ଭୁବନେଶ୍ବର: ଭୀଷଣ ବାତ୍ୟାର ରୂପ ନେଇ ଲ୍ୟାଣ୍ଡଫଲ କରିଛି ‘ମୋନ୍ଥା’। ବାତ୍ୟା ମୋନ୍ଥାର ଲ୍ୟାଣ୍ଡଫଲ ପ୍ରକ୍ରିୟା ଆରମ୍ଭ ହୋଇଥିବା ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଭୀଷଣ ବାତ୍ୟା ମୋନ୍ଥାର ଲ୍ୟାଣ୍ତଫଲ ପ୍ରକ୍ରିୟା ସନ୍ଧ୍ୟାରୁ ଆରମ୍ଭ ହୋଇଥିବା ବେଳେ ଏହା ୩ରୁ ୪ ଘଣ୍ଟା ଧରି ଚାଲିବ। ଆନ୍ଧ୍ର ପ୍ରଦେଶର ମଛଲିପଟନମ ଓ କଳିଙ୍ଗପଟନମ ନିକଟ କାକିନାଡ଼ାର ପାଖାପାଖି ଅଞ୍ଚଳରେ ଏହା ସ୍ଥଳ ଭାଗ ଅତିକ୍ରମ କରୁଛି। କାକିନାଡା ଦେଇ ବାତ୍ୟା ମୋନ୍ଥା ଅତିକ୍ରମ କରୁଥିବାରୁ ପବନର ଘଣ୍ଟା ପ୍ରତି ବେଗ ୯୦ରୁ ୧୦୦ କିମି ରହିଛି। ଝଟକା ପବନ ବେଗ ଘଣ୍ଟା ପ୍ରତି ୧୧୦ କିମି ରହିଛି। ଏଥିସହ ଆନ୍ଧ୍ର ପ୍ରଦେଶର ବିଭିନ୍ନ ସ୍ଥାନରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେଉଥିବା ଆଇଏମଡି ପକ୍ଷରୁ କୁହାଯାଇଛି। ମୋନ୍ଥା ପ୍ରଭାବରେ କାକିନାଡ଼ାରେ ସମୁଦ୍ର ଅଶାନ୍ତ ହୋଇଉଠିଛି। ଉଚ୍ଚ ଉଚ୍ଚ ଜୁଆରା ରାସ୍ତାରେ ପିଟି ହେଉଥିବା ଦୃଶ୍ୟ ମଧ୍ୟ ସାମ୍ନାକୁ ଆସିଛି। ୮ କିମିର କାକିନାଡ଼ା ଓ ଉପପଡ଼ା ବେଳାଭୂମି ରାସ୍ତା କ୍ଷତିଗ୍ରସ୍ତ ହୋଇଯାଇଛି।
ସ୍ଥିତିକୁ ଦେଖି ଆନ୍ଧ୍ର ସରକାର ୭ଟି ଜିଲ୍ଲାରେ ନାଇଟ କର୍ଫ୍ୟୁ ଲାଗୁ କରିଛନ୍ତି। କ୍ରିଷ୍ଣା, ଇଲୁରୁ, ପୂର୍ବ ଗୋଦାବରୀ, ପଶ୍ଚିମ ଗୋଦାବରୀ, କାକିନାଡ଼ା, ଡ. ବିଆର ଆମ୍ବେଦକର କୋନାସୀମା ଓ ଆଲୁରି ସୀତାରାମେ ରାଜୁରେ ନାଇଟ କର୍ଫ୍ୟୁ ଲାଗୁ କରାଯାଇଛି। ଆଜି ସନ୍ଧ୍ୟା ୮.୩୦ରୁ ଆସନ୍ତାକାଲି ସକାଳ ୬ଟା ଯାଏ ସମସ୍ତ ପ୍ରକାରର ଯାତାୟାତକୁ ଏଠାରେ ବନ୍ଦ କରାଯାଇଛି। ଏହି ସବୁ ଜିଲ୍ଲାରେ ବାତ୍ୟା ମୋନ୍ଥାରେ ପ୍ରଭାବ ଅଧିକ ରହିବ ବୋଲି କୁହାଯାଇଛି। ତେବେ ନାଇଟ କର୍ଫ୍ୟୁରୁ ଜରୁରୀ ସେବାକୁ ବାଦ ଦିଆଯାଇଛି। ବିୟୱାଡା ପ୍ରଶାସନ ପକ୍ଷରୁ ଲୋକଙ୍କୁ ଘରେ ରହିବାକୁ ପରାମର୍ଶ ଦିଆଯାଇଛି। କେବଳ ସରକାରୀ ପରାମର୍ଶ ଉପରେ ଲୋକମାନେ ଧ୍ୟାନ ଦିଅନ୍ତୁ। ଏ
