ଭୁବନେଶ୍ୱର: କିଏ କହିଲା ଘୋଡ଼ା । ଆଉ କିଉ ଗଧ । ମୂଲଚାଲ, ଭିଡ଼ାଓଟରା ଶେଷ । ସରିଛି ବହୁ ପ୍ରତିକ୍ଷୀତ ରାଜ୍ୟସଭା ଭୋଟ୍। ୧୧ ଜଣ ବିଧାୟକ କ୍ରସ୍ ଭୋଟିଂ କରି ସ୍ୱାଧୀନ ପ୍ରାର୍ଥୀ ଦିଲ୍ଲୀପ ରାୟଙ୍କ ସପକ୍ଷରେ ଭୋଟ୍ ଦେଇଥିବା ସୂଚନା ମିଳିଛି । ଭୋଟ୍ ଗଣତି ପରେ ସବୁ କିଛି ସ୍ପଷ୍ଟ ହୋଇଯିବ । ଏ କ୍ରସଭୋଟିଂ ସୂଚନା ମିଳିବା ପରେ ବିରୋଧୀ ବିଜେଡି ଓ କଂଗ୍ରେସ କ୍ୟାମ୍ପରେ ନିରାଶାର ବାତାବରଣ । ସବୁ ଅଙ୍କ ଓଲଟପାଲଟ ହୋଇଛି । ଯାହା ସୂଚନା ଆସୁଛି, ଦିଲ୍ଲୀପ ରାୟ ଜିତିବା ପ୍ରାୟତଃ ନିଶ୍ଚିତ ଲାଗୁଛି । ବିଜେଡି ଓ କଂଗ୍ରେସ ମିଳିତ ଭାବେ ଛିଡ଼ା କରାଇଥିବା ଡା.ଦତ୍ତେଶ୍ୱର ହୋତାଙ୍କ ପାଇଁ ସବୁ ରଣକୌଶଳ ଫେଲ୍ ମାରିଛି ବୋଲି ବିରୋଧୀ ଦଳର ବହୁ ବିଧାୟକ କହୁଛନ୍ତି ।
ପୂର୍ବ ନିଦ୍ଧାରିତ କାର୍ଯ୍ୟସୂଚୀ ଅନୁସାରେ ଆଜି ପୂର୍ବାହ୍ନରୁ ରାଜ୍ୟସଭା ପାଇଁ ମତଦାନ ଆରମ୍ଭ ହୋଇଥିଲା । ସଂସଦୀୟ ବ୍ୟାପାର ମନ୍ତ୍ରୀ ଡା.ମୁକେଶ ମହାଲିଙ୍ଗ ପ୍ରଥମେ ଭୋଟ୍ ଦେଇଥିଲେ । ଭୋଟ୍ ପ୍ରକ୍ରିୟା ଯେତିକି ଆଗକୁ ଗଲା ସେତିକି ରୋଚକ ଦୃଶ୍ୟ ଦେଖିବାକୁ ମିଳିଲା । କିଛି ବିଧାୟକ ମିଡିଆକୁ କହିଲେ ଭଳିଏ, ହେଲେ ଭୋଟ୍ ଦେଲେ ଆଉ ଭଳିଏ । ବିଜେଡିରୁ ନିଲମ୍ବିତ ବିଧାୟକ ସୌଭିକ୍ ବିଶ୍ୱାଳ ଓ ବିଜେଡି ବିଧାୟକ ଦେବୀ ରଂଜନ ତ୍ରିପାଠୀ ସ୍ପଷ୍ଟ ଭାବେ କହିଲେ ଆମେ ଦିଲ୍ଲୀପଙ୍କୁ ଭୋଟ୍ ଦେଇଛୁ। କଂଗ୍ରେସର ୩ ବିଧାୟକ କ୍ରସ୍ ଭୋଟିଂ କରିଥିବା ଖୋଦ ପିସିସି ସଭାପତି ଭକ୍ତ ଦାସ କ୍ଷୋଭର ସହ କହିଛନ୍ତି । ଯାହା ଚର୍ଚ୍ଚା ହେଉଛି, କଂଗ୍ରେସ ବିଧାୟକ ରମେଶ ଜେନା, ଦାଶରଥୀ ଗମାଙ୍ଗ, ସୋଫିଆ ଫିର୍ଦୋଷ ଦିଲ୍ଲୀପଙ୍କୁ ଭୋଟ୍ ଦେଇଛନ୍ତି । ବିଜେଡି ବିଧାୟକ ଚକ୍ରମଣି କହଁର, ସୌଭିକ ବିଶ୍ୱାଳ, ନବ କିଶୋର ମଲ୍ଲିକ,ସୁବାସିନୀ ଜେନା, ଦେବୀରଂଜନ ତ୍ରିପାଠୀ, ରମାକାନ୍ତ ଭୋଇ ନବୀନଙ୍କ ଫତୱାକୁ ଅଣଦେଖା କରି ଦିଲ୍ଲୀପଙ୍କୁ ଭୋଟ୍ ଦେଇଛନ୍ତି । ବିଜେଡିରୁ ନିଲମ୍ବିତ ସନାତନ ମହାକୁଡ଼, ଅରବିନ୍ଦ ମହାପାତ୍ରଙ୍କ ଭୋଟ୍ ମଧ୍ୟ ଦିଲ୍ଲୀପଙ୍କ ସପକ୍ଷରେ ଯାଇଛି । ଯଦି ଏ ସୂଚନା ଭୋଟରେ ରୂପାନ୍ତରିତ ହୋଇଥିଲେ ଦତ୍ତେଶ୍ୱର ଓ ସଂତୃପ୍ତଙ୍କ ମଧ୍ୟରୁ ଜଣଙ୍କୁ ପରାଜୟ ବରଣ କରିବାକୁ ହେବ । ଏହା ଯଦି ହୁଏ ତେବେ ପ୍ରଥମ ଥର ନବୀନ ଦଳ ଭିତରୁ ବଡ଼ ଝଟକା ପାଇବେ । ବିଜେଡି-କଂଗ୍ରେସ ସମୀକରଣର ଅଙ୍କ ଆରମ୍ଭରୁ ମାଡ଼ ଖାଇଯିବ ।
ବିଜେଡି ଛିଡ଼ା କରାଇଥିବା ପ୍ରାର୍ଥୀ ଓ କଂଗ୍ରେସ ସହ ମେଣ୍ଟକୁ ନେଇ ଦେବୀ ଓ ସୌଭିକ୍ ଦଳ ଉପରେ ବର୍ଷିଛନ୍ତି । ବାପାଙ୍କ ପ୍ରତି ହୋଇଥିବା ଅସମ୍ମାନର ପ୍ରତିଶୋଧ ନେଲୁ ବୋଲି କହିଛନ୍ତି । ଦେବୀ ରଞ୍ଜନ କହିଛନ୍ତି, ମୋତେ ଡାକ୍ତର ଦତ୍ତେଶ୍ୱର ହୋତାଙ୍କୁ ସମର୍ଥନ କରିବା ପାଇଁ କୁହାଯାଇଥିଲା । ହେଲେ ମୁଁ ଦିଲ୍ଲୀପ ରାୟଙ୍କୁ ଭୋଟ୍ ଦେଇଛି । ଗଣତାନ୍ତ୍ରିକ ପ୍ରକ୍ରିୟାରେ ମତ ସାବ୍ୟସ୍ତ କରିଛି । ବିଜୁ ଲିଗାସିକୁ ଆଗକୁ ନେବାକୁ ଭୋଟ୍ ଦେଇଛି । ଅସାଧୁ ମେଣ୍ଟ ବିରୋଧରେ ମତଦାନ କରିଛି । ବିବେକାନୁମୋଦିତ ଭୋଟ୍ ଦେଇଛି । ଦଳୀୟ କାର୍ଯ୍ୟାନୁଷ୍ଠାନ ପ୍ରତି ଭୟ ନାହିଁ । ସେହିପରି ସୌଭିକ୍ କହିଛନ୍ତି ଯେ, ବିଜୁ ବାବୁଙ୍କ ଆଶୀର୍ବାଦ ଯାହାଙ୍କ ପ୍ରତି ଅଛି, ତାଙ୍କୁ ଭୋଟ୍ ଦେଇଛି । ବାପାଙ୍କୁ ବହିଷ୍କାର କରିଥିଲେ, ମୋତେ କାହିଁକି କଲେନି । ଆଜି ଯେଉଁ ଟ୍ରଷ୍ଟ କଥା ପଦାକୁ ଆସିଛି, ସେକଥା ବାପା ପ୍ରଥମେ କହିଥିଲେ । ୨୯ ବର୍ଷ ହେଲା ବାପା ବିଜେଡି ପାଇଁ ସର୍ବସ୍ୱ ଦାନ କରିଥିଲେ । ବାପାଙ୍କ ପ୍ରତି ଅତ୍ୟାଚାର ହୋଇଥିଲା । ଆଜି ଭୋଟ୍ ଦେଇ ତାର ପ୍ରତିଶୋଧ ନେଇଛି । ସନ୍ଧ୍ୟାରେ ରାଜ୍ୟସଭା ଭୋଟ ଫଳାଫଳ ରାଜ୍ୟ ରାଜନୀତିରେ ଆଗକୁ ନୂଆ ଦୃଶ୍ୟ ଆଣିବ ବୋଲି ଅନୁମାନ କରାଯାଉଛି ।














