ବ୍ରହ୍ମପୁର: ବହୁ ଚର୍ଚ୍ଚିତ ପୀତବାସ ପଣ୍ଡା ହତ୍ୟା ମାମଲାର ପର୍ଦ୍ଦାଫାସ ହୋଇଛି। ବିଜେଡିର ପୂର୍ବତନ ବିଧାୟକ ବିକ୍ରମ ପଣ୍ଡାଙ୍କ ସେମତ ୧୨ ଜଣଙ୍କୁ ଗିରଫ କରିଛି ବ୍ରହ୍ମପୁର ପୁଲିସ। ଗିରଫ ଅଭିଯୁକ୍ତଙ୍କ ମଧ୍ୟରେ ପୂର୍ବତନ ମେୟର ଶିବ ଶଙ୍କର ଦାସ (ପିଣ୍ଟୁ) ଓ କର୍ପୋରେଟର ମଳୟ ବିଷୋୟୀ ମଧ୍ୟ ରହିଛନ୍ତି। ସେହିପରି ବିକ୍ରମଙ୍କ ନିକଟତମ ସହଯୋଗୀ ମଦନ ଦଳେଇଙ୍କୁ ବି ଗିରଫ କରିଛି ପୁଲିସ। ସେମାନଙ୍କ ସହିତ ୨ ଶାର୍ପ ଶୁଟର, ଜଣେ ସ୍ଥାନୀୟ ଶୁଟର ଓ ରେକି କରୁଥିବା ବ୍ୟକ୍ତି ଗିରଫ ହୋଇଛନ୍ତି। ଆଉ ୩ ଜଣ ଫେରାର ଅଛନ୍ତି। ବ୍ୟକ୍ତିଗତ, ଆର୍ଥିକ ଓ ରାଜନୀତିକ କାରଣ ପାଇଁ ପୀତବାସ ପଣ୍ଡାଙ୍କୁ ହତ୍ୟା କରାଯାଇଛି ବୋଲି ବ୍ରହ୍ମପୁର ପୁଲିସ କହିଛି। ପୀତବାସ ହତ୍ୟାକାଣ୍ଡ ମାମଲାରେ ପୋଲିସ ବିଳମ୍ବିତ ରାତିରେ ବିଜେଡି ନେତା ବିକ୍ରମ ପଣ୍ଡାଙ୍କୁ ଅଟକ ରଖିବା ଘଟଣାକୁ ନେଇ ବ୍ରହ୍ମପୁରରେ ଉତ୍ତେଜନା ଦେଖାଦେଇଛି। ବିକ୍ରମ ପଣ୍ଡାଙ୍କୁ ଅଟକ ରଖାଯିବା ପ୍ରତିବାଦରେ ବିଜେଡି କର୍ମୀମାନେ ବ୍ରହ୍ମପୁର ଏସ୍ପିଙ୍କ କାର୍ଯ୍ୟାଳୟ ଘେରାଉ କରିବାକୁ ଉଦ୍ୟମ କରିଥିଲେ। ଆଇନ ଶୃଙ୍ଖଳା ପରିସ୍ଥିତିକୁ ଦୃଷ୍ଟିରେ ରଖି ଏସ୍ପି ଅଫିସ୍ ଚାରିପାଖରେ ବ୍ୟାପକ ପୋଲିସ ଫୋର୍ସ ମୁତୟନ କରାଯାଇଛି। ପୋଲିସ ବିଳମ୍ବିତ ରାତିରୁ ବିକ୍ରମ ପଣ୍ଡାଙ୍କୁ ଉଠାଇ ନେଇ ଅଟକ ରଖିଥିବା ଜଣାପଡ଼ିଛି। ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ରାଜନୈତିକ ଉଷ୍ମତା ବଢ଼ିଛି।