ଭୀଷଣ ବାତ୍ୟା ‘ମୋନ୍ଥା’ ପ୍ରଭାବରେ ଦକ୍ଷିଣ ଓଡ଼ିଶାର ବିଭିନ୍ନ ସ୍ଥାନରେ ମଧ୍ୟ ବର୍ଷା ଲାଗି ରହିଛି। ମାଲକାନଗିରି, କୋରାପୁଟ, ରାୟଗଡ଼ା, ଗଜପତି ଓ ଗଞ୍ଜାମ ଜିଲ୍ଲାରେ ପ୍ରବଳ ବର୍ଷା ରେକର୍ଡ କରାଯାଇଛି। କିଛି ସ୍ଥାନରେ ପାହାଡ଼ ଧସିବାର ମଧ୍ୟ ଖବର ଆସିଛି। ମଧ୍ୟରାତ୍ର ପରେ ଓଡ଼ିଶାର ଦକ୍ଷିଣ ପ୍ରାନ୍ତରେ ବର୍ଷାର ପ୍ରକୋପ ବଢ଼ିପାରେ। ୩୦ ଯାଏ ଓଡ଼ିଶାରେ ବର୍ଷା ତା’ଉ ଦେଖାଇବ ବୋଲି ପାଣିପାଗ ବିଭାଗ କହିଛି। ଆସନ୍ତାକାଲି ସକାଳ ସାଢ଼େ ୮ଟାରୁ ୩୦ ତାରିଖ ସକାଳ ସାଢ଼େ ୮ଟା ପର୍ଯ୍ୟନ୍ତ ମାଲକାନଗିରି, ନବରଙ୍ଗପୁର, କୋରାପୁଟ, କଳାହାଣ୍ଡି ଓ ରାୟଗଡ଼ା ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ ଜାରି କରାଯାଇଛି। ଏହି ସବୁ ଜିଲ୍ଲାଗୁଡ଼ିକରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଥିବା ବେଳେ ଗୋଟିଏ ଦୁଇଟି ସ୍ଥାନରେ ଅତ୍ୟନ୍ତ ପ୍ରବଳ ବର୍ଷା ହୋଇପାରେ। ସେହିପରି ନୂଆପଡ଼ା, ବଲାଙ୍ଗିର, ବରଗଡ଼, ସୋନପୁର, ସମ୍ବଲପୁର, ବୌଦ୍ଧ, କନ୍ଧମାଳ, ଗଜପତି ଓ ଗଞ୍ଜାମ ଜିଲ୍ଲାରେ ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବାର ସମ୍ଭାବନା ଥିବାରୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି। ବାକି ସମସ୍ତ ଜିଲ୍ଲାରେ ଗୋଟିଏ ବା ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ଥିବାରୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ୩୦ ତାରିଖ ସକାଳ ସାଢ଼େ ୮ଟାରୁ ୩୧ ତାରିଖ ସକାଳ ସାଢ଼େ ୮ଟା ପର୍ଯ୍ୟନ୍ତ ଝାରସୁଗୁଡ଼ା, ସୁନ୍ଦରଗଡ଼, ସମ୍ବଲପୁର, ଦେବଗଡ଼, କେନ୍ଦୁଝର ଓ ମୟୂରଭଞ୍ଜ ଜିଲ୍ଲାର କିଛି ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ଥିବାରୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି।














