ସମ୍ବଲପୁର: ଗରିବ ଲୋକଙ୍କୁ ସୁରକ୍ଷିତ ଏବଂ ସମ୍ମାନଜନକ ଜୀବନ ପ୍ରଦାନ କରିବା ଆମର ଲକ୍ଷ୍ୟ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଶୁକ୍ରବାର ସମ୍ୱଲପୁର ମହାନଗର ନିଗମ(ଏସଏମସି) ଅଞ୍ଚଳର ହିତାଧିକାରୀମାନଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନା (ସହରାଞ୍ଚଳ) କାର୍ଯ୍ୟାଦେଶ ଏବଂ ବିଭିନ୍ନ ଯୋଜନାର ସୁବିଧା ବିତରଣ କାର୍ଯ୍ୟକ୍ରମରେ ଯୋଗଦେବା ଅବସରରେ ଧର୍ମେନ୍ଦ୍ର ଏହା କହିଛନ୍ତି।
ଧର୍ମେନ୍ଦ୍ର କହିଛନ୍ତି, ଡବଲ ଇଞ୍ଜିନ ସରକାରର ଲକ୍ଷ୍ୟ ହେଉଛି ସମାଜର ଅନ୍ତିମ ଶ୍ରେଣୀରେ ଥିବା ଲୋକଙ୍କୁ ସରକାରୀ ସୁବିଧା ପହଞ୍ଚାଇବା। ଗୁରୁବାର ସମ୍ୱଲପୁର ମହାନଗର ନିଗମ ପକ୍ଷରୁ ଆର୍ଥିକ ବର୍ଷ ୨୦୨୫-୨୬ ପାଇଁ ୮୫୫ ହିତାଧିକାରୀଙ୍କୁ ୨.୫ କୋଟି ଟଙ୍କା ମୂଲ୍ୟର ପକ୍କା ଘର ନିର୍ମାଣ ପାଇଁ କାର୍ଯ୍ୟାଦେଶ ପ୍ରଦାନ କରାଯାଇଛି। ଏହି ପଦକ୍ଷେପ ଗରିବ ପରିବାରମାନଙ୍କୁ ସୁରକ୍ଷିତ ଏବଂ ସମ୍ମାନଜନକ ଜୀବନ ବଞ୍ଚିବାରେ ସହାୟକ ହେବ। ସେହିପରି ଆମ ସହରର ଅର୍ଥନୀତିର ଅଭିନ୍ନ ଅଙ୍ଗ ହେଉଛନ୍ତି ଆମର ଉଠା ଦୋକାନୀ। ସମ୍ୱଲପୁର ସହରରେ ଏ ପର୍ଯ୍ୟନ୍ତ ୫ ହଜାର ୪୭୮ ପ୍ରଥମ କିସ୍ତି, ୧ ହଜାର ୯୫୫ ଜଣ ଦ୍ୱିତୀୟ କିସ୍ତି ଏବଂ ୪୨୩ ଜଣ ହିତାଧିକାରୀ ତୃତୀୟ କିସ୍ତି ସହାୟତା ପାଇସାରିଛନ୍ତି। ଆଜି ୧୦ ଜଣ ହିତାଧିକାରୀଙ୍କୁ ଏହି ଯୋଜନାରେ ବିନା ବନ୍ଧକରେ ୫୦ ହଜାର ଟଙ୍କା ପର୍ଯ୍ୟନ୍ତ ଋଣ ସହାୟତା ପ୍ରଦାନ କରାଯାଇଛି। ୩୨ ହିତାଧିକାରୀଙ୍କୁ ମଧୁବାବୁ ପେନ୍ସନ ଯୋଜନାରେ ଅନ୍ତର୍ଭୁକ୍ତ କରାଯାଇଛି। ୩୪ ନୂତନ ହିତାଧିକାରୀଙ୍କୁ ରାସନ କାର୍ଡ ପ୍ରଦାନ କରାଯାଉଛି। ଏହା କେବଳ ସାହାଯ୍ୟ ନୁହେଁ, ଏହା ହିତାଧିକାରୀଙ୍କ ସାମର୍ଥ୍ୟ ବୃଦ୍ଧିର ଏକ ପ୍ରୟାସ। ଏହା ବ୍ୟତୀତ ପ୍ରାୟ ୧୨.୬୩ କୋଟି ଟଙ୍କା ବ୍ୟୟରେ ୩୦ଟି ବିଭିନ୍ନ ବିକାଶମୂଳକ ପ୍ରକଳ୍ପ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଛି। ଏହା ସମ୍ୱଲପୁରର ଭବିଷ୍ୟତକୁ ଆହୁରି ଉଜ୍ଜ୍ୱଳ କରିବ।
