୨୦୩୦ ଯାଏଁ ଅର୍ଥନୈତିକ ସହଯୋଗ କାର୍ଯ୍ୟକ୍ରମ ଜାରି ପାଇଁ ସହମତି
ଭୁବନେଶ୍ୱର : ବିନା ବାଧାରେ ଭାରତକୁ ଜାରି ରହିବ ରୁଷ୍ ର ତୈଳ ଯୋଗାଣ। ଶକ୍ତିରୁ ଅର୍ଥନୀତି ଓ ପରିବହନରୁ ରସାୟନ। ଦୁଇ ପାରମ୍ପରିକ ବନ୍ଧୁ ଭାରତ-ରୁଷ୍ ମଧ୍ୟରେ ସ୍ବାକ୍ଷରିତ ହୋଇଛି ବହୁ ଦ୍ବିପାକ୍ଷିକ ରାଜିନାମା। ୨୦୩୦ ଯାଏଁ ଉଭୟ ଦେଶ ଅର୍ଥନୈତିକ ସହଯୋଗ କାର୍ଯ୍ୟକ୍ରମ ଜାରି ରଖିବାକୁ ପ୍ରସ୍ତୁତ କରିଛନ୍ତି ଭିଜନ୍ ଡକ୍ୟୁମେଣ୍ଟ। ୨୩ତମ ଶିଖର ସମ୍ମିଳନୀ ପରେ ମିଳିତ ଘୋଷଣାନାମା ଅବସରରେ ଉଭୟ ରାଷ୍ଟ୍ର ମୁଖ୍ୟ- ସଂପର୍କ ମଜଭୁତ୍ ଉପରେ ଜୋର୍ ଦେଇଥିବାବେଳେ ମିଳିତ ଆତଙ୍କବାଦ ଲଢ଼େଇ ଉପରେ ହୋଇଛନ୍ତି ସହମତି। ୟୁକ୍ରେନ୍ ଯୁଦ୍ଧରେ ବିରାମ ପାଇଁ ମୋଦିଙ୍କୁ ବି ପ୍ରତିଶ୍ରୁତି ଦେଇଛନ୍ତି ପୁଟିନ୍। ନୂଆଦିଲ୍ଲୀରେ ଭାରତ-ରୁଷ୍ ୨୩ତମ ଶିଖର ସମ୍ମିଳନୀ ଅବସରରେ ସ୍ବାକ୍ଷରିତ ହୋଇଛି ବହୁ ଦ୍ବିପାକ୍ଷିକ ଐତିହାସିକ ରାଜିନାମା। ଯାହା ମଧ୍ୟରେ ରହିଛି ଅର୍ଥନୈତିକ ବିକାଶ, ତୈଳ ଯୋଗାଣ, ଶକ୍ତି, ବନ୍ଦର ପରିବହନ ସାଙ୍ଗକୁ ସାର-ରସାୟନ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ରୁଷ୍ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଯୁଗ୍ମ ଘୋଷଣାନାମା ଅବସରରେ ପ୍ରଥମେ ବିବୃତି ରଖି ପିଏମ୍ ମୋଦି କହିଥିଲେ- ଦୁଇ ଦେଶ ମଧ୍ୟରେ ସଂପର୍କ ଧ୍ରୁବ ତାରା ସଦୃଶ। ଆମେ ଦୁଇ ନେତା ବିଶ୍ବ ଓ ଆଞ୍ଚଳିକ ସମସ୍ୟା ଉପରେ ଆଲୋଚନା କରିଛୁ।