ବ୍ରହ୍ମପୁର ଏସ୍ପି କହିଛନ୍ତି ଯେ ପୂର୍ବତନ ବିଧାୟକ ବିକ୍ରମ ପଣ୍ଡା ଅପରାଧିକ ଷଡ଼ଯନ୍ତ୍ରରେ ସାମିଲ ଥିବାର ପ୍ରମାଣ ମିଳିଛି। କର୍ପୋରେଟର ମଳୟ ବିଷୋୟୀ ଓ ବିକ୍ରମଙ୍କ ନିକଟତମ ସହଯୋଗୀ ମଦନ ଦଳେଇ ପୂରା ଷଡ଼ଯନ୍ତ୍ର କରିଥିଲେ। ସେମାନଙ୍କ ଜରିଆରେ ବିକ୍ରମ ପଣ୍ଡା ଓ ପିଣ୍ଟୁ ଦାସ ଏହି ଷଡ଼ଯନ୍ତ୍ର କରିଥିଲେ। ବିକ୍ରମ ପଣ୍ଡା ଓ ପିଣ୍ଟୁ ଦାସଙ୍କ ଠାରୁ ୫୦ ଲକ୍ଷ ଆଣିବାର ବ୍ୟବସ୍ଥା ହୋଇଥିଲା। ଉମା ବିଷୋୟୀ ପାଖରେ ସବୁ ଡିଲ୍ ଟଙ୍କା ରହିଛି। ଶାର୍ପ ଶୁଟର ୧୦ ଲକ୍ଷ ଟଙ୍କା ଅଗ୍ରୀମ ନେଇଥିଲା। ପିଣ୍ଟୁ ଦାସଙ୍କ ନାଁରେ ୩୮ଟି ମାମଲା ରହିଛି।
ଏସ୍ପିଙ୍କ ସୂଚନା ଅନୁଯାୟୀ, ଗତ ସେପ୍ଟେମ୍ବର ୧୦ରୁ ୧୪ ଭିତରେ ହତ୍ୟା ଯୋଜନା ହୋଇଥିଲା। ଆଣ୍ଟି ସୋସିଆଲ ଉମା ବିଷୋୟୀ ବିହାରରୁ ଶୁଟରଙ୍କୁ ଡକାଇଥିଲା। ଶୂନ୍ୟ ଚନ୍ଦ୍ର ଦାସଙ୍କ ଘରେ ଭଡ଼ାରେ ରହିଥିଲେ ବିହାରରୁ ଆସିଥିବା ଶୁଟର। ମଳୟ ବିଷୋୟୀ ସେମାନଙ୍କୁ ଶୂନ୍ୟ ଚନ୍ଦ୍ର ଦାସଙ୍କ ଘରେ ରଖିଥିଲେ। ବିହାରରୁ ଆସିଥିବାରୁ ଶୁଟରମାନଙ୍କୁ ସନ୍ଦେହ କରିଥିଲେ ଶୂନ୍ୟ ଚନ୍ଦ୍ର ଦାସ। ତେବେ ବେଳେ ମଳୟ ବିଷୋୟୀ କହିଥିବାରୁ ଶୂନ୍ୟ ଚନ୍ଦ୍ର ଦାସ କିଛି କହିପାରି ନ ଥିଲେ। ମାତ୍ର ଶୂନ୍ୟଚନ୍ଦ୍ର ଦାସଙ୍କର ଏହି ହତ୍ୟାକାଣ୍ଡରେ କୌଣସି ସମ୍ପୃକ୍ତି ନାହିଁ।
ବିହାରରୁ ଆସିଥିବା ଶୁଟର ପତ୍ନୀଙ୍କ ଦେହ ଖରାପ ପାଇଁ ଫେରିଯାଇଥିଲେ। ତେଣୁ ସେପ୍ଟେମ୍ବର ୧୦ରୁ ୧୪ ମଧ୍ୟରେ ଷଡ଼ଯନ୍ତ୍ର କାର୍ଯ୍ୟକାରୀ ହୋଇପାରି ନ ଥିଲା। ଏହା ପରେ ସ୍ଥାନୀୟ ଶୁଟରଙ୍କୁ ଏହି କାର୍ଯ୍ୟରେ ନିୟୋଜିତ କରାଯାଇଥିଲା। ପୀତବାସ ପଣ୍ଡାଙ୍କ ଘର ପାଖରେ ଭଡ଼ାରେ ଆସି ରହିଥିଲେ ଶୁଟର। ପ୍ରଥମ ଉଦ୍ୟମ ବିଫଳ ହେବା ପରେ ପୀତବାସ ପଣ୍ଡାଙ୍କ ଘରଠାରୁ ମାତ୍ର ୨ ଶହ ମିଟର ଦୂରରେ ରହିଥିଲେ ଶୁଟର। ସବୁ ରେକି କରିବା ପରେ ଅକ୍ଟୋବର ୬ରେ ଯୋଜନାକୁ କାର୍ଯ୍ୟକାରୀ କରିଥିଲେ।
