ଭୁବନେଶ୍ୱର: ଲୋକସେବା ଭବନରେ ବିଶ୍ୱ ବ୍ୟାଙ୍କର ସଭାପତି ଅଜୟ ବାଙ୍ଗା ଓ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ମଧ୍ୟରେ ଗୁରୁବାର ଏକ ବୈଠକ ଅନୁଷ୍ଠିତ ହୋଇଛି। ଏଥିରେ ବିକାଶ କ୍ଷେତ୍ରରେ ସହଯୋଗକୁ ସୁଦୃଢ଼ କରିବା ଏବଂ ରାଜ୍ୟର ଦୀର୍ଘକାଳୀନ ଅଭିବୃଦ୍ଧି ଏବଂ ସଂସ୍କାର ଏଜେଣ୍ଡାକୁ ଆଗକୁ ବଢାଇବା ଉପରେ ଆଲୋଚନା କରାଯାଇଥିଲା। ସ୍ଥାୟୀ ବିକାଶକୁ ତ୍ୱରାନ୍ୱିତ କରିବା, ଭାରତର ଯୁବପିଢ଼ିଙ୍କୁ ଘରୋଇ କ୍ଷେତ୍ରର ଚାକିରି ପାଇଁ ଦକ୍ଷତା ପ୍ରଦାନ କରିବା, ଭିତ୍ତିଭୂମି ବୃଦ୍ଧି କରିବା, ସାମାଜିକ କ୍ଷେତ୍ରର ଉନ୍ନତି ଆଣିବା ଏବଂ ପ୍ରଯୁକ୍ତିବିଦ୍ୟା ଆଧାରିତ ଅଭିବୃଦ୍ଧିକୁ ପ୍ରୋତ୍ସାହିତ କରିବା ଉପରେ ଗୁରୁତ୍ୱାରୋପ କରାଯାଇଥିଲା।
ଏଥିରେ ରାଜ୍ୟ ସରକାରଙ୍କ ପ୍ରମୁଖ ପଦକ୍ଷେପଗୁଡ଼ିକ ଉପରେ ମୁଖ୍ୟମନ୍ତ୍ରୀ ଆଲୋକପାତ କରିଥିଲେ । ଓଡ଼ିଶାକୁ ବ୍ୟବସାୟ ଅନୁକୂଳ କରିବା ପାଇଁ ଆଇନ ଏବଂ ନିୟମରେ ସଂସ୍କାର ଆଣିଛି । ତେଣୁ ବିପୁଳ ନିବେଶ ଆକର୍ଷିତ କରାଯାଇଛି। ଭିତ୍ତିଭୂମି, ସୂକ୍ଷ୍ମ କ୍ଷୁଦ୍ର ଏବଂ ମଧ୍ୟମ ଉଦ୍ୟୋଗ, କୃଷି ଏବଂ ଆନୁଷଙ୍ଗିକ କ୍ଷେତ୍ର ଏବଂ ପର୍ଯ୍ୟଟନରେ ନିବେଶ ବୃଦ୍ଧି କରି ଯୁବପିଢ଼ି ଏବଂ ମହିଳାମାନଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି କରାଯାଇପାରିବ। ଡିସେମ୍ବର ୨୦୨୫ ରେ CMIE ଦ୍ୱାରା ପ୍ରକାଶିତ ତଥ୍ୟ ଅନୁଯାୟୀ, ଏହା ୨.୫ ଲକ୍ଷ କୋଟି ନିବେଶ ସହିତ ଆନ୍ଧ୍ର ପ୍ରଦେଶ ପରେ ଦ୍ୱିତୀୟ ସ୍ଥାନରେ ରହିଛି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।
ରାଜ୍ୟର ବିକାଶ ପ୍ରୟାସ ଏବଂ ସଂସ୍କାର ଆଭିମୁଖ୍ୟକୁ ବିଶ୍ୱ ବ୍ୟାଙ୍କର ସଭାପତି ପ୍ରଶଂସା କରିଥିଲେ । ରାଜ୍ୟର ଯୁବପିଢ଼ି ପାଇଁ ଅଧିକ ଘରୋଇ କ୍ଷେତ୍ରର ନିଯୁକ୍ତି ସୃଷ୍ଟି କରିବା ପାଇଁ ଦକ୍ଷତା ବିକାଶ ଉପରେ ଧ୍ୟାନ ଦିଆଯାଇଥିବାରୁ ସେ ପ୍ରଶଂସା କରିଥିଲେ। ବୈଷୟିକ ସହାୟତା, ନୀତି ପରାମର୍ଶଦାତା ସେବା ଏବଂ ଆର୍ଥିକ ସହଯୋଗ ମାଧ୍ୟମରେ ରାଜ୍ୟକୁ ବିଶ୍ୱ ବ୍ୟାଙ୍କ ସମର୍ଥନ କରିବ ବୋଲି କହିଥିଲେ। ଭିତ୍ତିଭୂମି ନିର୍ମାଣ, ସହରୀକରଣ ପରିଚାଳନା ଏବଂ ସ୍ଥାୟୀ ସମ୍ବଳ ପରିଚାଳନା ଭଳି ପ୍ରସଙ୍ଗଗୁଡ଼ିକର ସମାଧାନ ପାଇଁ ସହଯୋଗୀ ଆଭିମୁଖ୍ୟର ଆବଶ୍ୟକତା ଉପରେ ମତ ବିନିମୟ କରିଥିଲେ। ରାଜ୍ୟର ବିକାଶ ପ୍ରାଥମିକତା ଏବଂ ବିଶ୍ୱ ବ୍ୟାଙ୍କର ରଣନୈତିକ ଉଦ୍ଦେଶ୍ୟ ସହିତ ସମନ୍ୱିତ ନୂତନ ସହଯୋଗ କ୍ଷେତ୍ର ଅନୁସନ୍ଧାନ କରିବା ଉପରେ ଗୁରୁତ୍ବ ଦିଆଯାଇଥି। ଏହି ବୈଠକରେ ଓଡିଶାର ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ , ଉନ୍ନୟନ କମିଶନର ଡି. କେ. ସିଂହ ଏବଂ ବିଶ୍ୱ ବ୍ୟାଙ୍କର ପ୍ରତିନିଧିମାନେ ସାମିଲ ହୋଇ ଥିଲେ।














