ପାରଳାଖେମୁଣ୍ଡି :ଗୁମ୍ମା ବ୍ଲକ କାର୍ଯ୍ୟାଳୟ ପରିସରରେ ଜଙ୍ଗଲ ବିଭାଗର ବିନା ଅନୁମତିରେ ଅବାଧରେ ଏକ ବିରାଟକାୟ ଆମ୍ବ ଗଛ କଟା ଯାଇଛି। ଗତ ସେପ୍ଟେମ୍ବର ୧୭ ତାରିଖରେ ପ୍ରଧାନମନ୍ତ୍ରୀଙ୍କ ଜନ୍ମ ଦିନ ଅବସରରେ ସାରାଦେଶରେ କୋଟି କୋଟି ବୃକ୍ଷ ରୋପଣ କରାଗଲା ଯୋଦ୍ୱାରା ଦୈନନ୍ଦିନ ବୃଦ୍ଧି ପାଉଥିବା ପ୍ରଦୂଷଣ ଓ ଜଳବାୟୁ ପରିବର୍ତନ ନିୟନ୍ତ୍ରଣ ହେବ। ହେଲେ ଗୁମ୍ମା ବ୍ଲକ କାର୍ଯ୍ୟାଳୟ ପରିସରରେ ଅନେକ ଗୁଡିଏ ବଡ଼ ବଡ଼ ଆମ୍ବ ଗଛ ରହିଛି। ଯାହା ଖରାଦିନେ ଛାଇ ହେବା ସହ ଥଣ୍ଡା ପବନ ଯୋଗୁଁ ଲୋକେ ଗଛ ମୂଳେ ଆଶ୍ରୟ ନେଉଥିଲେ। କିନ୍ତୁ କୌଣସି କାରଣରୁ ବ୍ଲକ ପ୍ରଶାସନ ଏହି ଗଛକୁ କାଟିଦେଇଛନ୍ତି। ନିୟମ ମୁତାବକ ଯଦି ଆବଶ୍ୟକ ସ୍ଥଳେ ଗଛ କଟାଯାଏ ତାହାହେଲେ ଜଙ୍ଗଲ ବିଭାଗର ଅନୁମତି ପତ୍ର ନେଇ କଟାଯିବା ଓ କଟାଯାଇଥିବା କାଠ ଟେଣ୍ଡର ପ୍ରକ୍ରିୟାରେ ବିକ୍ରୟ କରାଯିବ। ହେଲେ ଗୁମ୍ମା ବ୍ଲକ ପ୍ରଶାସନ ଏହି କ୍ଷେତ୍ରରେ ସମ୍ପୂର୍ଣ ବ୍ୟତିକ୍ରମ କରିଥିବା ଦେଖା ଯାଇଛି। ଏହି ଭଳି କାର୍ଯ୍ୟକୁ ବୁଦ୍ଧିଜୀବୀ ନାପସନ୍ଦ କରିବା ସହ ପ୍ରଶାସନ ମନମୁଖୀ କାର୍ଯ୍ୟରୁ ଦୁରେଇ ରହିବା ପାଇଁ ସୁସ୍ଥିର ଷଡ଼ଙ୍ଗୀ, ଅଜୟ ଜେନା ଓ ବୋ୍ୟାଜ ଵେବର୍ତ୍ତା ଚେତାବନୀ ଦେଇଛନ୍ତି। ଏ ସମ୍ପର୍କରେ ବନପାଳ ସନ୍ତୋଷ କୁମାର ରଥକୁ ପଚରା ଯିବାରୁ ସେ କୌଣସି ଅନୁମତି ନନେଇ ଅବୈଧରେ ଗଛ କଟାଯାଇଛି ବୋଲି ପ୍ରକାଶ କରିଛନ୍ତି ଓ ବିଡିଓ ଦୁଲାରାମ ମାରାଣ୍ଡି ଙ୍କୁ ଏ ସମ୍ପର୍କରେ ଯୋଗାଯୋଗ କରିବାରୁ କୌଣସି ମତାମତ ଦେବାକୁ ମନା କରିଛନ୍ତି।