ଚିଣ୍ଟୁ ପ୍ରଧାନ ବେଙ୍ଗାଲୁରୁରୁ ଆସିଥିଲେ। ତା’ ସହିତ ଯୋଡ଼ି ହୋଇଥିଲା କୁରୁପତି ଭୂୟାଁ। ଘଟଣା ଦିନ ନୂଆ ଡ୍ରେସ ଓ ନୂଆ ଜୋତା ପିନ୍ଧି ସେମାନେ ବାଇକ୍ରେ ଆସିଥିଲେ। ପୀତବାସଙ୍କୁ ଅଟକାଇ ନମସ୍କାର ହୋଇଥିଲେ ଓ ଏହାପରେ ଗୁଳି ଚଳାଇଥିଲେ। ଚିଣ୍ଟୁ ପ୍ରଧାନ ଗାଡ଼ି ଡ୍ରାଇଭ୍ କରିଥିଲେ ଓ କୁରୁପତି ଗୁଳି ଚଳାଇଥିଲେ। ଗୁଳି କରିବା ପରେ ଖସି ଯାଇ ଶୀତଳାପଲ୍ଲୀରେ ଡ୍ରେସ୍ ବଦଳାଇଥିଲେ। ସେଠାରୁ ପୁରୁଷୋତ୍ତମପୁର ଦେଇ ରାମେଶ୍ୱରମରେ ପହଞ୍ଚିଥିଲେ। ରାମେଶ୍ୱରମରେ ଗାଡ଼ି ଛାଡ଼ି ପୁରୀ ପଳାଇଯାଇଥିଲେ। ପୁରୀରୁ ଜୟପୁର ଯାଇ ବିକ୍ରମ ପଣ୍ଡାଙ୍କ ବିଶ୍ୱସ୍ତ ସୁନୀଲ ହୋତାଙ୍କ ଘରେ ରହିଥିଲେ। ସେଠାରୁ ଚିଣ୍ଟୁ ପ୍ରଧାନ ବେଙ୍ଗାଲୁରୁ ଖସି ଯିବାରେ ସମର୍ଥ ହୋଇଥିଲେ।
ଉମା ବିଷୋୟୀ ବନ୍ଧୁକ ଓ ଗୁଳି ଦେବା ସହିତ ଅପରାଧୀଙ୍କୁ ପୂରା ସହଯୋଗ କରିଥିଲେ ବୋଲି କହିଛନ୍ତି ବ୍ରହ୍ମପୁର ଏସ୍ପି। ତାକୁ ଗିରଫ ଉଦ୍ୟମ ଜାରି ରହିଛି। ଆଉ ଯାହାର ସମ୍ପୃକ୍ତି ମିଳିବ ଧରାଯିବ ବୋଲତ ଏସ୍ପି କହିଛନ୍ତି। ସୀମାଞ୍ଚଳ ନାୟକ ଓ ସୁଦର୍ଶନ ଜେନାଙ୍କୁ ମଧ୍ୟ ଖୋଜୁଛୁ ବୋଲି ଏସ୍ପି କହିଛନ୍ତି। ଅନ୍ୟପକ୍ଷରେ ପୀତବାସ ପଣ୍ଡା ହତ୍ୟା ମାମଲାରେ ବିକ୍ରମ ପଣ୍ଡାଙ୍କର ସମ୍ପୃକ୍ତି ନାହିଁ ବୋଲି କହିଛି ବିଜେଡି। ଏକ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରି ପ୍ରମିଳା ମଲ୍ଲିକ ଓ ଭୃଗୁ ବକ୍ସପାତ୍ର କହିଛନ୍ତି ଯେ ନୂଆପଡ଼ା ଉପନିର୍ବାଚନକୁ ଦେଖି ସରକାର ନୂଆ ଚକ୍ରାନ୍ତ କରିଛନ୍ତି। ବିଜେଡିକୁ ବଦନାମ ପାଇଁ ଏସ୍ପିଙ୍କ ଜରିଆରେ ଉଦ୍ୟମ କରାଯାଇଛି। ଜିଲ୍ଲାର ମନ୍ତ୍ରୀ ବିଭୂତି ଜେନାଙ୍କୁ ବଞ୍ଚାଇବା ପାଇଁ ଷଡ଼ଯନ୍ତ୍ର ହୋଇଛି। ବିକ୍ରମ ପଣ୍ଡାଙ୍କ ରାଜନୀତିକ କ୍ୟାରିୟରକୁ ନଷ୍ଟ ଉଦ୍ୟମ ହୋଇଛି।