୨୦୩୦ ପର୍ଯ୍ୟନ୍ତ ଉଭୟ ଦେଶ ମଧ୍ୟରେ ଅର୍ଥନୈତିକ ସହଯୋଗ କାର୍ଯ୍ୟକ୍ରମ ଜାରି ରଖିବାକୁ ସହମତି ହୋଇଛି। ରୁଷ୍ ନାଗରିକଙ୍କ ପାଇଁ ଏକ ମାଗଣା ୩୦ ଦିନିଆ ଇ-ଟୁରିଷ୍ଟ ଭିସା ଲାଗୁ କରିବାକୁ ଯାଉଛି। ୟୁରେସିଆନ ଅର୍ଥନୈତିକ ସଂଘ ସହିତ ମୁକ୍ତ ବାଣିଜ୍ୟ ରାଜିନାମା ବା FTA ସମାପ୍ତ ଉପରେ କାର୍ଯ୍ୟ କରୁଛୁ। କାଶ୍ମୀରର ପହଲଗାମ୍ ଆକ୍ରମଣ ହେଉକି ୨୦୨୪ରେ ରୁଷ୍ ର କ୍ରୋକସ୍ ସିଟି ହମଲା, ସବୁ ପଛରେ ଆତଙ୍କବାଦ। ଏହା ମାନବତାର ମୂଲ୍ୟ ଉପରେ ବଡ଼ ପ୍ରହାର, ଯାହା ବିରୋଧରେ ଲଢ଼େଇ କ୍ଷେତ୍ରରେ ବୈଶିକ ଏକତା ବଡ଼ ଶକ୍ତି ବୋଲି କହିଥିଲେ ମୋଦି। ଏଥିସହ ୟୁକ୍ରେନକୁ ନେଇ ପୂର୍ବଭଳି ଭାରତର ଶାନ୍ତି ଉଦ୍ୟମ ଜାରି ରହିବ ବୋଲି କହିଥିଲେ ପ୍ରଧାନମନ୍ତ୍ରୀ।
ସେମିତି ରୁଷ୍ ରାଷ୍ଟ୍ରପତି ପୁଟିନ୍ ବି ଭାରତ ସହ ରୁଷ୍ ର ସଂପର୍କ ଶିଖରକୁ ନେବୁ ବୋଲି କହିଥିଲେ। ଭାରତକୁ ବିନା ବାଧାରେ ପୂର୍ବଭଳି ତୈଳ ଯୋଗାଣ ଜାରି ରହିବ ବୋଲି ସେ ସ୍ପଷ୍ଟ କରିବା ସହ ଶକ୍ତି ଓ ଅର୍ଥନୀତି କ୍ଷେତ୍ରରେ ମସ୍କୋର ନୂଆଦିଲ୍ଲୀକୁ ସହଯୋଗ ଜାରି ରଖିବାର ପ୍ରତିଶ୍ରୁତି ଦେଇଥିଲେ। ଏଥିସହ ଭାରତର ମେକ୍ ଇନ ଇଣ୍ଡିଆକୁ ପ୍ରଶଂସା କରିଥିଲେ ପୁଟିନ୍। ଆତଙ୍କବାଦ ବିରୋଧରେ ରୁଷ-ଭାରତ ଏକାଠି ଲଢ଼େଇ କରିବାକୁ ବି ଜୋର୍ ଦେଇଥିଲେ ପୁଟିନ୍।
ମିଳିତ ଘୋଷଣାନାମା ପରେ ପୁଣି ଦୁଇ ରାଷ୍ଟ୍ରମୁଖ୍ୟଙ୍କ ମଧ୍ୟରେ ଯୁଦ୍ଧ ଓ ଶାନ୍ତି ସହ ଆହୁରି ଅନେକ ଦ୍ବିପାକ୍ଷିକ ପ୍ରସଙ୍ଗରେ ବି ଆଲୋଚନା ହୋଇଥିଲା। ୟୁକ୍ରେନ୍ ଯୁଦ୍ଧରେ ବିରାମ ପାଇଁ ମୋଦିଙ୍କୁ ଆଶ୍ବସ୍ତିବାଣୀ ବି ଶୁଣାଇଥିଲେ ପୁଟିନ୍। ପୂର୍ବରୁ ରାଷ୍ଟ୍ରପତି ଭବନରେ ଭବ୍ୟ ସ୍ବାଗତ ଓ ରାତ୍ରୀ ଭୋଜନ ପାଇଁ ପ୍ରେସିଡେଣ୍ଟ ଦ୍ରୋପଦୀ ମୁର୍ମୁଙ୍କୁ ଧନ୍ୟବାଦ ଦେଇଥିଲେ ପୁଟିନ୍। ରୁଷ୍ ଓ ଭାରତର ଏହି ଶିଖର ସମ୍ମିଳନୀ ଉପରେ ସାରା ବିଶ୍ବର ରହିଥିଲା ନଜର।
