ଭୁବନେଶ୍ବର : ଅନ୍ତର୍ଦେଶୀୟ ଜଳପଥ ବିକାଶ ପରିଷଦ (ଆଇଡବ୍ଲ୍ୟୁଡିସି)ର ତୃତୀୟ ବୈଠକ ୨୦୨୬ ଜାନୁଆରି ୨୪ରେ କେରଳର କୋଚିରେ ଅନୁଷ୍ଠିତ ହେଇଛି। ଏହାର ଉଦ୍ଦେଶ୍ୟ ହେଉଛି ଅନ୍ତର୍ଦେଶୀୟ ଜଳ ପରିବହନ (ଆଇଡବ୍ଲ୍ୟୁଟି) କ୍ଷେତ୍ରର ସଫଳତା ଉପରେ ଆଲୋକପାତ କରିବା ଏବଂ ଏହାର ଭବିଷ୍ୟତ ଦୃଷ୍ଟିକୋଣକୁ ରୂପରେଖ ପ୍ରଦାନ କରିବ। ଏହି ଦିବସବ୍ୟାପୀ ଅଧିବେଶନକୁ କେନ୍ଦ୍ରୀୟ ବନ୍ଦର, ଜାହାଜ ଏବଂ ଜଳପଥ ମନ୍ତ୍ରୀ ଶ୍ରୀ ସର୍ବାନନ୍ଦ ସୋନୱାଲ ଅଧ୍ୟକ୍ଷତା କରିଥିଲେ ଏବଂ ଏଥିରେ ରାଜ୍ୟ ମନ୍ତ୍ରୀ (ବନ୍ଦର, ଜାହାଜ ଏବଂ ଜଳପଥ) ଶ୍ରୀ ଶାନ୍ତନୁ ଠାକୁର ସହିତ ବିଭିନ୍ନ ରାଜ୍ୟର ମନ୍ତ୍ରୀମାନେ ଯୋଗ ଦେଇଥିଲେ।
ରାଜ୍ୟରେ ଏନଡବ୍ଲ୍ୟୁ-୫ ବିକାଶ ପାଇଁ ଆଇଡବ୍ଲ୍ୟୁଏଆଇ ପକ୍ଷରୁ ଓଡ଼ିଶା ସରକାରଙ୍କ ସହ ଏକ ୧୨,୨୦୪ କୋଟି ଟଙ୍କାର ଏମଓୟୁ ସ୍ବାକ୍ଷର କରାଯାଇଛି। ଆଇଡବ୍ଲ୍ୟୁଡିସି ୩.୦ ବୈଠକ ଏନଡବ୍ଲ୍ୟୁ-୬୪ (ମହାନଦୀ)ରେ ଫେୟାରୱେ ବିକାଶକୁ ପ୍ରାଥମିକତା ଦେବ ଯାହା ବଲ୍କ କାର୍ଗୋ (ବହୁ ପରିମାଣର ପଣ୍ୟ) ପରିବହନକୁ ସହଜ କରିବ ଏବଂ ଶିଳ୍ପ ଲଜିଷ୍ଟିକ୍ସକୁ ମଜବୁତ କରିବ। ଏହା ବ୍ୟତୀତ ନୌଚାଳନା ସହାୟକ ବ୍ୟବସ୍ଥା ସ୍ଥାପନ କରାଯାଇଛି, ନଦୀ କ୍ରୁଜ୍ ସର୍କିଟ୍ ଚିହ୍ନଟ ହୋଇଛି ଏବଂ ଓଡ଼ିଶାରେ ଅବଶିଷ୍ଟ ଜାତୀୟ ଜଳପଥରେ ବିକାଶମୂଳକ କାର୍ଯ୍ୟ ଆରମ୍ଭ ହେବାକୁ ଯାଉଛି। ଆଇଡବ୍ଲ୍ୟୁଡିସି ୩.