ଭୁବନେଶ୍ୱର : ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ୬ ଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି। ଏହି ଗସ୍ତର ତୃତୀୟ ଦିନରେ ବୁଧବାର ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କୁ ଦର୍ଶନ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଶ୍ବେତଗଙ୍ଗାରେ ପିଣ୍ଡଦାନ ପରେ ଶ୍ରୀମନ୍ଦିରରେ ପହଞ୍ଚି ଶ୍ରୀଜିଉଙ୍କୁ ଦର୍ଶନ କରିଛନ୍ତି ରାଷ୍ଟ୍ରପତି। ତାଙ୍କ ସହିତ ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ ମଧ୍ୟ ଅଛନ୍ତି । ବୁଧବାର ସକାଳେ ରାଷ୍ଟ୍ରପତି ଲୋକ ଭବନରୁ କାରଗେଡ ଯୋଗେ ସୁରକ୍ଷା ବଳୟରେ ବଡ଼ ଦାଣ୍ଡ ହୋଇ ପ୍ରଥମେ ଶ୍ୱେତ ଗଙ୍ଗାକୁ ଯାଇଥିବାବେଳେ ସେଠାରେ ପିଣ୍ଡ ଦାନ କରିଥିଲେ । ପରେ ୭ଟା ୪୦ସୁଦ୍ଧା ଶ୍ରୀମନ୍ଦିର ସମ୍ମୁଖରେ ପହଞ୍ଚିଥିବାବେଳେ ଗଜପତି ମହାରାଜା ତାଙ୍କୁ ସ୍ୱାଗତ କରିଥିଲେ l ରାଷ୍ଟ୍ରପତି ସାଧାରଣ ଲୋକଙ୍କ ଭଳି ହାତ ଗୋଡ଼ ଧୋଇ ଅରୁଣ ସ୍ତମ୍ବ ସ୍ପର୍ଶ କରି ଶ୍ରୀମନ୍ଦିର ଭିତରକୁ ପ୍ରବେଶ କରିଥିଲେ l ଅବକାଶ ନୀତି ପରେ ମହାପ୍ରଭୁଙ୍କୁ ଗର୍ଭଗୃହରେ ଦର୍ଶନ କରି ଭାବପ୍ରବଣ ହୋଇପଡିଥିଲେ ମହାମହିମ । ମହାଲକ୍ଷ୍ମୀଙ୍କ ସହ ବିମଳାଙ୍କ ଦର୍ଶନ କରିଥିବାବେଳେ ଶ୍ରୀମନ୍ଦିର ଭିତରେ ୪୫ ମିନିଟ୍ରୁ ଅଧିକ ସମୟ ଅତିବାହିତ କରିଥିଲେ l ଫେରିବାବେଳେ ସାଧାରଣ ଭକ୍ତଟିଏ ଭଳି ବାଇଶି ପାହାଚରେ ବସିପଡ଼ିଥିଲେ ଏଭଳି, କିଛି ସମୟ ଧ୍ୟାନ ବି କରିଥିଲେ। ବେକରେ ଶୋଭା ପାଉଥିଲା ସୁଲମ୍ବ ତୁଳସୀ ମାଳ। ସାଙ୍ଗରେ ଥିଲେ ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ ଏବଂ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। ଆଜି ମହାମହିମଙ୍କ ଉଦ୍ଦେଶ୍ୟରେ ବାନା ଲଗାଯାଇଥିବାବେଳେ ପ୍ରତ୍ୟାବର୍ତ୍ତନ ସମୟରେ ସେବାୟତ ମାନେ ରାଷ୍ଟ୍ରପତୀଙ୍କୁ ମହାପ୍ରଭୁଙ୍କ କରପଲ୍ଳଭ ଉପହାର କରିଥିଲେ l ସେହିପରି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ମଧ୍ୟ ରାଷ୍ଟ୍ରପତିଙ୍କୁ ମହାପ୍ରଭୁଙ୍କ ଲାଗି ଖଣ୍ଡୁଆ ସମେତ ସୁନା ବେଶର ପଟ୍ଟଚିତ୍ର ଉପହାର ସ୍ୱରୂପ ପ୍ରଦାନ କରାଯାଇଥିଲା l ମନ୍ଦିରରୁ ବଡ଼ଦାଣ୍ଡରେ କିଛି ବାଟ ଚାଲି ଚାଲି ଜନତାଙ୍କ ଅଭିଭାଦନ ଗ୍ରହଣ କରିଥିଲେ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ପୁରୀକୁ ଏହା ଚତୁର୍ଥ ଗସ୍ତ l ଶ୍ରୀମନ୍ଦିରରୁ ଦର୍ଶନ ସାରି ରାଷ୍ଟ୍ରପତି ବେସ କିଛି ବାଟ ବଡ଼ଦାଣ୍ଡରେ ଚାଲିଚାଲି ଫେରିବା ସମୟରେ ସାଧାରଣ ଲୋକମାନଙ୍କ ଅଭିବାଦନ ଗ୍ରହଣ କରିଥିଲେ l ପରେ ପୁରୀ ଲୋକ ଭବନକୁ ଯାଇ କିଛି ସମୟ ବିରତି ପରେ ପୁରୀ ହେଲିପ୍ୟାଡ଼କୁ ସୁରକ୍ଷା ମଧ୍ୟରେ ଆସି ପହଞ୍ଚିଥିଲେ l ପୁରୀ ହେଲିପ୍ୟାଡ଼ ଠାରେ ରାଷ୍ଟ୍ରପତିଙ୍କୁ ବିଦାୟ ପ୍ରଦାନ କରାଯାଇଥିବାବେଳେ ସେଠାରୁ ସିଧାସଳଖ ରାଇରଙ୍ଗପୁର ଯାଇଥିଲେ l














