୩୦ ତାରିଖ ଯାଏ ୮ ଜିଲ୍ଲାର ସମସ୍ତ ସ୍କୁଲ ଓ ଅଙ୍ଗନବାଡ଼ି ବନ୍ଦ
ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ସାମୁଦ୍ରିକ ବାତ୍ୟା ବଳ ଗୋଟାଇ ଉପକୂଳ ଆଡକୁ ମାଡ଼ି ଆସୁଛି ବାତ୍ୟା ମୋନ୍ଥା। ଆସନ୍ତାକାଲି ସକାଳୁ ନେବ ଭୀଷଣ ବାତ୍ୟାର ରୂପ । ଆନ୍ଧ୍ରପ୍ରଦେଶ କାକିନାଡ଼ା ପାଖାପାଖିରେ ବାତ୍ୟା ଲ୍ୟାଣ୍ଡଫଲ କରିବ । ୨୯ ତାରିଖ ଭୋରରେ ବାତ୍ୟା ରୂପରେ ଓଡ଼ିଶା ଦେଇ ଗତି କରିବ । ବାତ୍ୟା ଅତିକ୍ରମ କଲାବେଳେ ଏହାର ପ୍ରଭାବ ଓଡିଶା ଉପରେ ପଡିବ । ଦକ୍ଷିଣ ଓଡିଶାରେ ଏହାର ପ୍ରଭାବ ଅଧିକ ରହିବ । କୋରାପୁଟ , ମାଲକାନଗିରି , ନବରଙ୍ଗପୁର ଦେଇ ଗତି କରିବ ମୋନ୍ଥା । ଏହି ସମୟରେ ପବନର ବେଗ ୬୦ରୁ ୭୦ କିମି ରହିବ । ଅତି ବେଶୀରେ ପବନର ବେଗ ୮୦ କିମି ରହିବ । ଛତିଶଗଡ଼ରେ ପହଞ୍ଚିଲା ବେଳକୁ ଅବପାତ ହୋଇ ଦୁର୍ବଳ ହେବ ବୋଲି ଆଇଏମ୍ଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର ସୂଚନା ଦେଇଛନ୍ତି ।
ଏହା ପୂର୍ବରୁ ଆନ୍ଧ୍ରପ୍ରଦେଶ ଓ ଓଡ଼ିଶାରେ ବାତ୍ୟାର ପ୍ରଭାବ ଦେଖିବାକୁ ମିଳିଛି । କାକିନାଡ଼ା ଅଞ୍ଚଳରେ ପ୍ରବଳ ବର୍ଷା ସହ ପବନ ଆରମ୍ଭ ହୋଇଛି । ଆସନ୍ତାକାଲି ସକାଳୁ ପବନର ବେଗ ବଢିପାରେ ବୋଲି ପାଣିପାଗ ବିଭାଗ ଆକଳନ କରିଛି । ଏପଟେ ଓଡ଼ିଶାରେ ବି ମୋନ୍ଥାର ପ୍ରଭାବ ଦେଖିବାକୁ ମିଳିଲାଣି । ଓଡ଼ିଶାର କେତେକ ସ୍ଥାନରେ ବର୍ଷା ଆରମ୍ଭ ହୋଇଛି । ଓଡ଼ିଶା ପାଇଁ ସେଭଳି ପବନର ଭୟ ନଥିଲେ ମଧ୍ୟ ବର୍ଷାର ଭୟ ରହିଛି । ବାତ୍ୟା ଆନ୍ଧ୍ରପ୍ରଦେଶ ମୁହାଁ ହୋଇଥିଲେ ବି ବର୍ଷା ଯୋଗୁ ଓଡ଼ିଶା ପ୍ରଭାବିତ ହୋଇପାରେ । ତେଣୁ ପ୍ରଶାସନ ଓ ସରକାରଙ୍କ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଉଛି ।
ଦକ୍ଷିଣ ଓଡ଼ିଶାରେ ସମ୍ଭାବ୍ୟ ସାଇକ୍ଲୋନ ମୋନ୍ଥା ପ୍ରକୋପ ଦେଖାଇପାରେ । ୮ଟି ଜିଲ୍ଲାରେ ପ୍ରଭାବ ଦେଖାଇପାରେ। ଏଥିପାଇଁ ରେଡ୍ ଜୋନରେ ଅଛି ଦକ୍ଷିଣ ଓ ୮ ଜିଲ୍ଲା ମାଲକାନଗିରି, ନବରଙ୍ଗପୁର, କୋରାପୁଟ, ରାୟଗଡା, ଗଜପତି, କଳାହାଣ୍ଡି, କନ୍ଧମାଳ ଓ ଗଞ୍ଜାମ। ଏସବୁ ଜିଲାରେ ଭୀଷଣ ବର୍ଷା ପବନ ସମ୍ଭାବନା ରହିଛି। ସେପଟେ,ଆଇଏମ୍ଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର ବଡ଼ ସୂଚନା ଦେଇ କହିଛନ୍ତି, ଲ୍ୟାଣ୍ଡଫଲ ବେଳେ ଭୀଷଣ ବାତ୍ୟା, ଓଡ଼ିଶାରେ ପହଞ୍ଚିଲା ବେଳେ ଦୁର୍ବଳ ହୋଇଯିବ। ଦକ୍ଷିଣ ଓଡ଼ିଶା ଦେଇ ବାତ୍ୟା ଛତିଶଗଡ଼ ମୁହାଁ ହେବ। ମାଲକାନଗିରି, ଗଞ୍ଜାମ, ଗଜପତି, ରାୟଗଡ଼ା, କନ୍ଧମାଳ, କଳାହାଣ୍ଡି ଓ ନବରଙ୍ଗପୁରରେ ଏହାର ପ୍ରଭାବ ପଡ଼ିବ। ଓଡ଼ିଶାରେ ବାତ୍ୟା ଦୁର୍ବଳ ହେଉଥିବାରୁ ୬୦ରୁ ୭୦ କି.ମି. ପବନ’ ବହିବ। ୨୮ ରାତିରୁ ୨୯ ସକାଳ ଭିତରେ ବେଶୀ ପ୍ରଭାବ ରହିବ।
ରାଜ୍ୟ ସରକାର ବିଭିନ୍ନ ବିଭାଗକୁ ନେଇ ସତର୍କ କରାଇଛନ୍ତି। ସ୍ବତନ୍ତ୍ର ରିଲିଫ କମିସନର ପକ୍ଷରୁ ନେଇ ପ୍ରସ୍ତୁତି ଜାରି ରହିଛି। ସେହିପରି ଜଳ ସମ୍ପଦ ବିଭାଗ ମଧ୍ୟ ନିଜର ଅଧିକାରୀମାନଙ୍କୁ ସତର୍କ ଓ ପ୍ରସ୍ତୁତ ରହିବାକୁ କହିଛି। ସମ୍ଭାବ୍ୟ ବାତ୍ୟା ପାଇଁ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ସମୀକ୍ଷା କରିଛନ୍ତି। ଆଜି ସମସ୍ତ ସରକାରୀ କର୍ମଚାରୀ ଅଫିସରେ ରହିବେ। ଅଧିକାରୀଙ୍କ ଛୁଟି ବାତିଲ ନେଇ କାଲି ନିଷ୍ପତ୍ତି ହେବ। ରେଡ୍ ଜୋନ୍ରେ ଥିବା ୮ଟି ଜିଲ୍ଲାରେ ମୋଟ୍ ୧୨୮ଟି ଟିମ୍ ଓଡିଆରଏଫ୍, ଏନ୍ଡିଆରଏଫ୍ ଏବଂ ଅଗ୍ନିଶମ ବାହିନୀର ଟିମ୍ ନିୟୋଜିତ ହୋଇଛନ୍ତି। ଏଥିରୁ ମାଲକାନଗିରି ଓଡିଆରଏଫ୍ ୩ଟି, ଗୋଟିଏ ଏନଡିଆରଫି ଟିମ୍ ଏବଂ ୮ଟି ଅଗ୍ନିଶମ ବାହିନୀର ଟିମ୍ ସାମିଲ ରହିଛି। ସେହିପରି କୋରାପୁଟରେ ୧୮ ଟିମ୍, ନବରଂଗପୁରରେ ୧୩ଟି ଟିମ, ଗଜପତିରେ ୧୧ଟି ଟିମ, ଗଂଜାମରେ ୨୭ଟି ଟିମ, କନ୍ଧମାଳରେ ୧୬ଟି ଟିମ୍, କଳାହାଣ୍ଡିରେ ୧୬ଟିମ୍ ସାମିଲ ରହିଛି। ଆବଶ୍ୟକ ପଡ଼ିଲେ ଆହୁରି ଟିମ ଦିଆଯିବ। ବାତ୍ୟା ‘ମୋନ୍ଥା’ ପାଇଁ ୩୨ ଟ୍ରେନ ବାତିଲକରାଯାଇଛି। ୨୭ ଓ ୨୮ ଦୁଇ ଦିନ ପାଇଁ ବାତିଲ ହୋଇଛି। ୩୨ ଟ୍ରେନ୍ ବାତିଲ ଘୋଷଣା କଲା ପୂର୍ବତଟ ରେଳ ବିଭାଗ।
ସାମୁଦ୍ରିକ ବାତ୍ୟା ମୋନ୍ଥା ଆସୁଥିବା ବେଳେ ଗଜପତି ଜିଲ୍ଲାରେ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛି ପ୍ରଶାସନ । ଜଣେ ଗର୍ଭବତୀ ମହିଳାଙ୍କୁ ବୋଟ ସହାୟତାରେ ନଦୀ ପାର କରାଇ ମାଆ ଗୃହକୁ ଆଣିଲା ପ୍ରଶାସନ l ଗଜପତି ଜିଲ୍ଲା ଆର ଉଦୟଗିରି ବ୍ଲକ ପୁରୁଣାପାଣି ପଂଚାୟତର ବାଦପୁର୍ ଗାଁରେ ଦେଖିବାକୁ ମିଳିଛି ଏଭଳି ଘଟଣା । ସେପଟେ ବାତ୍ୟାକୁ ଲକ୍ଷ୍ୟ ରଖି ଆସନ୍ତା ୩ ଦିନ ଯାଏଁ ଗୋପାଳପୁରରେ ସବୁ ହୋଟେଲ ବନ୍ଦ ରହିବ । ନିର୍ଦ୍ଦେଶ ଦେଲେ ଗଞ୍ଜାମ ଜିଲ୍ଲାପାଳ । ସବୁ ବୁକିଂ, ସଂରକ୍ଷଣ ବାତିଲ ଲାଗି ନିର୍ଦ୍ଦେଶ । ୨୭ ରୁ ୨୯ ଯାଏଁ ବାତିଲ ହେଲା । ନିୟମ ନ ମାନିଲେ ବିପର୍ଯ୍ୟୟ ପରିଚାଳନା ଦଫା ଲାଗିବ । ଅନ୍ୟପଟେ ବାତ୍ୟା ମୋନ୍ଥା ପ୍ରଭାବ ପାଇଁ ୮ଟି ଟ୍ରେନ୍ ବାତିଲ । ଆଜି ଓ ଆସନ୍ତାକାଲି ପାଇଁ ଚଳାଚଳ ବନ୍ଦ । କୋଠାଭାଲସା–କିରାଣ୍ଡୁଲ ରେଳପଥରେ ଭୂସ୍ଖଳନ ଆଶଙ୍କା ଥିବାରୁ ଆଠଟି ଟ୍ରେନକୁ ବାତିଲ କରାଯାଇଛି।
ସ୍କୁଲ ଓ ଅଙ୍ଗନବାଡ଼ି ବନ୍ଦ
ଅନ୍ୟପଟେ ଆଜି ଠାରୁ ୩୦ ତାରିଖ ଯାଏ୍ଁ ୮ ଜିଲ୍ଲାର ସମସ୍ତ ସ୍କୁଲ ଓ ଅଙ୍ଗନବାଡ଼ି ବନ୍ଦ ରହିବ । ମାତ୍ର ଏହି ସବୁ ଜିଲ୍ଲାରେ କାର୍ଯ୍ୟରତ ସମସ୍ତ ସରକାରୀ ଅଧିକାରୀ ଓ କର୍ମଚାରୀଙ୍କ ଛୁଟିକୁ ବାତିଲ କରାଯାଇଛି । ଏହି ଜିଲ୍ଲାଗୁଡ଼ିକ ହେଲା କୋରାପୁଟ, ନବରଙ୍ଗପୁର, ମାଲକାନଗିରି, ଗଞ୍ଜାମ, ଗଜପତି, ରାୟଗଡ଼ା, କନ୍ଧମାଳ, କଳାହାଣ୍ଡି। ଏନେଇ ସ୍ବତନ୍ତ୍ର ରିଲିଫ୍ କମିସନର୍ ଦେଓରଂଜନ ସିଂହ ସୂଚନା ଦେଇଛନ୍ତି । ଏଣୁ ବର୍ଷା ସମୟରେ ଘରୁ ନ ବାହାରିବାକୁ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ଅନୁରୋଧ କରିଛନ୍ତି । ବାତ୍ୟା ମନ୍ଥା ପାଇଁ ୮ ଜିଲ୍ଲା ହେବ ପ୍ରଭାବିତ । ତେଣୁ ସେହିସବୁ ଜିଲ୍ଲାର ୩୦ ତାରିଖ ଯାଏଁ ସମସ୍ତ ସ୍କୁଲ, ଅଙ୍ଗନବାଡି ବନ୍ଦ ପାଇଁ ନିଷ୍ପତ୍ତି ହୋଇଛି । ଅଙ୍ଗନବାଡି ବନ୍ଦ ରହିବ କିନ୍ତୁ ଶୁଖିଲା ଖାଦ୍ୟ ଶିଶୁଙ୍କ ଘରକୁ ପଠାଯିବ । ବାତ୍ୟା ପ୍ରଭାବିତ ୮ ଜିଲ୍ଲାରେ ସବୁ ସରକାର କର୍ମଚାରୀଙ୍କ ଛୁଟି ବାତିଲ ।














