ରାଜ୍ୟପାଳଙ୍କ ବଜେଟ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବ
ଭୁବନେଶ୍ୱର : ରାଜ୍ୟପାଳଙ୍କ ବଜେଟ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବ ଆଲୋଚନାରେ ବିରୋଧୀଙ୍କୁ କାଠଗଡ଼ାରେ ଛିଡ଼ା କରାଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ବିରୋଧୀ ବିଜେଡି ଓ କଂଗ୍ରେସର ହଟ୍ଟଗୋଳ ସହ କକ୍ଷତ୍ୟାଗକୁ ସେ କଡ଼ା ସମାଲୋଚନା କରିଛନ୍ତି । କହିଛନ୍ତି,ଜନତା ଜନାର୍ଦ୍ଦନ ଆପଣଙ୍କ ଆଚରଣ,ଉଚ୍ଚାରଣର ବିଚାର କରିବେ। ରାଜ୍ୟପାଳଙ୍କ ଅଭିଭାଷଣକୁ ଦୂରଦର୍ଶୀ,ପ୍ରଗତିଶୀଳ ଓ ସଂସ୍କାରମୂଳକ ବୋଲି ଦର୍ଶାଇଛନ୍ତି ମୋହନ ।
ମୋହନ କହିଲେ,ରାଜ୍ୟପାଳଙ୍କ ଅଭିଭାଷଣରେ ଆମ ରାଜ୍ୟକୁ ଏକ ସମୃଦ୍ଧ,ଶକ୍ତିଶାଳୀ ଏବଂ ବିକଶିତ ରାଜ୍ୟରେ ପରିଣତ କରିବା ପାଇଁ ରାଜ୍ୟ ସରକାରଙ୍କ ଭିଜନକୁ ଦର୍ଶାଯାଇଛି । ଏହି ଦୂରଦୃଷ୍ଟି ସମ୍ପନ୍ନ ଅଭିଭାଷଣ ଆଗାମୀ ଦିନରେ ରାଜ୍ୟ ପାଇଁ ଏକ ମାର୍ଗଦର୍ଶିକା ସଦୃଶ ହେବ । ଏଥିପାଇଁ ମୁଁ ରାଜ୍ୟପାଳଙ୍କ ଉଚ୍ଚ ପ୍ରଶଂସା କରୁଛି । ଆମର ଲକ୍ଷ୍ୟ ହେଉଛି ୨୦୩୬ ସୁଦ୍ଧା ଓଡିଶାକୁ “ସମୃଦ୍ଧ ଓଡିଶା’ଏବଂ ୨୦୪୭ ସୁଦ୍ଧା ମୋଦୀଜୀଙ୍କ ପରିକଳ୍ପିତ “ବିକଶିତ ଭାରତ’ର ଅଭିବୃଦ୍ଧି ଇଞ୍ଜିନ ହେବା । କେବଳ ଘୋଷଣା ନୁହେଁ,ଏଥିପାଇଁ ଏକ ସ୍ପଷ୍ଟ ରୋଡ ମ୍ୟାପ୍ ବି ରାଜ୍ୟପାଳ ଉଲ୍ଲେଖ କରିଛନ୍ତି ।
ମୁଖ୍ୟମନ୍ତ୍ରୀ କହିଲେ,୨୦୩୬ ସୁଦ୍ଧା ୫୦୦ ବିଲିଅନ ଡଲାର ଅର୍ଥନୀତି,୨୦୪୭ ସୁଦ୍ଧା ୧୫୦୦ ବିଲିଅନ ଡଲାର ଅର୍ଥନୀତି ହାସଲ ଆମର ଲକ୍ଷ୍ୟ । ବର୍ଷକୁ ୯.୫ ପ୍ରତିଶତ ହାରରେ ଅଭିବୃଦ୍ଧି ହାସଲ କରି ୨୦୪୭ରେ ବାର୍ଷିକ ମୁଣ୍ଡପିଛା ଆୟ ୩୨ ଲକ୍ଷ ଟଙ୍କା କରିବା ପାଇଁ ପ୍ରୟାସ ଆରମ୍ଭ ହୋଇଛି । ଗରିବୀ ହାର ୫ ପ୍ରତିଶତକୁ କମାଇବାକୁ ଯୋଜନା ପ୍ରସ୍ତୁତ ହୋଇଛି । ସମୃଦ୍ଧ ଓଡିଶାର ଲକ୍ଷ୍ୟ ହେଉଛି ୨୦୩୬ ସୁଦ୍ଧା ରାଜ୍ୟକୁ ଦେଶର