ରାଇରଙ୍ଗପୁର: ଆଜି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଓଡ଼ିଶା ଗସ୍ତର ଚତୁର୍ଥ ଦିନ । ଗତକାଲି ରାଇରଙ୍ଗପୁର ଗସ୍ତରେ ଆସି ଏକାଧିକ କାର୍ଯ୍ୟକ୍ରମରେ ଯୋଗ ଦେବା ପରେ ଆଜି ମୟୂରଭଞ୍ଜର ସ୍ଥିତ ତାଙ୍କ ଶଶୁର ଘର ଗାଁ ତଥା ପାହାଡପୁରକୁ ଆସିଛନ୍ତି ମହାମହିମ । ପାରମ୍ପାରିକ ଆଦିବାସୀ ନୃତ୍ୟର ତାଳେ ତାଳେ ରାଷ୍ଟ୍ରପତିଙ୍କୁ ସ୍ବାଗତ କରିଛନ୍ତି ସ୍ଥାନୀୟ ବାସିନ୍ଦା । ଏସଏଲଏସ ସ୍ମାରକୀ ଆବାସିକ ବିଦ୍ୟାଳୟକୁ ଗସ୍ତ କରିବା ସହ ଗୋଷାଣୀ ପୀଠରେ ଆଶୀର୍ବାଦ ନେଇଛନ୍ତି ରାଷ୍ଟ୍ରପତି । ଏହି ଅବସରରେ ଛାତ୍ରଛାତ୍ରୀ, ମହିଳା, ବେକାର ଯୁବକଯୁବତୀଙ୍କ ସହ ଆଲୋଚନା କରିଥିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ।
ଆଜି(ଗୁରୁବାର) ସକାଳୁ ରାଇରଙ୍ଗପୁର ସ୍ଥିତ ନିଜ ବାସଭବନରେ ନିତ୍ୟକର୍ମ ସାରି, ସକାଳ ଜଳଖିଆ ପରେ କଡ଼ା ସୁରକ୍ଷା ବଳୟ ମଧ୍ୟରେ ସ୍ବତନ୍ତ୍ର କାରକେଡ ଯୋଗେ କୁସୁମୀ ବ୍ଲକ ଅନ୍ତର୍ଗତ ପାହାଡପୁର ଅଭିମୁଖେ ଯାତ୍ରା ଆରମ୍ଭ କରିଥିଲେ ରାଷ୍ଟ୍ରପତି । ସକାଳ ୯ଟା ୫୮ସମୟରେ ସେ ପାହାଡପୁର ସ୍ଥିତ ଏସଏଲଏସ ସ୍ମାରକୀ ଆବାସିକ ବିଦ୍ୟାଳୟ ପହଞ୍ଚିଥିଲେ ।
ବିଦ୍ୟାଳୟରେ ରାଷ୍ଟ୍ରପତି ପହଞ୍ଚିବା ପରେ ରାଷ୍ଟ୍ରପତିଙ୍କୁ ପାରମ୍ପରିକ ଆଦିବାସୀ ନୃତ୍ୟ ଗୀତ ପରିବେଷଣ ମାଧ୍ୟମରେ ସ୍ବାଗତ କରାଯାଇଥିଲା । ସେଠାରୁ ରାଷ୍ଟ୍ରପତି ଚାଲିଚାଲି ମୁର୍ମୁ ଛକ ଆସିଥିଲେ । ସେଠାରେ ରହିଛି ତାଙ୍କ ସ୍ବାମୀ ଶ୍ୟାମ ଚରଣ ମୁର୍ମୁଙ୍କ ପ୍ରତିମୂର୍ତ୍ତି । ସ୍ବାମୀଙ୍କ ପ୍ରତିମୂର୍ତ୍ତିରେ ପୂଜାର୍ଚ୍ଚନା ଓ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ ମହାମହିମ । ସେଠାରୁ ପୁଣି ଚାଲି ଚାଲି ଗୋଷାଣୀ ପୀଠକୁ ଯାଇଥିଲେ । ସେଠାରେ ସାନ୍ତାଳୀ ପାରମ୍ପାରିକ ରୀତିନୀତି ରେ ରାଷ୍ଟ୍ରପତିଙ୍କୁ ସ୍ବାଗତ କରିଥିଲେ ଗ୍ରାମବାସୀ । ଗୋଷାଣୀ ପୀଠରେ ଦେବାଦେବୀଙ୍କ ଠାରୁ ଆଶୀର୍ବାଦ ଭିକ୍ଷା କରି ସେଠାରେ ଗ୍ରାମବାସୀଙ୍କ ସହିତ ଭାବର ଆଦାନ ପ୍ରଦାନ କରିଥିଲେ।
