ଡାଲି ଜାତୀୟ ଫସଲରେ ଓଡ଼ିଶାକୁ “ବିହନ ହବ୍”ରେ ପରିଣତ କରିବକୁ ଉପମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ବ
ଭୁବନେଶ୍ୱର : ଚଳିତବର୍ଷ ସରକାର ପ୍ରାୟ ୫୦ ହଜାରରୁ ଉର୍ଦ୍ଧ୍ବ ଏକର ଚାଷଜମିରେ ଆଳୁଚାଷ କରିବା ପାଇଁ ଯୋଜନା କରିଛନ୍ତି । ଆଳୁ ଉତ୍ପାଦନରେ ଓଡ଼ିଶାକୁ ଆତ୍ମନିର୍ଭର କରିବା ଅଭିଯାନରେ ଏହି ପଦକ୍ଷେପ ଗ୍ରହଣ କରାଯାଇଛି । ଆଜି ଲୋକସେବା ଭବନରେ ଏହି ବିଷୟରେ ଏକ ଉଚ୍ଚସ୍ତରୀୟ ବୈଠକ ଉପମୁଖ୍ୟମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ କୃଷି ବିଭାଗ ପ୍ରମୁଖ ଶାସନ ସଚିବ ଡ଼ ଅରବିନ୍ଦ କୁମାର ପାଢ଼ୀ, କୃଷି ନିର୍ଦ୍ଦେଶକ ଶ୍ରୀ ଶୁଭମ ସକ୍ସେନା, ଉଦ୍ୟାନ କୃଷି ନିର୍ଦ୍ଦେଶକ ଶ୍ରୀ କାଲୁଙ୍ଗେ ଗୋରଖ ୱାମନ ମଧ୍ୟ ଉପସ୍ଥିତ ଥିଲେ ।
ଓଡିଶାକୁ ଆଳୁରେ ଆତ୍ମନିର୍ଭର କରିବା ଅଭିଯାନରେ ଚଳିତବର୍ଷ ଚାଷୀଙ୍କୁ ଆଗୁଆ ଆଳୁ ବିହନ ଯୋଗାଇ ଦେବା ପାଇଁ ଉପମୁଖ୍ୟମନ୍ତ୍ରୀ ଶ୍ରୀ ସିଂହଦେଓ ନିର୍ଦ୍ଦେଶ ଦେଇଛନ୍ତି । ୫୦ ହଜାରରୁ ଉର୍ଦ୍ଧ୍ବ ଏକର ଜମିରେ ପ୍ରାୟ ୩ ଲକ୍ଷ କୁଇଣ୍ଟାଲ ପାଖାପାଖି ଆଳୁ ବିହନ ଆବଶ୍ୟକ ହୋଇଥାଏ ଏବଂ ଏହା ଚାଷୀଙ୍କୁ ଆବଶ୍ୟକ ଅନୁଯାୟୀ ଆଗୁଆ ବିଭାଗ ପକ୍ଷରୁ ଯୋଗାଇ ଦିଆଯିବ । ରାଜ୍ୟର ସମସ୍ତ ଜିଲ୍ଲାକୁ ସେମାନଙ୍କ ଆବଶ୍ୟକ ଅନୁଯାୟୀ ବିହନ ପରିମାଣର ତଥ୍ୟ କୃଷି ବିଭାଗକୁ ପ୍ରେରଣ କରିବା ନିମନ୍ତେ କୁହାଯାଇଛି । ନଭେମ୍ବର ମାସ ପ୍ରଥମ ସପ୍ତାହରୁ ଆଳୁ ବିହନ ଯୋଗାଣ ପାଇଁ ବିଭାଗ ପକ୍ଷରୁ ପ୍ରସ୍ତୁତି କରାଯାଇଛି ।