ଗରିବ ଲୋକଙ୍କ ବିକାଶ ପାଇଁ ଖର୍ଚ୍ଚ ହେଉ ମୋ ବର୍ଦ୍ଧିତ ଦରମା
ଭୁବନେଶ୍ବର: ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୁଣି ଥରେ ମହାନତା ଦେଖାଇଛନ୍ତି। ରାଜ୍ୟରେ ଥିବା ଗରିବଙ୍କ କଥା ଚିନ୍ତା କରିଛନ୍ତି। ଗରିବମାନଙ୍କୁ କିଛି ଆର୍ଥିକ ସହାୟତା ମିଳିଲେ ସେ ଖୁସି ହେବେ ବୋଲି ଚିନ୍ତା କରିଛନ୍ତି। ତେଣୁ ସେ ବର୍ଦ୍ଧିତ ଦରମା ନନେବାକୁ ନିଷ୍ପତ୍ତି ନେଇଛନ୍ତି। ବିଜୁ ଜନତା ଦଳ (ବିଜେଡି) ସଭାପତି ବର୍ଦ୍ଧିତ ଦରମା ନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଚିଠି ଲେଖିଛନ୍ତି। ଏଥିରେ ସେ ଉଲ୍ଲେଖ କରିଛନ୍ତି ଯେ, ବର୍ଦ୍ଧିତ ଦରମା ଗରିବଙ୍କ ସେବାରେ ବିନିଯୋଗ କରାଯାଉ।
ସୂଚନାଯୋଗ୍ୟ, ବିଧାୟକଙ୍କର ବହୁଦିନର ଦାବି ନିକଟରେ ଶେଷ ହୋଇଥିବା ଶୀତକାଳୀନ ଅଧିବେଶନରେ ପୂରଣ ହୋଇଛି। ସେମାନଙ୍କ ଦରମା ଓ ଭତ୍ତା ବୃଦ୍ଧି କରାଯାଇଛି। ଏକାଥରେ ଅଢ଼େଇ ଗୁଣରୁ ଅଧିକ ବଢ଼ିଛି। ପୂର୍ବତନ ବିଧାୟକଙ୍କ ପେନ୍ସନରେ ବି ବୃଦ୍ଧି କରାଯାଇଛି। ଏ ସଂକ୍ରାନ୍ତୀୟ ତିନିଟି ପୃଥକ୍ ବିଲ୍ ବିଧାନସଭାରେ ପାରିତ ହୋଇଛି। ୨୦୨୪ ଜୁନ୍ ମାସରୁ ଏହି ବର୍ଦ୍ଧିତ ଦରମା ଲାଗୁ ହେବ। ଏଣିକି ପ୍ରତି ପାଞ୍ଚ ବର୍ଷରେ ବିଧାୟକଙ୍କ ଦରମା ସ୍ବାଭାବିକ ଭାବେ ବୃଦ୍ଧି ହେବ। ଆଉ ବିଧାନସଭାରେ ବିଲ୍ ଆଣିବାକୁ ପଡ଼ିବ ନାହିଁ। ଶେଷ ଥର ପାଇଁ ୨୦୧୭ ମସିହାରେ ବିଧାୟକଙ୍କ ଦରମା ସଂଶୋଧିତ ହୋଇଥିଲା। ୨୦୧୭ ମସିହା ସଂଶୋଧନ ପରେ ବିଧାୟକମାନେ ମୂଳଦରମା ବାବଦକୁ ମାସିକ ୩୫ ହଜାର ଟଙ୍କା ପାଉଥିଲେ। ତେବେ ଭତ୍ତା ମିଶାଇଲେ ତାହା ମାସିକ ପାଖାପାଖି ଏକ ଲକ୍ଷ ଟଙ୍କା ହେଉଥିଲା। ଏବେ ସଂଶୋଧନ କରାଯାଇ ମୂଳ ଦରମାକୁ ମାସିକ ୯୦ ହଜାର ଟଙ୍କା କରାଯାଇଛି। ଅନ୍ୟାନ୍ୟ ଭତ୍ତା ମିଶାଇଲେ ମାସିକ ମୋଟ୍ ୩.