ଗୋଷାଣୀ ପୀଠ ଦର୍ଶନ ପରେ ସ୍ବତନ୍ତ୍ର କାରକେଡ ଯୋଗେ ଗାଁ ସ୍ଥିତ ସାନ୍ତାଳୀଙ୍କ ପୂଜା ସ୍ଥଳୀ ଜାହିରା ପୀଠକୁ ଯାଇଥିଲେ ରାଷ୍ଟ୍ରପତି । ଜାହିରାରେ ପୂଜକ ନାଏକେ ବାବାଙ୍କ ଉପସ୍ଥିତିରେ ରାଷ୍ଟ୍ରପତି ମୁଣ୍ଡିଆ ମାରି ଜାହିରା ଆୟୋ(ଜାହିରା ମାଆ)ଙ୍କ ଆଶୀର୍ବାଦ ନେଇଥିଲେ । ସେଠାରେ ମଧ୍ୟ କେବଳ ମହିଳା ମାନଙ୍କ ସହ କଥାବାର୍ତ୍ତା ହୋଇଥିଲେ । ସେମାନଙ୍କର ଭଲମନ୍ଦ ପଚାରି ବୁଝିଲେ ରାଷ୍ଟ୍ରପତି। ସେମାନେ କିପରି ଅଛନ୍ତି, ସୁଖ ଦୁଃଖ ପଚାରି ବୁଝିଥିଲେ ରାଷ୍ଟ୍ରପତି । ଏଥିସହ ସେଠାରେ ଗାଁର କିଛି ପିଲାଙ୍କୁ ଚକୋଲେଟ ବାଣ୍ଟିଥିଲେ । ସେହିପରି ଆଉ ଜଣେ ଆଦିବାସୀ ମହିଳା ସୋନା ମୁର୍ମୁ କହିଛନ୍ତି, ‘କେମିତି ଅଛ, କାମ କେମିତି ଚାଲିଛି ରାଷ୍ଟ୍ରପତି ପଚାରିଥିଲେ । ସାନ୍ତାଳୀ ଭାଷାରେ କଥା ହୋଇଥିଲେ । ବହୁତ ଖୁସି ଲାଗୁଛି ।’ରାଷ୍ଟ୍ରପତିଙ୍କ ସହ ଆଲୋଚନା କରିଥିଲା ଜଣେ ଆଦିବାସୀ ମହିଳା କହିଛନ୍ତି, ‘କେମିତି ଅଛି ରାଷ୍ଟ୍ରପତି ପଚାରି ବୁଝିଥିଲେ । ଏଥିପାଇଁ ବହୁତ ଖୁସି ଲାଗୁଛି ସେ ଆସିଛନ୍ତି ।
ଏହାପରେ ରାଷ୍ଟ୍ରପତି ପାହାଡପୁର ଗ୍ରାମ ସ୍ଥିତ ଦକ୍ଷତା ବିକାଶ କେନ୍ଦ୍ର ଯାଇ ସେଠାରେ ପ୍ରଶିକ୍ଷଣ ନେଉଥିବା ଛାତ୍ରଛାତ୍ରୀ ମାନଙ୍କ ସହିତ ଭାବ ବିନିମୟ କରିଥିଲେ । ସେମାନଙ୍କ ସହିତ କାର୍ଯ୍ୟ ସମ୍ବନ୍ଧରେ ଆଲୋଚନା କରିଥିଲେ । ପରେ ସେଠାରୁ ଏସଏଲଏସ ସ୍ମାରକୀ ଆବାସିକ ବିଦ୍ୟାଳୟ ଆସି ସେଠାରେ ଗ୍ରାମବାସୀ, ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ ଓ ଛାତ୍ରଛାତ୍ରୀ ମାନଙ୍କ ସହ ମିଶିଥିଲେ । ସେମାନଙ୍କ ସହିତ ପାଠପଢ଼ା ସମ୍ବନ୍ଧରେ ଆଲୋଚନା ମଧ୍ୟ କରିଥିଲେ ।
ତେବେ ରାଷ୍ଟ୍ରପତି ଏସଏଲଏସ ସ୍ମାରକୀ ଆବାସିକ ବିଦ୍ୟାଳୟ, ଜାହିରା ପୀଠ, ଗୋଷାଣୀ, ଦକ୍ଷତା ବିକାଶ କେନ୍ଦ୍ର ପରିଦର୍ଶନ ସାରି ସେଠାରୁ ବାହାରି ରାଇରଙ୍ଗପୁର ସ୍ଥିତ ଶ୍ରୀଜଗନ୍ନାଥ ମନ୍ଦିରକୁ ଆସିଥିଲେ । ମନ୍ଦିରରେ ପୂଜାର୍ଚ୍ଚନା ନିମନ୍ତେ ସ୍ବତନ୍ତ୍ର ବ୍ୟବସ୍ଥା ହୋଇଥିଲା । ରାଷ୍ଟ୍ରପତି ଜଗନ୍ନାଥ ମନ୍ଦିର ମହାପ୍ରଭୁଙ୍କୁ ଦର୍ଶନ କରି ପୂଜାର୍ଚ୍ଚନା କରିଛନ୍ତି । ଏଥି ସହିତ ସେବାୟତ ମାନଙ୍କୁ ଭୋଜନ କରାଇ ଆଶୀର୍ବାଦ ଭିକ୍ଷା କରିଛନ୍ତି । ଏହାପରେ ମନ୍ଦିର ପରିସରରେ ଉପସ୍ଥିତ ଥିବା ଲୋକଙ୍କୁ ଭେଟିଛନ୍ତି । ମନ୍ଦିର ବେଢ଼ା ପରିକ୍ରମା କରି ରାଷ୍ଟ୍ରପତି ନିଜେ ମଧ୍ୟ ପ୍ରସାଦ ସେବନ କରିଛନ୍ତି । ମନ୍ଦିରରୁ ବାହାରି ନିଜ ବାସଭବନକୁ ଯାଇ ବିଶ୍ରାମ କରି ଯଶିପୁର ଅଭିମୁଖେ ଯାତ୍ରା କରିଛନ୍ତି । ସେଠାରୁ ଶିମିଳିପାଳ ଅଭୟାରଣ୍ୟ ଯାଇ ରାଷ୍ଟ୍ରପତି ରାତ୍ରି ରହଣି କରିବାର କାର୍ଯ୍ୟକ୍ରମ ରହିଛି ।













