ଘଟଣାର ତଦନ୍ତ କରି ଅପରାଧୀକୁ ଖୋଜି ବାହାର କରିବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ
ଭୁବନେଶ୍ୱର: ରାଜ୍ୟର ୩ଟି କୋର୍ଟକୁ ବୋମାରେ ଉଡ଼ାଇ ଦେବାକୁ ଗୁରୁବାର ଧମକ ମିଳିଥିଲା। କଟକ, ସମ୍ବଲପୁର ଓ ଦେବଗଡ଼ ଜିଲ୍ଲା କୋର୍ଟକୁ ଉଡ଼ାଇ ଦେବା ପାଇଁ ଇମେଲ ମାଧ୍ୟମରେ ଆସିଥିଲା ଧମକ। ଏଥିପାଇଁ ବେଶ୍ କେଇ ଘଣ୍ଟା ଧରି ଏହି ସବୁ କୋର୍ଟଗୁଡ଼ିକ ଅଚଳ ହୋଇଯାଇଥିଲା। ତେବେ ଯାଞ୍ଚ ପରେ ଓ ଉକ୍ତ ଇମେଲ ମିଛ ବୋଲି ସ୍ପଷ୍ଟ ହେବା ପରେ ଅପରାହ୍ଣରେ କୋର୍ଟ କାର୍ଯ୍ୟ ପୁଣି ସ୍ୱାଭାବିକ ହୋଇଥିଲା।
ବୋମା ଧମକ ଯୋଗୁ ଏହି ତିନିଟି କୋର୍ଟ ସହିତ ହାଇକୋର୍ଟର କାର୍ଯ୍ୟ ମଧ୍ୟ କେଇ ଘଣ୍ଟା ପାଇଁ ବାଧାପ୍ରାପ୍ତ ହୋଇଥିଲା। ସୁରକ୍ଷା ଦୃଷ୍ଟିକୋଣରୁ ହାଇକୋର୍ଟ ବିଲ୍ଡିଂକୁ ଖାଲି କରି ଦିଆଯାଇଥିଲା। ସଂପୂର୍ଣ୍ଣ ଯାଞ୍ଚ ପରେ ପୁଣି ଥରେ ହାଇକୋର୍ଟର କାର୍ଯ୍ୟ ସ୍ୱାଭାବିକ ହୋଇଥିଲା। ମୁଖ୍ୟ ବିଚାରପତି ଓ ଆଉ ୩ ଜଣ ବିଚାରପତି ଶୁଣାଣି କରିଥିଲେ। ବୋମା ଧମକ ନେଇ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି ଯେ କୋର୍ଟକୁ ଆସିଥିବା ମେଲ୍ ମିଥ୍ୟା। ଏହା ହୋକ୍ସ ମେଲ୍ ବୋଲି ଜଣାପଡ଼ିଛି। ଏହାକୁ ନେଇ ଆତଙ୍କିତ ହେବାର କାରଣ ନାହିଁ। ମୁଖ୍ୟମନ୍ତ୍ରୀ ତଦନ୍ତ ନିର୍ଦ୍ଦେଶ ଦେଇ ସାରିଛନ୍ତି। ଯିଏ ଏହି କାମ କରିଛନ୍ତି, ତାଙ୍କୁ ଚିହ୍ନଟ କରାଯିବ। ଯାଞ୍ଚ ପରେ କୋର୍ଟଗୁଡ଼ିକରେ କାର୍ଯ୍ୟ ସ୍ୱାଭାବିକ ହୋଇଛି।
କୋର୍ଟଗୁଡ଼ିକୁ ବୋମା ଧମକ ମିଳିବା ପରେ ଗୃହ ବିଭାଗ ତତ୍ପରତା ଦେଖାଇଥିଲା। ଆବଶ୍ୟକ ପଦକ୍ଷେପ ନେବା ପାଇଁ ଓ ବରିଷ୍ଠ ପୁଲିସ ଅଧିକାରୀମାନଙ୍କୁ କୋର୍ଟକୁ ପଠାଇବାକୁ ଡିଜିପିଙ୍କୁ ନିର୍ଦ୍ଦେଶ ଦେଇଥିଲେ ଗୃହ ବିଭାଗ ଅତିରିକ୍ତ ମୁଖ୍ୟ ସଚିବ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମଧ୍ୟ ଏହାକୁ ଗୁରୁତ୍ୱର ସହିତ ନେଇ ମୁଖ୍ୟ ଶାସନ ସଚିବ, ଗୃହ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ଓ ଡିଜିପିଙ୍କ ସହିତ ଆଲୋଚନା କରିଥିଲେ। ସ୍ଥିତି ଉପରେ ତୀକ୍ଷ୍ଣ ଦୃଷ୍ଟି ରଖିବା ସହିତ ସଂପୃକ୍ତ ଅପରାଧୀକୁ ଖୋଜି ବାହାର କରିବାକୁ ନିର୍ଦ୍ଦେଶ ଦେଇଥିଲେ। ମୁଖ୍ୟମନ୍ତ୍ରୀ କହିଛନ୍ତି, ସାଧାରଣ ଲୋକଙ୍କ ଧନଜୀବନର ସୁରକ୍ଷା କ୍ଷେତ୍ରରେ କୌଣସି କୋହଳ ମନୋଭାବ ପୋଷଣ କରାଯାଇ ପାରିବ ନାହିଁ । ଏହି ଘଟଣାକୁ ଅତ୍ୟନ୍ତ ଗମ୍ଭୀରତାର ସହ ନେଇ ତଦନ୍ତ କରାଯିବ । ଏହାସହିତ ସମ୍ପୃକ୍ତ ସ୍ଥାନକୁ ଅଧିକାରୀମାନଙ୍କୁ ପଠାଇ ଏସମ୍ପର୍କରେ ସବିଶେଷ ତଥ୍ୟ ସଂଗ୍ରହ କରି ଏଭଳି ଘଟଣାର ମୂଳ ଉଦ୍ଦେଶ୍ୟକୁ ଜାଣିବା ଅତ୍ୟନ୍ତ ଆବଶ୍ୟକ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ଏହି ଘଟଣାକୁ ନେଇ ମୁଖ୍ୟମନ୍ତ୍ରୀ ଆଜି ସନ୍ଧ୍ୟାରେ ଏକ ଉଚ୍ଚସ୍ତରୀୟ ବୈଠକ ମଧ୍ୟ ଡାକିଛନ୍ତି। ଏଭଳି ଧମକ କେବଳ ଓଡ଼ିଶାର ୩ଟି କୋର୍ଟକୁ ଆସି ନଥିଲା। ଅନ୍ୟ ରାଜ୍ୟର କୋର୍ଟଗୁଡ଼ିକୁ ମଧ୍ୟ ଏହି ଧମକ ଆସିଥିଲା। ବିହାରର ପାଟନା ସିଭିଲ କୋର୍ଟକୁ ବୋମାରେ ଉଡ଼ାଇ ଦେବାକୁ ଧମକ ଆସିଥିଲା। ତା’ପୂର୍ବରୁ ଉତ୍ତରପ୍ରଦେଶ ଓ କର୍ଣ୍ଣାଟକାର କିଛି କୋର୍ଟ ଓ ତା’ପୂର୍ବରୁ ଗୁଜରାଟରେ କୋର୍ଟକୁ ଉଡ଼ାଇ ଦେବାକୁ ଧମକ ଆସିଥିଲା।














