ଭୁବନେଶ୍ୱର: ଓଡ଼ିଶା ବିଧାନସଭାର ଶୀତ ଅଧିବେଶନ ଆସନ୍ତା ନଭେମ୍ବର ୨୭ ତାରିଖରୁ ଆରମ୍ଭ ହେବାକୁ ଯାଉଛି। ଏହି ଗୁରୁତ୍ୱପୂର୍ଣ୍ଣ ଅଧିବେଶନର ପ୍ରଥମ ଦିନରେ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଗୃହକୁ ସମ୍ବୋଧନ କରିବାର କାର୍ଯ୍ୟକ୍ରମ ରହିଛି। ବିଧାନସଭାର ଏହି ଶୀତ ଅଧିବେଶନ ନଭେମ୍ବର ୨୭ରୁ ଆରମ୍ଭ ହୋଇ ଡିସେମ୍ବର ୩୧ ତାରିଖ ପର୍ଯ୍ୟନ୍ତ ଚାଲିବ। ଏଥିରେ ମୋଟ୍ ୨୯ଟି କାର୍ଯ୍ୟ ଦିବସ ରହିବ। ନଭେମ୍ବର ୨୮ ତାରିଖରେ ମୁଖ୍ୟମନ୍ତ୍ରୀ ତଥା ଅର୍ଥ ବିଭାଗର ମନ୍ତ୍ରୀ ମୋହନ ଚରଣ ମାଝୀ ୨୦୨୫-୨୬ ଆର୍ଥିକ ବର୍ଷ ପାଇଁ ପ୍ରଥମ ଅତିରିକ୍ତ ଖର୍ଚ୍ଚ ବିବରଣୀ ଉପସ୍ଥାପନ କରିବେ। ଏହି ଅତିରିକ୍ତ ବ୍ୟୟ ସମ୍ବନ୍ଧୀୟ ‘ଆପ୍ରୋପ୍ରିଏସନ୍ ବିଲ୍’ ଡିସେମ୍ବର ୮ ତାରିଖରେ ପାରିତ ହେବାର ସମ୍ଭାବନା ରହିଛି।
ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଏଥର ବିଧାନସଭାର ଶୀତ ଅଧିବେଶନକୁ ସମ୍ବୋଧିତ କରିପାରନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଓଡ଼ିଶା ଗସ୍ତରେ ଆସିବାର ଅଛି, ଆଉ ଏହି ଗସ୍ତରେ ରାଷ୍ଟ୍ରପତି ରାଜ୍ୟ ବିଧାନସଭାକୁ ସମ୍ବୋଧିତ କରିପାରନ୍ତି। ତେବେ ଏନେଇ କୌଣସି ପ୍ରକାର ବିଧିବଦ୍ଧ ଘୋଷଣା କରାଯାଇନି। ତେବେ ଯଦି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ରାଜ୍ୟ ବିଧାନସଭାକୁ ସମ୍ବୋଧିତ କରନ୍ତି ତେବେ ଏହା ରାଜ୍ୟର ବିଧାନସଭା ଇତିହାସରେ ଉଦାହରଣ ସୃଷ୍ଟି କରିବ। ତେବେ ନଭେମ୍ବର ୨୭ ତାରିଖରୁ ବିଧାନସଭାର ଶୀତ ଅଧିବେଶନ ଆରମ୍ଭ ହେଲେ, ଶୀତ ଅଧିବେଶନ ସରଗରମ ହେବ ବୋଲି ଅନୁମାନ କରାଯାଉଛି । ବିଭିନ୍ନ ପ୍ରସଙ୍ଗରେ ବିରୋଧୀମାନେ ସରକାରକୁ ଘେରିବା ନେଇ ଅନୁମାନ କରାଯାଉଛି । ଖାସ୍ କରି ଶୀତ ଅଧିବେଶନ ବସିବା ବେଳକୁ, ନୂଆପଡ଼ା ଉପ ନିର୍ବାଚନ ସରିଥିବ, ଆଉ ନୂଆପଡ଼ା ନିଜର ନୂଆ ବିଧାୟକ ପାଇସାରିଥିବ, ତେଣୁ ବିଧାନସଭା ଶୀତ ଅଧିବେଶନ ସରଗରମ ହୋଇପାରେ ବୋଲି ଚର୍ଚ୍ଚା ହେଉଛି। ଏଣେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କର କାର୍ଯ୍ୟସୂଚୀ ଖୁବ୍ ଶୀଘ୍ର ଆସିପାରେ ବୋଲି କୁହାଯାଉଛି।