ପ୍ରଧାନ ଆହୁରି କହିଛନ୍ତି, ସମ୍ୱଲପୁର ମହାନଗର ନିଗମ ସହରର ସୌନ୍ଦର୍ଯ୍ୟକରଣ, ସ୍ୱଚ୍ଛତା ଏବଂ ନାଗରିକ ସୁବିଧା ସୁଯୋଗ ବୃଦ୍ଧି ପାଇଁ ନିରନ୍ତର କାର୍ଯ୍ୟ କରୁଛି। ସ୍ୱଚ୍ଛ ପାନୀୟ ଜଳଠାରୁ ଆରମ୍ଭ କରି ଉନ୍ନତ ଡ୍ରେନେଜ୍ ବ୍ୟବସ୍ଥା, ରାସ୍ତାଘାଟ, ରେଳ, ଆନୁସଙ୍ଗିକ ଭିତ୍ତିଭୂମି ପର୍ଯ୍ୟନ୍ତ ସବୁ କ୍ଷେତ୍ରରେ ପରିବର୍ତ୍ତନ ଆସୁଛି। ସମ୍ୱଲପୁରରେ ୪୫୦ କୋଟି ଟଙ୍କା ବ୍ୟୟରେ ୨୪ ଘଣ୍ଟିଆ ପାନୀୟ ଜଳ ପ୍ରକଳ୍ପ କାମ ଆରମ୍ଭ ହୋଇଛି।୧୬୦ କୋଟି ଟଙ୍କାର ରିଭରଫ୍ରଣ୍ଟ ଡେଭଲପମେଣ୍ଟ ପ୍ରକଳ୍ପ ପାଇଁ ଟେଣ୍ଡର କାମ ଶୀଘ୍ର ଶେଷ ହେବ। ୫୫୦ କୋଟି ଟଙ୍କା ବ୍ୟୟରେ ନୂଆ ଅଯୋଧ୍ୟାସାଗର ନିର୍ମାଣ କାମ ପାଇଁ ଟେଣ୍ଡର ହୋଇସାରିଛି। ମୋଦୀ ସରକାର ଏଠାରେ ୧୦୦ଟି ଇଲେକ୍ଟ୍ରିକ୍ ବସ ଚଳାଚଳ କରିବାର ବ୍ୟବସ୍ଥା କରିଛନ୍ତି। ୩୦୦ କୋଟି ଟଙ୍କାର ସ୍ଵେରେଜ ପ୍ରକଳ୍ପ, ୨୦୦ କୋଟି ଟଙ୍କାର ଡ୍ରେନେଜ ପ୍ରକଳ୍ପର କାମ ଚାଲୁ ରହିଛି ଏବଂ କିଛି ଆରମ୍ଭ ହେବାକୁ ଯାଉଛି। ପରଧିଆପାଲି ଓ ଠେଲକୋପଡାରେ ସୁଲଭ ଘର ପ୍ରକଳ୍ପ ଅଧୀନରେ ବଡ ହାଉସିଂ କଂପ୍ଲେକ୍ସ ନିର୍ମାଣର କଳ୍ପନା ରହିଛି। ହୀରାକୁଦର ବିକାଶ ପାଇଁ ପ୍ରାୟ ୧୦୦ କୋଟି ଟଙ୍କା ସରକାର ଦେଇଛନ୍ତି। ସେହିପରି ସହରରେ ୧୩୦୦ କୋଟି ଟଙ୍କା ବ୍ୟୟରେ ରିଙ୍ଗ ରୋଡ ନିର୍ମାଣ ବ୍ୟତୀତ ବିମାନବନ୍ଦର, ରେଳ କ୍ଷେତ୍ରରେ ବିକାଶ ଓ ଆନୁଷଙ୍ଗିକ ଭିତ୍ତିଭୂମିର କାମ ହେଉଛି। ସମ୍ୱଲପୁରକୁ ଏକ ସ୍ୱଚ୍ଛ ଓ ସୁନ୍ଦର ସହର ଭାବେ ଗଢ଼ି ତୋଳିବା ପାଇଁ ଆମକୁ ମିଳିମିଶି କାମ କରିବାକୁ ହେବ ବୋଲି ପ୍ରଧାନ କହିଥିଲେ।
ଏହି ଅବସରରେ ସମ୍ମାନୀତ ଅତିଥି ଭାବେ ଗ୍ରାମ୍ୟ ଉନ୍ନୟନ, ପଞ୍ଚାୟତିରାଜ ଓ ପାନୀୟ ଜଳ ମନ୍ତ୍ରୀ ରବି ନାରୟଣ ନାଏକ ଯୋଗ ଦେଇ ସମସ୍ତ ଗରିବ ପରିବାର କେମିତି ପକ୍କା ଘରେ ରହିବେ, ତାହା ସୁନିଶ୍ଚିତ କରିବା ପ୍ରଧାନମନ୍ତ୍ରୀଙ୍କ ସ୍ୱପ୍ନ ଥିଲା ବୋଲି କହିଥିଲେ। ସମସ୍ତ ବର୍ଗର ଲୋକ ସରକାରଙ୍କ ଦ୍ୱାରା ଲାଭାନ୍ୱିତ ହୋଇପାରିବେ, ସେ ପ୍ରକାର ଚିନ୍ତନ ନେଇ ଆମକୁ କାର୍ଯ୍ୟ କରିବାର ଆବଶ୍ୟକତା ଅଛି ବୋଲି କହିଥିଲେ। କାର୍ଯ୍ୟକ୍ରମରେ ସମ୍ମାନୀତ ଅତିଥି ରୂପେ ସମ୍ବଲପୁର ବିଧାୟକ ଜୟନାରାୟଣ ମିଶ୍ର, ପୂର୍ବତନ ବିଧାୟକ ନାଉରି ନାଏକ, ଉତ୍ତରାଞ୍ଚଳ ପୁଲିସ ରେଞ୍ଜ ଆଇଜି ହିଂମାଶୁ ଲାଲ, ଜିଲାପାଳ ସିଦ୍ଧେଶ୍ୱର ବଳିରାମ ବୋନ୍ଦର, ପୁଲିସ ଆରକ୍ଷୀ ଅଧୀକ୍ଷକ ମୁକେଶ ଭାମୁ ଓ ସମ୍ୱଲପୁର ମହାନଗର ନିଗମ ଆୟୁକ୍ତ ରେହାନ କ୍ଷତ୍ରୀ ପ୍ରମୁଖ ଉପସ୍ଥିତ ଥିଲେ।