ସର୍ବଶ୍ରେଷ୍ଠ ପାଞ୍ଚଗୋଟି ରାଜ୍ୟ ମଧ୍ୟରେ ସ୍ଥାନ ଦେବା । ମୁଁ ପଳାୟନପନ୍ଥୀ ନୁହେଁ,ବିରୋଧୀ ଦଳ ଯାହା ପ୍ରଶ୍ନ ପଚାରିବେ,ମୁଁ ତାର ଉତ୍ତର ଦେବି । ମୁଁ ସେଇ ରାଜନେତା ନୁହେଁ,କେବଳ ନିଜ ଘର ଅବା ସଚିବାଳୟର ପାହାଚରେ ଧାଡିକିଆ ଉତ୍ତର ଦିଏ । ବିଧାନସଭାରେ ସରକାର ସବୁ ପ୍ରଶ୍ନର ଉତ୍ତର ଦେବାକୁ ପ୍ରସ୍ତୁତ,କିନ୍ତୁ,ବିରୋଧୀ ଛତ୍ରଭଙ୍ଗ ଦେଉଛନ୍ତି । କଂଗ୍ରେସ ଯେତେବେଳେ କକ୍ଷତ୍ୟାଗ କରୁଛି,ବିରୋଧୀ ବିଜୁ ଜନତା ଦଳ ସେତେବେଳେ କକ୍ଷତ୍ୟାଗ କରୁଛି । ଏହା ବଡ଼ ଆଶ୍ଚର୍ଯ୍ୟ କଥା ।
ସରକାରୀ ତଥ୍ୟ ଅନୁସାରେ ୨୪ ବର୍ଷର ସରକାରଙ୍କ ସମୟରେ ଓଡିଶାର ଚାଷୀଙ୍କ ଆୟ ସାରା ଭାରତରେ ଶେଷଆଡୁ ଥିଲା ଦ୍ୱିତୀୟ,ମାସିକ ଆୟ ଥିଲା ମାତ୍ର ୫ ହଜାର ୧୧୫ ଟଙ୍କା । ଯେଉଁମାନେ ଆଜି ସରକାରଙ୍କ ଇନ୍ପୁଟ ସବସିଡି ବିଷୟରେ ପ୍ରଶ୍ନ ଉଠାଉଛନ୍ତି,ସେମାନେ ବୋଧେ ଭୁଲି ଯାଉଛନ୍ତି,ସେମାନେ ବରଗଡର ସୋହେଲା ଠାରେ ଚାଷୀଙ୍କୁ ୧୦୦ ଟଙ୍କା ବୋନସ ଦେବାପାଇଁ ଘୋଷଣା କରିଥିଲେ ।”ରାତ ଗୟୀ,ବାତ୍ ଗୟୀ’। “ତମାସା ଖତମ,ପୈସା ହଜମ’ନ୍ୟାୟରେ ପୁରା ଭୁଲିଗଲେ । ଆମେ ଭୁଲି ନ ଥିଲୁ । ଆମ ସରକାର ପ୍ରତିଶୃତି ଦେଇଥିବା ଇନ୍ପୁଟ ସବସିଡି ପ୍ରଦାନ ପାଇଁ ନିଷ୍ପତ୍ତି ଆମେ ମାତ୍ର ୨୪ ମିନିଟରେ ନେଇଥିଲୁ । ବିରୋଧୀଙ୍କୁ ଏହା ଏତେ ପୀଡା କାହିଁକ ଦେଉଛି ମୁଁ ବୁଝି ପାରୁନାହିଁ । ଆଜି ଯେଉଁମାନେ ମଣ୍ଡି ଅବ୍ୟବସ୍ଥା କଥା କହୁଛନ୍ତି,ସେମାନେ ୨୪ ବର୍ଷରେ କେତେଟା ମଣ୍ଡିର ଉନ୍ନତିକରଣ କରିଛନ୍ତି । ୨୪ଟା ମଡେଲ ମଣ୍ଡି କରିଛନ୍ତି କି?ସୁଭଦ୍ରା ଯୋଜନାରେ ଏକ କୋଟି ସୁଭଦ୍ରାଙ୍କୁ ୧୦ ହଜାର ଟଙ୍କା ଦେବା,ଚାଷୀଙ୍କୁ ଇନ୍ପୁଟ ସବସିଡି ଦେଇ ୩୧୦୦ ଟଙ୍କାରେ ଧାନ କିଣିବା,ଶହୀଦ ମାଧୋ ସିଂ ହାତଖର୍ଚ୍ଚ ଯୋଜାନାରେ ୫ ହଜାର ଟଙ୍କା ପ୍ରଦାନ କରିବା,କନ୍ୟା ବିବାହ ଯୋଜନାରେ ଗରିବ କନ୍ୟାଙ୍କୁ ବିବାହ କରାଇବା,ଶ୍ରୀ ଜଗନ୍ନାଥ ଦର୍ଶନ ଅନ୍ତର୍ଗତ ବରିଷ୍ଠ ନାଗରିକଙ୍କୁ ଜଗା ଦର୍ଶନ କରାଇବା ପ୍ରତିଶ୍ରୁତି ଦେଇଥିଲୁ,ତାହା ପୂରଣ କରିଛୁ ।