ଆବଶ୍ୟକ ମୁତାବକ ବ୍ଲକ ଅନୁଯାୟୀ ଏହାର ଯୋଗାଣ କରାଯିବ । ଏହାବ୍ୟତୀତ, ପ୍ରାୟ ୬୦୦୦ ହେକ୍ଟର ଜମିରେ ୬୦୦ କୁଇଣ୍ଟାଲ ପିଆଜ ଚାଷ, ୧୦୦୦ ହେକ୍ଟର ଜମିରେ ୧୦୦ କୁଇଣ୍ଟାଲ ଲଙ୍କା, ୩୦୦ ହେକ୍ଟର ଜମିରେ ୭୫୦୦ କୁଇଣ୍ଟାଲ ରସୁଣ ବିହନ ଚାଷ ପାଇଁ ଯୋଜନା ରହିଛି । ଯେଉଁଠି ବି ଅଧିକା ବିହନ ଆବଶ୍ୟକ କିମ୍ବା ବିହନ ଅଭାବ ଦେଖାଦେବ କୃଷି ବିଭାଗ ପକ୍ଷରୁ ଜାରି କରାଯାଇଥିବା ନମ୍ବର ୧୫୫୩୩୩ ରେ ଯୋଗାଯୋଗ କିମ୍ବା ନିକଟସ୍ଥ ଉଦ୍ୟାନ କୃଷି ଅଧିକାରୀଙ୍କୁ ଯୋଗାଯୋଗ କରିବାପାଇଁ ଅନୁରୋଧ କରାଯାଇଛି । ବୈଠକରେ କୃଷି ବିଭାଗ, ଉଦ୍ୟାନ କୃଷି ଅଧିକାରୀ ତଥା ଓଡ଼ିଶା ବିହନ ନିଗମ ଅଧିକାରୀବୃନ୍ଦ ଉପସ୍ଥିତ ଥିଲେ ।
ସେହିପରି ଡାଲି ଜାତୀୟ ଫସଲରେ ଆତ୍ମନିର୍ଭର ହେବା ଆହ୍ୱାନରେ ଅନୁପ୍ରାଣିତ ହୋଇ ଡାଲି କ୍ଷେତ୍ରରେ ଆତ୍ମନିର୍ଭରଶୀଳ ହେବା ପାଇଁ ଓଡ଼ିଶା କ୍ଲଷ୍ଟର ପଦ୍ଧତି ମାଧ୍ୟମରେ ରାଜ୍ୟରେ ହରଡ଼, କଳା ଚଣା ଏବଂ ଅନ୍ୟାନ୍ୟ ଡାଲି ଜାତୀୟ ଫସଲ ଚାଷକୁ ପ୍ରୋତ୍ସାହିତ କରିବାକୁ ନିଷ୍ପତ୍ତି ନେଇଛି। ମାନ୍ୟବର ଉପମୁଖ୍ୟମନ୍ତ୍ରୀ ଉପରୋକ୍ତ ବିକଶିତ ହରଡ଼ କିସମ ସହିତ ଡଙ୍ଗରରାଣୀ ଏବଂ କାନ୍ଦୁଲ ଭଳି ପାରମ୍ପରିକ କିସମ ମଧ୍ୟ ଚାଷ କରିବାକୁ ପରାମର୍ଶ ଦେଇଛନ୍ତି, ଯାହା ଏବେ ଓଡ଼ିଶା ରାଜ୍ୟ ବିହନ ନିଗମ ଲିମିଟେଡ୍ ଦ୍ୱାରା ବିଲୁପ୍ତ ପ୍ରାୟ କିସମ ବର୍ଗରେ ଆସୁଅଛି। ଡାଲିରେ ଆତ୍ମନିର୍ଭର ଅଧୀନରେ ଓଡ଼ିଶା ଏକ “ବିହନ କେନ୍ଦ୍ର” ହେବା ଉଚିତ ବୋଲି ଉପମୁଖ୍ୟମନ୍ତ୍ରୀ ଶ୍ରୀ ସିଂହଦେଓ କହିଛନ୍ତି।