୦ ଏଜେଣ୍ଡାରେ ଏକ ସ୍ଥାୟୀ ସହରାଚଂଳ ଜଳ ପରିବହନ ବ୍ୟବସ୍ଥା ନିର୍ମାଣ, ପଣ୍ୟ ପରିବହନର ଦକ୍ଷତା ବୃଦ୍ଧି, ଯାତ୍ରୀ ପରିବହନ ପାଇଁ ସବୁଜ ଜାହାଜ ପ୍ରୋତ୍ସାହନ, ନଦୀ କ୍ରୁଜ୍ ପର୍ଯ୍ୟଟନକୁ ଆଗକୁ ବଢ଼ାଇବା ଏବଂ ଡିଜିଟାଲ୍ ଓ ସ୍ଥାୟୀ ଅଭ୍ୟାସ କାର୍ଯ୍ୟକାରୀ କରିବା ଉପରେ ଅଧିବେଶନ ଆୟୋଜନ କରାଯିବ। ବୈଠକ ଅନ୍ତର୍ଦେଶୀୟ ଜଳପଥ ପାଇଁ ନିୟମାବଳୀ ସମୀକ୍ଷା କରିବ ଏବଂ କାର୍ଯ୍ୟକାରୀ ହୋଇଥିବା ଓ ପ୍ରସ୍ତାବିତ ଆଇଡବ୍ଲ୍ୟୁଟି ପ୍ରକଳ୍ପ ସମ୍ବନ୍ଧରେ ରାଜ୍ୟମାନଙ୍କ ଦ୍ୱାରା ଉଠାଯାଇଥିବା ଚିନ୍ତାକୁ ସମାଧାନ କରିବ।
ଭାରତରେ ବିସ୍ତୃତ ଅନ୍ତର୍ଦେଶୀୟ ଜଳପଥ ନେଟୱାର୍କ ରହିଛି, ଯେଉଁଠାରେ ବାର୍ଷିକ ୧୪୫ ନିୟୁତ ଟନରୁ ଅଧିକ ପଣ୍ୟ ପରିବହନ ହେଉଛି ଯାହା ଇନ୍ଧନ-ଦକ୍ଷ ଏବଂ ପରିବେଶ ଅନୁକୂଳ ପରିବହନ ମାଧ୍ୟମ ପ୍ରଦାନ କରୁଛି। ଅନ୍ତର୍ଦେଶୀୟ ଜଳପଥ ରେଳ ଏବଂ ରାସ୍ତା ନେଟୱାର୍କ ଉପରେ ରହୁଥିବା ଚାପକୁ କମ କରିବ। ରୋଲ ଅନ ରୋଲ ଅଫ (ରୋ ରୋ) ଯାନ ପରିବହନ ଏବଂ ନଦୀ କ୍ରୁଜ୍ ପର୍ଯ୍ୟଟନ ଭଳି ଉଦ୍ୟୋଗକୁ ସହଜ କରୁଛି। ମୋଟ ୧୧୧ଟି ଜାତୀୟ ଜଳପଥ ମଧ୍ୟରୁ ୨୩ଟି ରାଜ୍ୟ ଏବଂ ଚାରିଟି କେନ୍ଦ୍ରଶାସିତ ଅଂଚଳରେ ରହିଛି, ଯେଉଁଥିରୁ ୩୨ଟି ବର୍ତମାନ ପଣ୍ୟ ଏବଂ ଯାତ୍ରୀ ପରିବହନ ପାଇଁ ଚାଲୁଅଛି। ବନ୍ଦର, ଜାହାଜ ଏବଂ ଜଳପଥ ମନ୍ତ୍ରଣାଳୟ ଅଧୀନରେ ଥିବା ଇନଲ୍ୟାଣ୍ଡ ଓ୍ବାଟରୱେଜ୍ ଅଥରିଟି ଅଫ୍ ଇଣ୍ଡିଆ (ଆଇଡବ୍ଲ୍ୟୁଏଆଇ) ଏହି ଜଳପଥଗୁଡ଼ିକର ବିକାଶ, ରକ୍ଷଣାବେକ୍ଷଣ ଏବଂ ନିୟନ୍ତ୍ରଣ ପାଇଁ କାର୍ଯ୍ୟ କରୁଛି।














