ଭୁବନେଶ୍ୱର-କଟକ-ପୁରୀ-ପାରାଦୀପ ମଡେଲରେ ଏହି ଦୁଇଟି 'ସିଟି ଇକୋନୋମିକ ରିଜିୟନ' ଗଠନ ପାଇଁ ପ୍ରସ୍ତାବ
ସମ୍ବଲପୁର-ସୁନ୍ଦରଗଡ଼-ଝାରସୁଗୁଡ଼ା-ବରଗଡ଼ କ୍ଲଷ୍ଟର ଭୁବନେଶ୍ୱର, ରାୟପୁର, ରାଞ୍ଚିର ୩୦୦ କିମି ପରିଧି ମଧ୍ୟରେ ରହିଛି
ନୂଆଦିଲ୍ଲୀ/ଭୁବନେଶ୍ୱର : ସମ୍ବଲପୁର-ସୁନ୍ଦରଗଡ଼-ଝାରସୁଗୁଡ଼ା-ବରଗଡ଼ କ୍ଲଷ୍ଟର ଏବଂ ଅନୁଗୋଳ-ଢେଙ୍କାନାଳ କ୍ଲଷ୍ଟରକୁ ଦୁଇଟି ପୃଥକ ‘ସିଟି ଇକୋନୋମିକ ରିଜିୟନ’ ଭାବରେ ବିକଶିତ କରିବା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଚିଠି ଲେଖି ଅନୁରୋଧ କରିଛନ୍ତି । ଭୁବନେଶ୍ୱର-କଟକ-ପୁରୀ-ପାରାଦୀପ ଅର୍ଥନୈତିକ କ୍ଷେତ୍ର (ବିସିପିପିଇଆର) ମଡେଲରେ ଏହି ଇକୋନୋମିକ ରିଜିୟନ ଗଠନ ପାଇଁ ସେ ପ୍ରସ୍ତାବ ଦେଇଛନ୍ତି ।
ଶ୍ରୀ ପ୍ରଧାନ ଚିଠିଣେ ଦର୍ଶାଇଛନ୍ତି ଯେ, ସମ୍ବଲପୁର-ସୁନ୍ଦରଗଡ଼-ଝାରସୁଗୁଡ଼ା-ବରଗଡ଼ ଅଞ୍ଚଳରେ ପ୍ରଚୁର ଖଣିଜ ସମ୍ପଦ, ଶିଳ୍ପ ଭିତ୍ତିଭୂମି ରହିଛି। ଏନଆଇଟି ରାଉରକେଲା, ଆଇଆଇଏମ ସମ୍ବଲପୁର, ଭିସୁଟ ବୁର୍ଲା ଏବଂ ସମ୍ବଲପୁର ବିଶ୍ୱବିଦ୍ୟାଳୟ ଭଳି ପ୍ରତିଷ୍ଠିତ ଶିକ୍ଷାନୁଷ୍ଠାନ ଯୋଗୁଁ ଏହା ଆଧୁନିକ ଜ୍ଞାନକୌଶଳ, ନବସୃଜନ ଏବଂ ନୂଆ ନୂଆ ଷ୍ଟାର୍ଟଅପ୍ କ୍ଷେତ୍ରରେ ‘ନ୍ୟୁ ଏଜ୍ ଇକୋନୋମୀ’ର ଏକ କେନ୍ଦ୍ରବିନ୍ଦୁ ଭାବରେ ସ୍ଥାପିତ କରୁଛି । ଉତ୍ତମ ସଂଯୋଗୀକରଣ ଏବଂ ପ୍ରଚୁର ସମ୍ପଦ ଯୋଗୁଁ ଏହାକୁ ଏକ ‘ସିଟି ଇକୋନୋମିକ ରିଜିୟନ’ ଭାବେ ଗଢ଼ିବା ପାଇଁ ସବୁ ପ୍ରକାର ଯୋଗ୍ୟତା ରହିଛି । ସଡ଼କ ଓ ରେଳପଥ ସହ ଝାରସୁଗୁଡ଼ା (ବୀର ସୁରେନ୍ଦ୍ର ସାଏ ବିମାନବନ୍ଦର), ରାଉରକେଲା, ସମ୍ବଲପୁର (ଜମାଦାରପାଲି) ଏବଂ ବରଗଡ଼ (ସତିଭଟା)ର ବିମାନ ଚଳାଚଳ ଭିତ୍ତିଭୂମିକୁ ସୁଦୃଢ଼ କରିବା ଉପରେ ଗୁରୁତ୍ୱ ଦିଆଯାଇଛି । ଏହି ଅଞ୍ଚଳରେ ଥିବା ଦେବ୍ରିଗଡ, ଭୀମମଣ୍ଡଳୀ, ବେଦବ୍ୟାସ, ଖଣ୍ଡାଧାର ପ୍ରଧାନପାଟ ଭଳି ପର୍ଯ୍ୟଟନର ଯଥେଷ୍ଟ ସମ୍ଭାବନା ରଖୁଛି ।