ଆତଙ୍କବାଦ ବିରୋଧୀ ଲଢ଼େଇରେ ଭାରତ ଓ ରୁଷ ଏକାଠି ଅଛନ୍ତି। ଦ୍ୱିପାକ୍ଷିକ ଆଲୋଚନା ପରେ ଶୁକ୍ରବାର ଅପରାହ୍ନରେ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସହ ଏକ ମିଳିତ ପ୍ରେସ ବିବୃତିରେ ଏହି କଥା କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ସେ କହିଛନ୍ତି, ପହଲଗାମ ଆକ୍ରମଣ (ଗତ ଏପ୍ରିଲ ମାସରେ ଜୈଶ-ଇ-ମହମ୍ମଦ ଆତଙ୍କବାଦୀଙ୍କ ଆକ୍ରମଣରେ ୨୬ ଜଣଙ୍କ ମୃତ୍ୟୁ ହୋଇଥିଲା) ହେଉ ଅବା କ୍ରୋକସ୍ ସିଟି ହଲ୍ ଆକ୍ରମଣ (୨୦୨୪ ମାର୍ଚ୍ଚରେ ମସ୍କୋରେ ଇସଲାମିକ ଷ୍ଟେଟ ଖୋରାସାନ ଦ୍ୱାରା ହୋଇଥିବା ଏହି ଆକ୍ରମଣରେ ୧୪୯ ଜଣ ଲୋକଙ୍କ ମୃତ୍ୟୁ ଘଟିଥିଲା)- ଏହି ସବୁ ଘଟଣାର ଚେର ସମାନ। ଭାରତର ଅଟଳ ବିଶ୍ୱାସ ଯେ ଯେକୌଣସି ଆତଙ୍କବାଦୀ ଆକ୍ରମଣ ମାନବିକ ମୂଲ୍ୟବୋଧ ଉପରେ ସିଧାସଳଖ ଆକ୍ରମଣ। ଆଉ ଏହା ବିରୋଧରେ ସାରା ବିଶ୍ୱ ଏକାଠି ହେବା ଆମର ସବୁଠୁ ବଡ଼ ବଳ। ଆତଙ୍କବାଦ ଯେକୌଣସି ରୂପରେ ଥାଉନା କାହିଁକି, ତା’ର ମୂଳୋତ୍ପାଟନରେ ରୁଷ ସର୍ବଦା ଭାରତ ସହିତ ରହିଛି।
ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, ଗତ ଆଠ ଦଶନ୍ଧିରେ ବିଶ୍ୱ ଅନେକ ଉତ୍ଥାନ ଓ ପତନ ଦେଖିଛି। ମାନବଜାତିକୁ ଅନେକ ଆହ୍ୱାନ ଓ ସଙ୍କଟ ଦେଇ ଗତି କରିବାକୁ ପଡ଼ିଛି। କିନ୍ତୁ ଏସବୁ ମଧ୍ୟରେ ଭାରତ-ରୁଷର ସଂପର୍କ ସର୍ବଦା ଦୃଢ଼ ରହିଛି। ଏହି ସଂପର୍କ ପରସ୍ପର ପ୍ରତି ଥିବା ସମ୍ମାନ ଓ ବିଶ୍ୱାସ ଯୋଗୁ ସମ୍ଭବ ହୋଇଛି।














