ନୂଆପଡ଼ା: ବିଜେପିର ବଡ଼ ଶକ୍ତି ପ୍ରଦର୍ଶନ । ନୂଆପଡା ରଣରେ ଦମ ଦେଖାଇଲା ବିଜେପି । ବିଜୟ ସଂକଳ୍ପ ସମାବେଶରେ ନବୀନଙ୍କୁ ନିଶାନା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ମୁଖ୍ୟମନ୍ତ୍ରୀ କହିଛନ୍ତି, “ବିଜେଡି ନେତା ଜୟ ଢୋଲକିଆଙ୍କ ଚରିତ୍ର ସଂହାର କରି ଜୟଙ୍କ ଦେହରେ ରାଜୁ ଢୋଲକିଆଙ୍କ ରକ୍ତ ନାହିଁ ବୋଲି କହିଲେ । କିନ୍ତୁ ସବୁ ଶୁଣି ଚୁପ୍ ରହିଲେ ନବୀନ ।” ସେହିପରି ବିଜେଡି ଶାସନ ବେଳେ ହୋଇଥିବା ଉପନିର୍ବାଚନ ଗୁଡ଼ିକରେ ନବୀନ କିଭଳି ଦାୟିତ୍ଵ ନେବି ବୋଲି କହି ପରେ ନିଜ ପ୍ରତିଶ୍ରୁତିକୁ ଭୁଲି ଯାଉଥିଲେ ତା’ର ବି ହିସାବ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ।
ସେ କହିଛନ୍ତି, ନୂଆପଡ଼ା ବିକାଶ ଦାୟିତ୍ୱ ମୋର, କଥା ଦେଇ କଥା ରଖିବୁ। ନୂଆପଡ଼ା ଇତିହାସରେ ନୂଆ ଫର୍ଦ୍ଦ ଯୋଡ଼ି ହେବାକୁ ଯାଉଛି। ଏବେଠାରୁ ନୂଆପଡ଼ାବାସୀ ଡବଲ ଇଞ୍ଜିନ ସରକାରର ବିକାଶ ଦେଖିବେ। ପୂର୍ବ ସରକାରରେ ମୁଖ୍ୟମନ୍ତ୍ରୀ ଉପନିର୍ବାଚନ ବେଳେ କଥା ଦେଇ ରଖୁ ନ ଥିଲେ। ମାତ୍ର ମୁଁ ଏହା ଭିତରେ ନୂଆପଡ଼ା ପାଇଁ ୧୧ ଶହ କୋଟିର ପ୍ରକଳ୍ପ ଘୋଷଣା କରିଛି। ଜୟଙ୍କ ପ୍ରତି ବିଜେଡି ନେତାଙ୍କ ବ୍ୟକ୍ତିଗତ ଆରୋପ ଗ୍ରହଣୀୟ ନୁହେଁ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ସେ କହିଛନ୍ତି, ନବୀନ ବାବୁ ଏପରି ଘୃଣ୍ୟ ଟିପ୍ପଣୀକୁ ନିନ୍ଦା ନ କରିବା ଦୁର୍ଭାଗ୍ୟଜନକ। ନୂଆପଡ଼ାବାସୀ ଏହି ଘୃଣ୍ୟ ମନ୍ତବ୍ୟର ଉପଯୁକ୍ତ ଜବାବ ଦେବେ। ବିଜେଡିକୁ ଜିଲା ଭିତରେ ପ୍ରାର୍ଥୀ ମିଳିଲା ନାହିଁ, ବାହାର ଜିଲାରୁ ଆଣିଲେ। ବାହାର ପ୍ରାର୍ଥୀଙ୍କୁ ନୂଆପଡ଼ାବାସୀ କେବେ ଗ୍ରହଣ କରିବେ ନାହିଁ। କଂଗ୍ରେସ, ବିଜେଡି ଗୋଟିଏ ରାସ୍ତାରେ ଅଗ୍ରସର ହେଉଛନ୍ତି। ଏଥର ନୂଆପଡ଼ାରେ ଭାଜପାର ଏକପାଖିଆ ବିଜୟ ହେବ ବୋଲି ମୁଖ୍ୟମନ୍ତ୍ରୀ ଦୃଢ଼ତାର ସହ କହିଛନ୍ତି।
ଆମେ ସେବା କରିବାକୁ ଆସିଛୁ। ସେବା ପାଇଁ କେତେ ବର୍ଷ ଦରକାର। ବିଜେଡ଼ି ଏବଂ କଂଗ୍ରେସ ବର୍ଷ ବର୍ଷ ଧରି କ୍ଷମତାରେ ରହି କିଛି କରି ନାହାନ୍ତି। ଏନେଇ ବିଜେପିକୁ ଆପଣଙ୍କ ସହଯୋଗ ଆବଶ୍ୟକ। ବିଜେପିର ବିଜୟ ନିଶ୍ଚିତ ହୋଇ ସାରିଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ରାଜେନ୍ଦତ୍ର ଢ଼ୋଲକିଆଙ୍କ ଅଧୁରା କାମ ତାଙ୍କ ପୁଅ ଜୟ ଢ଼ୋଲକିଆ କରିବେ। ସେ ନୂଆପଡ଼ାର ବିକାଶ କାର୍ଯ୍ୟ କରିବେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।
ମାନନୀୟ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ନୂଆପଡ଼ା ଜିଲ୍ଲା ଏୟାରଷ୍ଟ୍ରିପ ଗ୍ରାଉଣ୍ଡ ନିକଟରେ ଆୟୋଜିତ ବିଜୟ ସଂକଳ୍ପ ସମାବେଶରେ ଯୋଗ ଦେଇଛନ୍ତି । ଆୟୋଜିତ ଏହି ସମାବେଶରେ ମାନନୀୟ ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ, ଉପମୁଖ୍ୟମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂ ଦେଓ, ରାଜ୍ୟ ପ୍ରଭାରୀ ଶ୍ରୀ ବିଜୟପାଲ ସିଂ ତୋମାର, ମନ୍ତ୍ରୀ ମଣ୍ଡଳର ସଦସ୍ୟଗଣ, ସାଂସଦଗଣ, ବିଧାୟକଗଣ, ଜିଲ୍ଲା ସଭାପତି ଶ୍ରୀ କମଳେଶ ଦୀକ୍ଷିତ, ମାନ୍ୟବର ପୂର୍ବତନ ସାଂସଦ ଶ୍ରୀ ବସନ୍ତ ପଣ୍ଡା, ମାନ୍ୟବର ବିଜେପି ପ୍ରାର୍ଥୀ ଶ୍ରୀ ଜୟ ଢୋଲକିଆ, ବିଜେପି ନେତା ଶ୍ରୀ ଅଭିନନ୍ଦନ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ।