ସେହିପରି ଅନୁଗୋଳ-ଢେଙ୍କାନାଳ ରିଜିୟନ କେବଳ ଓଡ଼ିଶା ପାଇଁ ନୁହେଁ, ବରଂ ସାରା ଭାରତର ଆର୍ଥିକ ପ୍ରଗତି ପାଇଁ ଖୁବ୍ ଗୁରୁତ୍ୱପୂର୍ଣ୍ଣ । ଏଠାରେ ପ୍ରଚୁର ପରିମାଣରେ କୋଇଲା, କ୍ରୋମାଇଟ୍ ଏବଂ ଲୁହା ପଥର ମିଳୁଥିବାରୁ ଏହା ଭାରୀ ଶିଳ୍ପ, ନୂତନ କାରଖାନା ଏବଂ ସୌର ଶକ୍ତି ଭଳି ଅକ୍ଷୟ ଶକ୍ତି ଉତ୍ପାଦନ ପାଇଁ ଏକ ଉତ୍କୃଷ୍ଟ ସ୍ଥାନ । ଅନୁଗୋଳ-ଢେଙ୍କାନାଳ ଅଞ୍ଚଳରେ ବ୍ରାହ୍ମଣୀ ନଦୀ ଦେଇ ନିକଟରେ ଘୋଷଣା କରାଯାଇଥିବା ୫ ନମ୍ବର ଜାତୀୟ ଜଳପଥ ପରିବହନ କ୍ଷେତ୍ରରେ ବିପ୍ଳବ ଆଣିବ । ଏହା ତାଳଚେର, କଳିଙ୍ଗନଗର ଓ ପାରାଦୀପ ମଧ୍ୟରେ ଖଣିଜ ଦ୍ରବ୍ୟର ଶସ୍ତା ପରିବହନ ପାଇଁ ରାସ୍ତା ଫିଟାଇବ ।
କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ, ସମ୍ବଲପୁର-ସୁନ୍ଦରଗଡ଼-ଝାରସୁଗୁଡ଼ା-ବରଗଡ଼ ଓ ଅନୁଗୋଳ-ଢେଙ୍କାନାଳ କ୍ଲଷ୍ଟର ରାଜ୍ୟର ମୋଟ ଜିଏସଡିପିରେ ୨୬ % ରୁ ଅଧିକ ଯୋଗଦାନ ରଖୁଛି । ଏହି ଅଞ୍ଚଳରେ ଜିସିସି ଡାଟା ସେଣ୍ଟର, ଇଲେକ୍ଟ୍ରୋନିକ୍ସ ଉତ୍ପାଦନ, ବସ୍ତ୍ର ଶିଳ୍ପ ଏବଂ ଖାଦ୍ୟ ପ୍ରକ୍ରିୟାକରଣ (ବିଶେଷ କରି ଲଘୁ ବନଜାତ ଦ୍ରବ୍ୟ ଭିତ୍ତିକ) କ୍ଷେତ୍ରରେ ବ୍ୟାପକ ପୁଞ୍ଜିନିବେଶର ସୁଯୋଗ ରହିଛି। ଏହି ନୂତନ କରିଡରଗୁଡ଼ିକର ବିକାଶ କରାଗଲେ, ଏହା ଶିଳ୍ପାୟନ ଓ ବ୍ୟବସ୍ଥିତ ସହରୀକରଣ ମାଧ୍ୟମରେ ରାଜ୍ୟର ସମୃଦ୍ଧି ଏବଂ ଜନସାଧାରଣଙ୍କ ସାମଗ୍ରିକ କଲ୍ୟାଣ ସୁନିଶ୍ଚିତ କରିବାରେ ଏକ ମୁଖ୍ୟ ଆଧାର ସାଜିବ ।
ଏହି ଦୁଇଟି ନୂତନ ଇକୋନୋମିକ ରିଜିୟନ ଗଠନ ହେଲେ ଶିଳ୍ପାୟନକୁ ବଡ଼ ଗତି ମିଳିବା ସହ ହଜାର ହଜାର ସ୍ଥାନୀୟ ଯୁବକଯୁବତୀଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ । ଏହା ରାଜ୍ୟ ଓ ଦେଶର ସାମଗ୍ରିକ ଅଭିବୃଦ୍ଧିରେ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ ସାବ୍ୟସ୍ତ ହେବ । ଏହି ପ୍ରସ୍ତାବ ସମ୍ବନ୍ଧୀୟ ଏକ ବିସ୍ତୃତ ‘କନସେପ୍ଟ ନୋଟ୍’ ମଧ୍ୟ ସେ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଦାନ କରିଛନ୍ତି ।














