍ଡରରେ ଜଣେ ଏମ୍ସ କର୍ମଚାରୀଙ୍କ ଜୀବନ ଯାଇଥିବାବେଳେ ଚନ୍ଦ୍ରଶେଖରପୁର ଚୁନୁକୋଳି ବସ୍ତିରେ ଗତକାଲି ରାତିରେ ଜଣକୁ ପଥରରେ ଛେଚି ହୋଇଛି ନିର୍ମମ ହତ୍ୟା। ଏମ୍ସରେ କାମ କରୁଥିବା ସୁଧାଂଶୁ ଖୁଣ୍ଟିଆଙ୍କ ଉପରେ ଦୁର୍ବୃତ୍ତ ଗୁଳିମାଡ଼ କରିଥିବା ଜଣାଯାଇଛି। ସ୍କୁଟିରେ ଦୁର୍ବୃତ୍ତ ଆସି ଗୁଳି ମାରିଛି । ଏସବୁ ଭିତରେ ଆଜି ସକାଳେ ରେଳ ଷ୍ଟେସନ ପାଖରେ ଜଣେ ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ଶିକ୍ଷକଙ୍କୁ ରକ୍ତାକ୍ତ ଆକ୍ରମଣ କରି ମୋବାଇଲ୍ ଲୁଟି ନେଇଛନ୍ତି ଦୁର୍ବୃତ୍ତ।
ସମୟ- ସକାଳ ପ୍ରାୟ ସାଢ଼େ ୯ଟା, ଖଣ୍ଡଗିରି ଥାନା ସରକନ୍ତରାରେ ଗାଁରେ ଗର୍ଜିଥିଲା ବନ୍ଧୁକ। ଏମ୍ସ ମେଡିକାଲରେ କାର୍ଯ୍ୟରତ ଲାବ୍ ଆସିଷ୍ଟାଣ୍ଟ ସୁଧାଂଶୁ ଖୁଣ୍ଟିଆ ଓରଫ ରବିଙ୍କ ଉପରକୁ ଦୁବୃର୍ତ୍ତ କରିଥିଲେ ୪ ରାଉଣ୍ଡ ଫାୟାରିଂ। ସେଇ ଗୁଳିକାଣ୍ଡ ସ୍ଥଳରେ ହିଁ ଟଳି ପଡ଼ିଥିଲେ ସୁଧାଂଶୁ। ଜମିବାଡ଼ି ବିବାଦରୁ ଏହି ଗୁଳିକାଣ୍ଡ ହୋଇଥିବା ଜାଣିବାକୁ ପାଇଛି ପୋଲିସ । ସାଇଣ୍ଟିଫିକ ଟିମ ସହ ଖଣ୍ଡଗିରି ପୋଲିସ ଘଟଣାସ୍ଥଳରେ ପହଞ୍ଚି ତନାଘନା ଚଳାଇଛି। ଗୁଳିକାଣ୍ଡସ୍ଥଳରୁ ୩ଟି ଖୋକା ସହ ଗୋଟିଏ ଜୀବନ୍ତ ଗୁଳି ବି ସିଜ୍ କରିଛି। ହତ୍ୟାକାରୀଙ୍କୁ ଧରିବାକୁ ଆଖପାଖରେ ଲାଗିଥିବା ସିସିଟିଭି ଫୁଟେଜ୍ ଯାଞ୍ଚ ସହ ଚଢାଉ ବି ଚଳାଇଛି। ଏଥିସହ ୩ ଜଣଙ୍କୁ ସନ୍ଦେହରେ ଅଟକ ରଖି ଘାଣ୍ଟୁଛି। ସେପଟେ ଗୁଳିକାଣ୍ଡ ଘଟଣା ପରେ ସରକନ୍ତରାରେ ଦେଖା ଦେଇଥିଲେ ଉତ୍ତେଜନା। ମୃତ ସୁଧାଂଶୁଙ୍କ ସମ୍ପର୍କୀୟଙ୍କ ଆକ୍ରମଣରେ ବି ଏକାଧିକ ଲୋକ ଆହତ ହୋଇଥିବାର ସୂଚନା ମିଳିଛି।
ଚନ୍ଦ୍ରଶେଖରପୁର ଥାନା ଚୁନୁକୁଳି ବସ୍ତି ପାଖରେ କାଲି ବିଳମ୍ବିତ ରାତିରେ ଘଟିଛି ଏକ ବୀଭତ୍ସ ହତ୍ୟା। ପଥରରେ ଛେଚି ଜଣଙ୍କୁ ମାରିଛନ୍ତି ଦୁର୍ବୁର୍ତ୍ତ। ଖବର ପାଇ ସ୍ଥାନୀୟ ପୋଲିସ ଓ ସାଇଣ୍ଟିଫିକ ଟିମ୍ ସରଜମିନ ଯାଞ୍ଚ କରିଛି। ମୃତକ ଜଣଙ୍କ ଦିନ ମଜୁରିଆ ହୋଇଥିବାବେଳେ ନିଶାସକ୍ତ ଅବସ୍ଥାରେ ତାଙ୍କୁ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି। ଗୋଟିଏ ପଟେ କ୍ୟାପିଟାଲରେ ଡବଲମର୍ଡରକୁ ନେଇ କମିଶନରେଟ୍ ପୋଲିସ୍ ବ୍ୟାକଫୁଟ୍ ରେ ଥିବାବେଳେ ଅନ୍ୟପଟେ ମୁଣ୍ଡବ୍ୟଥା ବଢ଼ାଇଛନ୍ତି ଛିନତାଇ ଗ୍ୟାଙ୍ଗ। ଆଜି ଭୁବନେଶ୍ୱର ରେଳଷ୍ଟେସନର ୬ ନମ୍ବର ପ୍ଲାଟଫର୍ମ ବାହାରେ ଲୁଟ୍ ପାଇଁ ହୋଇଛି ଜଣେ ରାଷ୍ଟ୍ରପତି ସମ୍ମାନ ପ୍ରାପ୍ତ ଶିକ୍ଷକଙ୍କୁ ରକ୍ତାକ୍ତ ଆକ୍ରମଣ। ଆକ୍ରମଣର ଶିକାର ଦ୍ବିତୀ ଚନ୍ଦ୍ର ସାହୁଙ୍କଠାରୁ ମୋବାଇଲ ଛଡାଇ ନେଇଛନ୍ତି ଦୁର୍ବୃତ୍ତ। ପୋଲିସ କମିଶନର କହିଛନ୍ତି-ଚନ୍ଦ୍ରଶେଖରପୁରରେ ହତ୍ୟାର କାରଣ ଖୋଜା ଚାଲିଛି।