୪୫ ଲକ୍ଷ ଟଙ୍କା ମିଳିବ। ଏହା ବାଦ୍ ସେମାନେ ବିଧାନସଭା ଅଧିବେଶନ ଓ ଷ୍ଟାଣ୍ଡିଂ କମିଟି ବୈଠକରେ ଯୋଗ ଦେବା ପାଇଁ ସିଟିଂ ଆଲାଉନ୍ସ ମଧ୍ୟ ପାଇବେ। ଭତ୍ତା ମଧ୍ୟରେ ଅଛି ନିର୍ବାଚନମଣ୍ଡଳୀ ଭତ୍ତା ୭୫ ହଜାର, ଯାତାୟାତ ଭତ୍ତା ୫୦ ହଜାର, ପତ୍ରପତ୍ରିକା ପାଇଁ ୧୦ ହଜାର, ବିଦ୍ୟୁତ୍ ବିଲ୍ ୨୦ ହଜାର, ବ୍ୟକ୍ତିଗତ ଗସ୍ତ ଭତ୍ତା ୫୦ ହଜାର, ଚିକିତ୍ସା ଭତ୍ତା ୩୫ ହଜାର ଓ ଟେଲିଫୋନ୍ ଭତ୍ତା ୧୫ ହଜାର।
ମୁଖ୍ୟମନ୍ତ୍ରୀଙ୍କ ମୂଳ ଦରମା ୪୧ ହଜାରରୁ ବଢ଼ି ୧ ଲକ୍ଷ ଟଙ୍କା ହୋଇଛି। ଅନ୍ୟାନ୍ୟ ଭତ୍ତା ମିଶାଇଲେ ମୁଖ୍ୟମନ୍ତ୍ରୀ ମାସିକ ପାଖାପାଖି ୩ ଲକ୍ଷ ୭୪ ହଜାର ଟଙ୍କା ପାଇବେ। ସେହିପରି କ୍ୟାବିନେଟ୍ ମନ୍ତ୍ରୀ ଓ ରାଷ୍ଟ୍ରମନ୍ତ୍ରୀଙ୍କ ମୂଳ ଦରମା ଯଥାକ୍ରମେ ୯୬ ହଜାର ଓ ୯୪ ହଜାର ଟଙ୍କା ହୋଇଛି। ଭତ୍ତା ମିଶାଇଲେ ସେମାନେ ମାସକୁ ପ୍ରାୟ ୩ ଲକ୍ଷ ୬୦ ହଜାର ଟଙ୍କା ପାଇବେ। ମୁଖ୍ୟମନ୍ତ୍ରୀ ଓ ମନ୍ତ୍ରୀମାନେ ମଧ୍ୟ ବିଭିନ୍ନ ବୈଠକ ପାଇଁ ଅତିରିକ୍ତ ସିଟିଂ ଆଲାଉନ୍ସ ପାଇବେ। ବାଚସ୍ପତି ଓ ଉପବାଚସ୍ପତି ଦରମା ଓ ଭତ୍ତା ବାବଦକୁ ପାଖାପାଖି ୩ ଲକ୍ଷ ୬୦ ହଜାର ଟଙ୍କା ପାଇବେ। ପୂର୍ବତନ ବିଧାୟକମାନଙ୍କ ମାସିକ ପେନ୍ସନ ରାଶି ବି ବୃଦ୍ଧି କରାଯାଇଛି। ସେମାନଙ୍କ ମାସିକ ମୂଳ ପେନ୍ସନ ୩୦ ହଜାର ଟଙ୍କାରୁ ବଢ଼ି ୮୦ ହଜାର ଟଙ୍କା ହୋଇଛି। ୫ ବର୍ଷରୁ ଅଧିକ ସମୟ ବିଧାୟକମାନେ ଭାବେ ନିର୍ବାଚିତ ହୋଇଥିଲେ ପ୍ରତି ଅତିରିକ୍ତ ବର୍ଷ ପାଇଁ ବାର୍ଷିକ ୩ ହଜାର ଟଙ୍କା ଲେଖାଏଁ ଅଧିକ ପେନ୍ସନ ମିଳିବ। ସେମାନଙ୍କ ଚିକିତ୍ସା ଭତ୍ତା ବାବଦରେ ମାସିକ ୨୫ ହଜାର ଟଙ୍କା ମିଳିବ। ପ୍ରଥମ ଥର ପାଇଁ ପୂର୍ବତନ ବିଧାୟକମାନଙ୍କୁ ମାସିକ ଗସ୍ତ ଖର୍ଚ୍ଚ ବାବଦରେ ୧୨,୫୦୦ ଟଙ୍କା ମିଳିବ।














