ଗୌହାଟୀ: ଘରୋଇ ପରିବେଶ। ଘରୋଇ ଦର୍ଶକ। ଘରୋଇ ପିଚ୍। ଘରୋଇ ଫାଇଦା ସତ୍ତ୍ୱେ ମାଟି କାମୁଡ଼ିଛି ଟିମ ଇଣ୍ଡିଆ। ଇଜ୍ଜତ ହରାଇବା ସହ ମୂଳପୋଛ ହୋଇଛି ଭାରତୀୟ କ୍ରିକେଟ ଟିମ। ଦୀର୍ଘ ୨୫ ବର୍ଷ ପରେ ଭାରତରେ ଟେଷ୍ଟ ସିରିଜ ଜିତି ଦକ୍ଷିଣ ଆଫ୍ରିକା ନୂଆ ଇତିହାସ ମଧ୍ୟ ରଚିଛି। ୨୦୦୦ ମସିହାରେ ହାନ୍ସି କ୍ରୋନେଜଙ୍କ ନେତୃତ୍ୱରେ ଦକ୍ଷିଣ ଆଫ୍ରିକା ଶେଷଥର ଭାରତ ମାଟିରେ ଟେଷ୍ଟ ସିରିଜ(୨-୦) ଜିତିଥିଲା। ଏବେ ତେମ୍ବା ବଭୂମାଙ୍କ ନେତୃତ୍ୱରେ ଦକ୍ଷିଣ ଆଫ୍ରିକା ୨୫ ବର୍ଷ ତଳର ସଫଳତାକୁ ଦୋହରାଇଛି। ଭାରତ ମାଟିରେ ଦଳ ୨ଟିକିଆ ଟେଷ୍ଟ ସିରିଜକୁ କ୍ଲିନସୁଇପ କରିଛି।
ଘରୋଇ ମାଟିରେ ଭାରତ ଇଜ୍ଜତ ହରାଇବା ସହ ଭାରତୀୟ ଟିମ ଟେଷ୍ଟ ସିରିଜରେ ମୂଳପୋଛ ହୋଇଯାଇଛି। ଏହାପୂର୍ବରୁ ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ୩ଟିକିଆ ସିରିଜରେ ମଧ୍ୟ ଭାରତୀୟ ଟିମ ଗୋଟିଏ ହେଲେ ମ୍ୟାଚ୍ ଜିତି ପାରି ନଥିଲା। ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ ୦-୩ରେ ହାରି ଗୌତମ ଗମ୍ଭୀରଙ୍କ ଟିମ ଇଣ୍ଡିଆର ନାକ କଟିଥିଲା। ଏବେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ସମାନ ଦଶା ଭୋଗି ଭାରତୀୟ ଟିମ ଇଜ୍ଜତ ହରାଇଛି। ପ୍ରଥମ ଟେଷ୍ଟକୁ ୩୦ ରନରେ ହାରିଥିବା ଭାରତ ଗୁଆଟୀରେ ୪୦୮ ରନରେ ପରାସ୍ତ ହୋଇଛି। ଘରୋଇ ମାଟିରେ ପୂର୍ବରୁ ଭାରତ କେବେ ହେଲେ କୌଣସି ଟେଷ୍ଟରେ ଏତେ ରନରେ ହାରି ନଥିଲା।