ଓଡ଼ିଶାରେ ବର୍ତ୍ତମାନ ପ୍ରାୟ ୯୦ ହଜାର କୋଟି ଟଙ୍କାର ରେଳ ପ୍ରକଳ୍ପ ଚାଲୁ ରହିଛି । ଗତ ଦେଢ଼ ବର୍ଷ ମଧ୍ୟରେ ପ୍ରାୟ ୫୦ ହଜାର କୋଟି ଟଙ୍କାର ଜାତୀୟ ରାଜପଥ ପ୍ରକଳ୍ପ ମଞ୍ଜୁର ହୋଇଛି । ରାଜ୍ୟ ସରକାର ମଧ୍ୟ ୫ ବର୍ଷରେ ୭୫ ହଜାର କିଲୋମିଟର ବିଶ୍ୱସ୍ତରୀୟ ସଡ଼କ ନିର୍ମାଣ ପାଇଁ ସଂକଳ୍ପ କରିଛନ୍ତି । କ୍ୟାପିଟାଲ ରିଜିଅନ ରିଂଗ ରୋଡ,ଭୁବନେଶ୍ୱର କଟକ ପୁରୀ ପାରାଦୀପ ଇକୋନୋମିକ ରିଜିଅନ ଜରିଆରେ ଏହି ଅଞ୍ଚଳକୁ ଦେଶର ଏକ ଗ୍ରୋଥ ହବ୍ କରିବା ପାଇଁ କ୍ଷେତ୍ର ପ୍ରସ୍ତୁତ କରାଯାଇଛି । ଯୁବବର୍ଗଙ୍କୁ ବିଶ୍ୱସ୍ତରୀୟ ସ୍କିଲ୍ରେ ଦକ୍ଷ କରିବା ପାଇଁ ଆମେ ଅନେକ ପଦକ୍ଷେପ ନେଇଛୁ । ଆଧୁନିକ ଟେକେ୍ନାଲୋଜିରେ ଦକ୍ଷ କରିବା ପାଇଁ ସେମିକଣ୍ଡକ୍ଟର ପାର୍କ,ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ପାର୍କ,ବାୟୋଟେକେ୍ନାଲୋଜି ପାର୍କ ଆଦି ସ୍ଥାପନ ପାଇଁ କାର୍ଯ୍ୟକ୍ରମ ପ୍ରସ୍ତୁତ । ରାଜ୍ୟକୁ ବର୍ତ୍ତମାନ ସୁଦ୍ଧା ପ୍ରାୟ ୨୦ ଲକ୍ଷ କୋଟି ଟଙ୍କାର ପୁଞ୍ଜି ପ୍ରସ୍ତାବ ଆସିଛି । ରାଜ୍ୟର ମୁଖ୍ୟ ସେବକ ଭାବରେ ମୁଁ ନିଜେ,ଏବଂ ମୋ ମନ୍ତ୍ରୀମଣ୍ଡଳର ସଦସ୍ୟମାନେ ଓଡ଼ିଶାର ବିକାଶ ପାଇଁ କଠିନ ପରିଶ୍ରମ କରୁଛନ୍ତି । ଆମର ଡବଲ ଇଞ୍ଜିନ ସରକାର’ର ଇଚ୍ଛାଶକ୍ତି ଓ ଆମ ଅବିଶ୍ରାନ୍ତ ପରିଶ୍ରମର ସୁଫଳ ମିଳିଛି । ମହିଳାମାନଙ୍କ ସଶକ୍ତିକରଣ ପାଇଁ କୋଟିଏ ମା’ଙ୍କ ଆକାଉଣ୍ଟକୁ ବର୍ଷକୁ ୧୦ ହଜାର କୋଟି ଟଙ୍କା ଯାଉଛି । ୧୭ ଲକ୍ଷ ଲକ୍ଷପତି ଦିଦି ହେଉଛନ୍ତି ଆମ ମହିଳା ସଶକ୍ତିକରଣର ଏକ ସୁଦୃଢ଼ ପରିଚୟ । ଜନଶୁଣାଣିକୁ ଅାର ସଫଳତା ମିଳିଛି । ଦୁର୍ନୀତି ବିରୋଧରେ ଲଢେଇ ଜୋର ଧରିଛି । ସମୃଦ୍ଧ ଓଡ଼ିଶା ଗଠନ ପାଇଁ ମୋ ସରକାର ସଂକଳ୍ପବଦ୍ଧ ।














