ଭୁବନେଶ୍ୱର: ଓଡ଼ିଶା ସରକାରଙ୍କ ମହିଳା ଓ ଶିଶୁ ବିକାଶ ବିଭାଗର ବିଭିନ୍ନ ଯୋଜନା ଓ କାର୍ଯ୍ୟକ୍ରମର ଅଗ୍ରଗତି ନେଇ ବୁଧବାର ଏକ ଗୁରୁତ୍ୱପୂର୍ଣ୍ଣ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଭାରତ ସରକାରଙ୍କ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଅନ୍ନପୂର୍ଣ୍ଣା ଦେବୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ଉପ-ମୁଖ୍ୟମନ୍ତ୍ରୀ ତଥା ବିଭାଗୀୟ ମନ୍ତ୍ରୀ ପ୍ରଭାତୀ ପରିଡ଼ା ଏଥିରେ ଅଧ୍ୟକ୍ଷତା କରିଥିଲେ।
ବୈଠକରେ କେନ୍ଦ୍ରମନ୍ତ୍ରୀ ଅନ୍ନପୂର୍ଣ୍ଣା ଦେବୀ ରାଜ୍ୟ ସରକାରଙ୍କ ପ୍ରମୁଖ ‘ସୁଭଦ୍ରା’ ଯୋଜନାର ଉଚ୍ଚ ପ୍ରଶଂସା କରିଥିଲେ । ସେ କହିଥିଲେ ଯେ, “ଯେତେବେଳେ ସରକାରୀ ସହାୟତା ସିଧାସଳଖ ମହିଳାଙ୍କ ବ୍ୟାଙ୍କ ଖାତାକୁ ଯାଏ, ତାହା ସେମାନଙ୍କ ଆର୍ଥିକ ସ୍ୱାଧୀନତା ଓ ସଶକ୍ତିକରଣକୁ ସୁନିଶ୍ଚିତ କରିଥାଏ।” ଏଥି ସହ ସେ ଅଙ୍ଗନୱାଡି କେନ୍ଦ୍ର ମାନଙ୍କରେ ‘ତିଥି ଭୋଜନ’ ଆୟୋଜନ ତଥା ପୋଷଣ ଦିବସ ଅଥବା ପୋଷଣ ସପ୍ତାହ ପାଳନ କରିବା ପାଇଁ ପରାମର୍ଶ ଦେଇଛନ୍ତି । ସେ ନାଗରିକ ଏବଂ ସରକାରଙ୍କ ମଧ୍ୟରେ ସମନ୍ୱିତ ପ୍ରୟାସ ରାଜ୍ୟରୁ ଅପପୁଷ୍ଟି ନିର୍ମୂଳ କରିବାରେ ଯଥେଷ୍ଟ ସହାୟକ ହୋଇପାରିବ ବୋଲି ମତ ପ୍ରକାଶ କରିଛନ୍ତି । ଓଡ଼ିଶାର ଗ୍ରାମାଞ୍ଚଳରେ ସରକାରଙ୍କର ବିଭିନ୍ନ ଯୋଜନାର ସକରାତ୍ମକ ପ୍ରଭାବ ଦେଖି ସେ ସନ୍ତୋଷ ପ୍ରକାଶ କରିବା ସହ କେନ୍ଦ୍ର-ରାଜ୍ୟ ସମନ୍ୱୟ ମାଧ୍ୟମରେ ସମସ୍ତ ପ୍ରକାର ସହଯୋଗ ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦେଇଥିଲେ।
ଉପ-ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ତାଙ୍କ ଉଦ୍ବୋଧନରେ କହିଥିଲେ ଯେ, ମହିଳାଙ୍କ ସାମଗ୍ରିକ ସଶକ୍ତିକରଣ ଓ ଶିଶୁଙ୍କ ସୁରକ୍ଷିତ ଭବିଷ୍ୟତ ରାଜ୍ୟ ସରକାରଙ୍କ ପ୍ରଥମ ପ୍ରାଥମିକତା। ଆସନ୍ତା ୮ ମାର୍ଚ୍ଚ ଆନ୍ତର୍ଜାତୀୟ ମହିଳା ଦିବସ ଅବସରରେ ସୁଭଦ୍ରା ଯୋଜନାର ୪ର୍ଥ କିସ୍ତି ଟଙ୍କା ହିତାଧିକାରୀଙ୍କ ଖାତାକୁ ଜମା ହେବାକୁ ଯାଉଥିବାରୁ, ଏହାର ସମୟୋପଯୋଗୀ ଓ ପାରଦର୍ଶୀ ବିତରଣ ପାଇଁ ବିଭାଗ କାମ କରୁଛି। ଏହା ସହ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ସମନ୍ୱୟରେ ଚାଲିଥିବା ଯୋଜନାଗୁଡ଼ିକ ମାଧ୍ୟମରେ ମହିଳା ଓ ଶିଶୁଙ୍କ ଜୀବନମାନ ଉନ୍ନତ କରିବା ଦିଗରେ ଓଡ଼ିଶା ଆଗୁଆ ହେଉଛି ବୋଲି ସେ ମତ ରଖିଥିଲେ ।
ବୈଠକରେ ପୋଷଣ, ସୁରକ୍ଷା ଓ ଶିକ୍ଷା , ଏହି ତିନି ମୂଳ ମାର୍ଗରେ ଶିଶୁ ଓ ମହିଳାଙ୍କ ବିକାଶ ପାଇଁ ଚାଲିଥିବା କାର୍ଯ୍ୟକ୍ରମର ଅଗ୍ରଗତି ଉପରେ ବିସ୍ତୃତ ସମୀକ୍ଷା ହୋଇଥିଲା। ମିଶନ ବାତ୍ସଲ୍ୟ, ଆଶୀର୍ବାଦ, ଯଶୋଦା ଏବଂ ବେଟି ବଚାଓ ବେଟି ପଢ଼ାଓ ପରି ଯୋଜନାର ପ୍ରଭାବ ଉପରେ ଅଧିକାରୀମାନେ ତଥ୍ୟ ଉପସ୍ଥାପନ କରିଥିଲେ। ଦୂରଗାମୀ ଓ ଜନଜାତି ଅଞ୍ଚଳରେ କାର୍ଯ୍ୟାନ୍ୱୟନ, କୁପୋଷଣ ଓ ଶିଶୁ ବିବାହ ପରି ଆହ୍ୱାନଗୁଡ଼ିକର ମୁକାବିଲା ପାଇଁ ସ୍ୱତନ୍ତ୍ର ରଣନୀତି ପ୍ରସ୍ତୁତ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା।
ଏହି ବୈଠକରେ ବିଭାଗର କମିଶନର ତଥା ଶାସନ ସଚିବ ଡ. ମୃଣାଳିନୀ ଦର୍ସ୍ୱାଲ ଓ ନିର୍ଦ୍ଦେଶିକା ମୋନିଷା ବାନାର୍ଜୀଙ୍କ ସହ ବିଭାଗର ଅନ୍ୟାନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ। ଏହି ସମୀକ୍ଷା ବୈଠକ ମାଧ୍ୟମରେ ରାଜ୍ୟରେ ମହିଳା ଓ ଶିଶୁଙ୍କ ସୁସ୍ଥ ଓ ସୁରକ୍ଷିତ ଭବିଷ୍ୟତ ପାଇଁ ନୂତନ ଦିଗ ନିର୍ଦ୍ଦେଶ ମିଳିଛି।