ଭାରତ ବିପକ୍ଷରେ ଦକ୍ଷିଣ ଆଫ୍ରିକାର ଏହା ସବୁଠାରୁ ବଡ଼ ଟେଷ୍ଟ ବିଜୟ। ଏହି ପରାଜୟ ମଧ୍ୟ ଗମ୍ଭୀରଙ୍କ କୋଚିଂରେ ଖେଳୁଥିବା ଭାରତୀୟ ଟିମର ମୁଣ୍ଡକୁ ତଳକୁ କରି ଦେଇଛି। ଭାରତୀୟ ଟିମର ଦାୟିତ୍ୱହୀନ ବ୍ୟାଟିଂ ଆଜି ଦଳକୁ ପରାଜୟ ବରଣ କରିବାକୁ ବାଧ୍ୟ କରିଛି। ଗମ୍ଭୀର ଯୁଗରେ ଦଳ ଟେଷ୍ଟ ଇତିହାସର ସବୁଠାରୁ ବଡ଼ ପରାଜୟର ସମ୍ମୁଖୀନ ହୋଇଛି।
ପ୍ରଥମ ଇନିଂସରେ ଦଳ ମାତ୍ର ୨୦୧ ରନ କରିଥିଲା। ଦ୍ୱିତୀୟ ଇନିଂସରେ ତା’ଠାରୁ ଆହୁରି ଦୟନୀୟ ସ୍ଥିତିର ସମ୍ମୁଖୀନ ହୋଇଛି ଦଳ। ୫୪୯ ରନର ଟାର୍ଗେଟକୁ ପିଛା କରୁଥିବା ଭାରତୀୟ ଟିମ କେବଳ ୧୪୦ ରନ କରିବାକୁ ସକ୍ଷମ ହୋଇଛି। ରବୀନ୍ଦ୍ର ଜାଡେଜାଙ୍କ ୫୪ ରନକୁ ଛାଡ଼ି ଦେଲେ ଦକ୍ଷିଣ ଆଫ୍ରିକା ବୋଲରଙ୍କୁ ଜବାବ ଦେବାରେ ଆଉ କୌଣସି ଭାରତୀୟ ବ୍ୟାଟର ସକ୍ଷମ ହୋଇ ନାହାନ୍ତି।
ଦକ୍ଷିଣ ଆଫ୍ରିକା ପ୍ରଥମ ଇନିଂସରେ ବିଶାଳ ୪୮୯ ରନ କରିଥିଲା। ଦ୍ୱିତୀୟ ଇନିଂସରେ ଦଳ ୫ ୱିକେଟ ହରାଇ ୨୬୦ ରନ କରିବା ପରେ ପାଳି ଘୋଷଣା କରିଥିଲା। ଦକ୍ଷିଣ ଆଫ୍ରିକାର ପ୍ରଥମ ଇନିଂସ ସ୍କୋର ୪୮୯କୁ ଭାରତ ଦୁଇ ଥର ବ୍ୟାଟିଂ କରି ମଧ୍ୟ ହାସଲ କରିପାରି ନାହିଁ। ଭାରତର ସବୁ ବ୍ୟାଟର ୨ ଥର ଲେଖାଏ ବ୍ୟାଟିଂ କରିଥିଲେ ହେଁ କେବଳ ୩୪୧ ରନ କରିପାରିଛନ୍ତି। ଏହା ଠାରୁ ଆଉ ଲଜ୍ଜାଜନକ କଥା ବୋଧେ କିଛି ହୋଇନ ପାରେ।
ପ୍ରଥମ ଇନିଂସରେ ମାର୍କୋ ୟାନସେନ ୬ ୱିକେଟ ନେବା ସହ ୯୩ ରନ କରିଥିଲେ। ଦ୍ୱିତୀୟ ଇନିଂସରେ ସେ ଗୋଟିଏ ୱିକେଟ ନେଇ ମ୍ୟାନ ଅଫ ଦି ମ୍ୟାଚ୍ ପୁରସ୍କାର ପାଇଛନ୍ତି। କୋଲାକତା ଟେଷ୍ଟରେ ମ୍ୟାନ ଅଫ ଦି ମ୍ୟାଚ୍ ପାଇଥିବା ସ୍ପିନର ସିମନ ହାର୍ମର ଦ୍ୱିତୀୟ ଟେଷ୍ଟରେ ୯ ୱିକେଟ ଦଖଲ କରିଛନ୍ତି। ସେ ୨ ଟିକିଆ ଟେଷ୍ଟ ସିରିଜରେ ୧୭ ୱିକେଟ ନେଇଥିବାରୁ ମ୍ୟାନ ଅଫ ଦି ସିରିଜ ପୁରସ୍କାର ପାଇଛନ୍ତି।














