ଭୁବନେଶ୍ୱର : ଓଡ଼ିଶା ବିଧାନସଭା ଇତିହାସରେ ଆଜି ସ୍ୱର୍ଣ୍ଣିମ ଅଧ୍ୟାୟ ସୃଷ୍ଟି ହୋଇଛି । ଦେଶର ପ୍ରଥମ ନାଗରିକ ତଥା ଓଡ଼ିଶାର ଗର୍ବ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଗୃହକୁ ସମ୍ବୋଧିତ କରି ଅତୀତର ସ୍ମୃତିକୁ ରୋମନ୍ଥନ କରିବା ସହ ଭବିଷ୍ୟତ ଭାରତ ଗଠନ ପାଇଁ ଗୁରୁମନ୍ତ୍ର ଦେଇଛନ୍ତି । ମହାମହିମ ରାଷ୍ଟ୍ରପତି ଅପରାହ୍ନ ଅଧିବେଶନରେ ଗୃହକୁ ସମ୍ବୋଧନ କରି କହିଥିଲେ ଯେ ଓଡିଶା ବିଧାନସଭାରେ ଆଜି ମୋର ଉପସ୍ଥିତି ମୋତେ ନିଜ ଘରକୁ ଆସିଲା ଭଳିଆ ଲାଗୁଛି । ଏହା ମୋ ପାଇଁ ବିଶେଷ ଖୁସିର ଦିନ । ଏ ଗୃହ ମୋତେ ସବୁକିଛି ଦେଇଛି । ଏଠାରେ ମୋର ରାଜନୈତିକ ନିଅଁ ପଡିଛି । ନିଅଁ ସୁଦୃଢ ହୋଇନଥିଲେ ମୁଁ ଆଜି ଯେଉଁଠାରେ ପହଞ୍ଚିଛି ସେଠାରେ ପହଞ୍ଚିପାରି ନଥାନ୍ତି । ସବୁକିଛି ଜଗନ୍ନାଥଙ୍କ କରୁଣା । ରାଜନୈତିକ ଭାବେ କିଭଳି ସମସ୍ତଙ୍କ ସହିତ ବ୍ୟବହାର କରାଯିବ ତାହା ମୁଁ ଏହି ଗୃହରୁ ଶିଖିଛି । ଆଜି ଏଠାରେ ଛିଡା ହେଲାପରେ ମୋର ଅତୀତର ସ୍ମୃତି ତାଜା ହେଉଛି । ବିଧାୟକ ଭାବେ ଏହି ଗୃହରେ ମୁଁ ପ୍ରଶ୍ନ ପଚାରିଛି । ମନ୍ତ୍ରୀ ଭାବେ ମୁଁ ଏଠାରେ ବିଧାୟକମାନଙ୍କର ପ୍ରଶ୍ନର ଉତ୍ତର ଦେଇଛି । କମିଟିର ସଦସ୍ୟ ଭାବେ ଦାୟିତ୍ୱ ତୁଲାଇଛି । ବିଧାନସଭାରେ ଉପସ୍ଥିତ ୧୪୭ଜଣ ସଦସ୍ୟଙ୍କୁ ମୁଁ ବ୍ୟକ୍ତିଗତ ଭାବେ ଚିହ୍ନିଛି । ଅନେକଙ୍କ ସହିତ କାମ ବି କରିଛି । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସହିତ ଏହି ଗୃହରେ କାର୍ଯ୍ୟ କରିଛି ।
ଓଡିଶା ବିଧାନସଭାରେ ମହିଳା ପ୍ରତିନିଧିତ୍ୱର ଦୀର୍ଘ ଇତିହାସ ରହିଛି । ବର୍ତ୍ତମାନର ବାଚସ୍ପତି ଜଣେ ମହିଳା । ପୂର୍ବରୁ ଜଣେ ମହିଳା ଗୃହର ବାଚସ୍ପତି ଦାୟିତ୍ୱ ତୁଲାଉଥିଲେ । ପ୍ରାକ୍ ସ୍ୱାଧୀନତା କାଳରେ ଏ ଲକ୍ଷ୍ମୀବାଇ ଓଡିଶା ବିଧାନସଭାରେ ଉପବାଚସ୍ପତି ଥିଲେ । ନନ୍ଦିନୀ ଶତପଥୀ ଥିଲେ ଦେଶର ଦ୍ୱିତୀୟ ମହିଳା ମୁଖ୍ୟମନ୍ତ୍ରୀ । ରାଜ୍ୟ ସରକାରଙ୍କ ସୁଭଦ୍ରା ଯୋଜନାକୁ ରାଷ୍ଟ୍ରପତି ପ୍ରଶଂସା କରବା ସହିତ ଏହା ଜରିଆରେ ମହିଳାମାନେ କିଭଳି ସ୍ୱାବଲମ୍ବି ହେଉଛନ୍ତି ତାହା ଦର୍ଶାଇଥିଲେ । ୨୦୪୭ ମସିହାରେ ଭାରତ ଏବ ବିକଶିତ ଭାରତ ହେବାର ଲକ୍ଷ୍ୟ ନେଇ ଅଗ୍ରସର ହେଉଥିବାବେଳେ ୨୦୩୬ ରେ ରାଜ୍ୟ ଗଠନର ଶତବାର୍ଷିକ ପାଳନ ସହିତ ଓଡିଶା ଏକ ସୁସମୃଦ୍ଧ ଓଡିଶା ହୋଇପାରିଲେ ତାହା ବିକଶିତ ଭାରତ ଗଠନରେ ବେଶ୍ ସହଯୋଗୀ ହୋଇପାରିବ । ବର୍ତ୍ତମାନ ହେଉଛି ଜ୍ଞାନକୌଶଳର ଯୁଗ । ବିଦେଶରେ ଲୋକେ ଗୋଟିଏ ପରବର୍ତ୍ତିତ ଭାରତକୁ ଦେଖୁଛନ୍ତି । ଲୋକମାନଙ୍କ ସ୍ୱପ୍ନକୁ ସାକାର କରିବାପାଇଁ ବିଧାନସଭାର ସଦସ୍ୟମାନେ କାମ କରିବାକୁ ରାଷ୍ଟ୍ରପତି ପରାମର୍ଶ ଦେଇଛନ୍ତି । ସଦସ୍ୟମାନେ ଏଭଳି କାର୍ଯ୍ୟ କରିବେ ଯାହା ସାଧାରଣ ଲୋକଙ୍କ ହିତ ସାଧାନ କରିବ ବୋଲି ରାଷ୍ଟ୍ରପତି କହିବା ସହିତ ବିଧାନସଭାରେ ଅଭିଭାଷଣ ରଖିବାପାଇଁ ଆମନ୍ତ୍ରଣ କରିଥିବାରୁ ବାଚସ୍ପତି ସୁରମା ପାଢୀଙ୍କୁ ଧନ୍ୟବାଦ ଦେଇ ତାଙ୍କର ବକ୍ତବ୍ୟ ଶେଷ କରିଥିଲେ ।
ଏହି ଅବସରରେ ବାଚସ୍ପତି ସୁରମା ପାଢ଼ୀ ପ୍ରାରମ୍ଭିକ ଅଭିଭାଷଣ ରଖି ରାଷ୍ଟ୍ରପତିଙ୍କୁ ଓଡ଼ିଶାର ‘ମାଟିର ଝିଅ’ ବୋଲି ସମ୍ବୋଧନ କରିବା ସହ ତାଙ୍କ ଉପସ୍ଥିତି ଗୃହର ଗାରିମା ବୃଦ୍ଧି କରିଛି ବୋଲି ମତବ୍ୟକ୍ତ କରିଥିଲେ । ସେହିପରି ରାଜ୍ୟପାଳ ହରିବାବୁ କମ୍ଭମପାଟ୍ଟି ମଧ୍ୟ ‘ଝିଅର ଘରକୁ ଆସିବା’ ସହ ତୁଳନା କରି ରାଷ୍ଟ୍ରପତିଙ୍କ ମାଗଦର୍ଶର୍ନ ରାଜ୍ୟକୁ ନୂତନ ଦିଶା ଦେବ ବୋଲି ଆଶା ବ୍ୟକ୍ତ କରିଥିଲେ । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ତାଙ୍କ ଅଭିଭାଷଣରେ ରାଷ୍ଟ୍ରପତିଙ୍କ ସଂଘଷର୍ମୟ ଜୀବନ ଯାତ୍ରାକୁ ବର୍ଣ୍ଣନା କରି କହିଥିଲେ ଯେ, ରାଇରଙ୍ଗପୁରରୁ ରାଇସିନା ହିଲ୍ ପର୍ଯ୍ୟନ୍ତ ତାଙ୍କର ଯାତ୍ରା ପ୍ରତ୍ୟେକ ଓଡ଼ିଆଙ୍କ ପାଇଁ ପ୍ରେରଣାର ଉତ୍ସ । ଓଡ଼ିଶାର ଜଣେ ଆଦିବାସୀ ମହିଳା ଆଜି ବିଶ୍ୱର ସବର୍ବୃହତ ଗଣତାନ୍ତ୍ରିକ ରାଷ୍ଟ୍ରର ମୁଖ୍ୟ ହେବା ରାଜ୍ୟ ପାଇଁ ଗୌରବର ବିଷୟ ବୋଲି ସେ ଉଲ୍ଲେଖ କରିଥିଲେ । ସେହିପରି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ରାଷ୍ଟ୍ରପତିଙ୍କୁ ସ୍ୱାଗତ କରିବା ସହ ରାଜ୍ୟର ବିକାଶ ଏବଂ ମହିଳା ସଶକ୍ତିକରଣ କ୍ଷେତ୍ରରେ ତାଙ୍କର ଅବଦାନକୁ ମନେ ପକାଇଥିଲେ ।














