ଭୁବନେଶ୍ୱର : ବିଜେଡିରୁ ବିଦାହେଲେ ଦୁଇ ବିଧାୟକ । ବିଧାୟକ ସନାତନ ମହାକୁଡ଼ ଓ ଅରବିନ୍ଦ ମହାପାତ୍ରଙ୍କୁ ନିଲମ୍ବନ କଲେ ସଭାପତି ନବୀନ ପଟ୍ଟନାୟକ । ଦଳ ବିରୋଧୀ କାର୍ଯ୍ୟ ପାଇଁ ବିଜେଡିରୁ ବିଦା ହେଲେ ଦୁଇ ବିଧାୟକ । ଦୁଇ ବିଧାୟକଙ୍କୁ ଦଳରୁ ନିଲମ୍ବନ କଲେ ବିଜୁ ଜନତା ଦଳ ସଭାପତି ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ । ଚମ୍ପୁଆ ବିଧାୟକ ସନାତନ ମହାକୁଡ଼ ଓ ପାଟକୁରା ବିଧାୟକ ଅରବିନ୍ଦ ମହାପାତ୍ରଙ୍କୁ ନିଲମ୍ବନ କଲେ ନବୀନ । ଗତକଲି ସନାତନ କେନ୍ଦୁଝରର ଏକ ସଭାରେ କହିଥିଲେ ଯେ, ନବୀନ କେନ୍ଦୁଝର ପାଇଁ କିଛି କରି ନାହାନ୍ତି । କେନ୍ଦୁଝରର ନେତା ତଥା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କେନ୍ଦୁଝର ପାଇଁ ବିକାଶ କରିବେ । ଯାହାକୁ ନେଇ ସନାଙ୍କୁ ଦଳରୁ ନିଲମ୍ବନ କରିଛନ୍ତି ନବୀନ ।
କିନ୍ତୁ ଅରବିନ୍ଦଙ୍କୁ ନିଲମ୍ବନ କରିବା ପଛରେ କୌଣସି ପ୍ରମୁଖ କାରଣ ସାମ୍ନାକୁ ଆସିନାହିଁ । କିନ୍ତୁ ବିଜେଡି ଭିତିରି ମହଲରୁ ମିଳିଥିବା ଖବର ଅନୁସାରେ ଅରବିନ୍ଦଙ୍କ ନିଲମ୍ବନ ପଛରେ ଅଧା ଡଜନରୁ ଅଧିକ କାରଣ ରହିଛି । ସେଥିରୁ ପ୍ରମୁଖ କାରଣ ଅନୁସାରେ, କିଛିଦିନ ତଳେ ନିଜ ନିର୍ବାଚନ ମଣ୍ଡଳୀରେ ଏକ ବୈଠକ କରିଥିଲେ ଅରବିନ୍ଦ । ଯେଉଁଥିରେ ଦଳ ମୁଖିଆଙ୍କ ନାମ ଓ ଫଟୋ ନଥିଲା । ବିଧାନସଭା ଭିତରେ ନିଜ ଦଳର ବିଧାୟକଙ୍କ ବିରୋଧରେ ପ୍ରଶ୍ନ କରିଥିଲେ ଅରବିନ୍ଦ । ସେ ଆସନ୍ତା କିଛିଦିନ ଭିତରେ ଏକ ଗୁପ୍ତ ବୈଠକ ପାଇଁ ଦିଲ୍ଲୀ ଯିବା ପାଇଁ ଯୋଜନା କରୁଥିଲେ । ଶେଷ ଓ ଗୁରୁତ୍ୱପୂର୍ଣ୍ଣ କାରଣ ଅନୁସାରେ ଅରବିନ୍ଦ ମୁଖ୍ୟମନ୍ତ୍ରୀଙ୍କୁ ବିଳମ୍ବିତ ରାତିରେ ଭେଟିଥିବା ନେଇ ଚର୍ଚ୍ଚା ହୋଇଥିଲା ।
୨୦୨୪ରେ ନବୀନଙ୍କ ବିଜୟ ରଥରେ ବ୍ରେକ୍ ଲାଗିବା ପରେ ବିଜେଡିରେ ଲାଗି ରହିଛି ବିଶୃଙ୍ଖଳା । ଦଳୀୟ ଫୋରମ ବାହାରେ ଭିନ୍ନ ମତ ରଖିବା ସହ ନେତାମାନେ ତୁଣ୍ଡକୁ ଯାହା ଆସିଲା କହୁଥିଲେ । ଗଣମାଧ୍ୟମରେ ବୟାନବାଜି ଚଳାଇଥିଲେ । ତେବେ ହଠାତ୍ ସନା ଓ ଅରବିନ୍ଦଙ୍କ ଉପରେ ନବୀନଙ୍କ ଖଣ୍ଡାଚୋଟ ପଛର କାରଣ କ’ଣ ତାହା ବିଜେଡି ପକ୍ଷରୁ ସ୍ପଷ୍ଟ କରାଯାଇନି । କେବଳ ଦଳବିରୋଧୀ କାର୍ଯ୍ୟ ବୋଲି ନବୀନଙ୍କ ଦସ୍ତଖତ ଥାଇ ବିଜେଡି ପକ୍ଷରୁ ପ୍ରେସ ଇସ୍ତାହାରରେ କୁହାଯାଇଛି ।
ବିଜେଡିର କାର୍ଯ୍ୟାନୁଷ୍ଠାନ ନେଇ ଅରବିନ୍ଦ ମହାପାତ୍ର ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇଛନ୍ତି। ଗଣମାଧ୍ୟମର ପ୍ରତିନିଧିଙ୍କୁ ସେ କହିଛନ୍ତି, ଦଳ ପାଇଁ କାମ କରିଛି। ଦଳ ବିରୋଧୀ କାମ କରି ନାହିଁ। ମୋ ଜାଣତରେ କୌଣସି ଦଳ ବିରୋଧୀ କାମ କରିନାହିଁ। ମୋର ନିଲମ୍ବନ ନେଇ ଗଣମାଧ୍ୟମରୁ ଜାଣିବାକୁ ପାଇଁଛ।














