କଟକ: ସାରା ଦେଶ ଦେଶପ୍ରେମର ରଙ୍ଗରେ ରଙ୍ଗେଇ ହୋଇଥିବା ବେଳେ ପ୍ରତିଷ୍ଠିତ ମସଲା ପ୍ରସ୍ତୁତକାରୀ ସଂସ୍ଥା ‘ଭାରତ ମସଲା’ ପକ୍ଷରୁ ବାରଙ୍ଗସ୍ଥିତ ରାମଦାସ ପୁର କାରଖାନା ପରିସରରେ ଗଣତନ୍ତ୍ର ଦିବସ ଅତ୍ୟନ୍ତ ଉତ୍ସାହ ଓ ଉଦ୍ଦୀପନା ସହକାରେ ପାଳିତ ହୋଇଯାଇଛି। କାର୍ଯ୍ୟକ୍ରମ ପ୍ରାରମ୍ଭରେ ସଂସ୍ଥାର ଅଧ୍ୟକ୍ଷ ସୁରେନ୍ଦ୍ର ନାଥ ପଣ୍ଡା ପତାକା ଉତ୍ତୋଳନ କରିବା ସହ ଉପସ୍ଥିତ କର୍ମଚାରୀ ଓ ଅତିଥିମାନଙ୍କୁ ସମ୍ବିଧାନରର ମହତ୍ତ୍ୱ ଏବଂ ଦେଶ ଗଠନରେ ଶିଳ୍ପ ଜଗତର ଭୂମିକା ସମ୍ପର୍କରେ ଉଦ୍ବୋଧନ ଦେଇଥିଲେ। ଉତ୍ସବରେ ଭାରତ ମସଲାର ପରିଚାଳନା ନିର୍ଦ୍ଦେଶକ ସୁଶାନ୍ତ କୁମାର ପଣ୍ଡା ଯୋଗଦେଇ ସଂସ୍ଥାର ପ୍ରଗତି ଏବଂ ଗୁଣାତ୍ମକ ମାନ ବଜାୟ ରଖିବା ସହ ଜାତୀୟ ଅର୍ଥନୀତିରେ ସମସ୍ତଙ୍କ ଅଳ୍ପ ବହୁତ ଯୋଗଦାନ ଦେଇ ବିକଶିତ ଭାରତକୁ ଆଗେଇ ନେବାକୁ ସମସ୍ତଙ୍କୁ ଆହ୍ୱାନ ଦେଇଥିଲେ।ଏହି ଅବସରରେ ମୁଖ୍ୟ ଅତିଥି ଭାବେ ସିଆରପିଏଫ୍ର ଅବସରପ୍ରାପ୍ତ ଆଇଜି ସୁବ୍ରତ କୁମାର ମିଶ୍ର ଯୋଗଦେଇ ଏକ ପ୍ରେରଣାଦାୟୀ ଅଭିଭାଷଣ ପ୍ରଦାନ କରିଥିଲେ। ସେ ନିଜର ସାମରିକ ଅନୁଭୂତି ବର୍ଣ୍ଣନା କରିବା ସହ ଅନୁଶାସନ, ନିଷ୍ଠା ଏବଂ ଦେଶପ୍ରେମ କିଭଳି ଜଣେ ବ୍ୟକ୍ତି ତଥା ଏକ ଅନୁଷ୍ଠାନକୁ ଶୀର୍ଷରେ ପହଞ୍ଚାଇଥାଏ, ସେ ସମ୍ପର୍କରେ ଆଲୋକପାତ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ସମ୍ମାନିତ ଅତିଥିଭାବେ ଦୂରଦର୍ଶୀ ର ସମ୍ପାଦକ ଦୁର୍ଗା ସାମନ୍ତରାୟ ,ଜିଏମ୍-ଅପରେସନ ଅରୁଣ ନାୟକ, ଜିଏମ୍ ପ୍ରଡକ୍ସନ ନବକୃଷ୍ଣ ପ୍ରଧାନ ପ୍ରମୁଖ ନିଜ ନିଜର ବକ୍ତବ୍ୟ ରଖି କର୍ମଚାରୀମାନଙ୍କୁ ଉତ୍ସାହିତ କରିଥିଲେ।କାର୍ଯ୍ୟକ୍ରମ ଶେଷରେ ସମସ୍ତ କର୍ମଚାରୀଙ୍କ ମଧ୍ୟରେ ମିଷ୍ଟାନ୍ନ ବଣ୍ଟନ କରାଯାଇଥିଲା














