ଭୁବନେଶ୍ୱର: ରାଜ୍ୟରେ ୨୦୨୫ ମସିହାରେ ଅପରାଧ ହାର ଉପରମୁହାଁ ରହିଛି। ୨୦୨୪ ମସିହା ତୁଳନାରେ ରାଜ୍ୟରେ ଧର୍ତ୍ତବ୍ୟ ଅପରାଧ ପଞ୍ଜିକରଣ ହାର ୭.୩୬ ପ୍ରତିଶତ ଅଧିକ ବୃଦ୍ଧି ପାଇ ୨,୨୯,୮୮୧ରେ ପହଂଚିଛି। ତେବେ ରାଜ୍ୟରେ ଦୁଷ୍କର୍ମ ମାମଲା ହାରାହାରି ୧.୯୬ ପ୍ରତିଶତ ହ୍ରାସ ପାଇଥିଲେ ମଧ୍ୟ ଦୈନିକ ହାରାହାରି ୮ଜଣ ମହିଳା ଓ ଶିଶୁ ଦୁଷ୍କର୍ମର ଶିକାର ହେଉଥିବାର ମାମଲା ପଞ୍ଜିକରଣ ହେବା ଏବେବି ଚିନ୍ତାଜନକ ସ୍ଥିତି ହୋଇ ରହିଛି। ରାଜ୍ୟରେ ପ୍ରତି ୭ଘଣ୍ଟାରେ ଜଣେ ବ୍ୟକ୍ତି ହତ୍ୟାର ଶିକାର ମଧ୍ୟ ହେଉଛନ୍ତି। ଅବଶ୍ୟ ୨୦୨୫ରେ ୨.୨୯ଲକ୍ଷ ମାମଲା ରୁଜୁ କରିଥିବା ଓଡ଼ିଶା ପୁଲିସ ଏହି ଅବଧି ମଧ୍ୟରେ ମୋଟ ୧ଲକ୍ଷ ୫୫ହଜାର ୨୨୩ଟି ମାମଲା(୬୭.୫୨%)ରେ ଚାର୍ଜସିଟ୍ ଦାଖଲ କରିବାରେ ସକ୍ଷମ ହୋଇଛି। ରାଜ୍ୟରେ ୨୦୨୫ ମସିହାରେ ହତ୍ୟା, ଚୋରି, ସାଇବର ଅପରାଧ, ସଡ଼କ ଦୁର୍ଘଟଣା ମାମଲା ଆଦି ବୃଦ୍ଧି ପାଇଥିବାବେଳେ ଦୁଷ୍କର୍ମ, ପ୍ରତାରଣା, ଡକାୟତି ଭଳି ଅପରାଧ ପରିମାଣ ହ୍ରାସ ପାଇଛି। Odisha ଗୃହ ବିଭାଗ ପକ୍ଷରୁ ଜାରି ଶ୍ୱେତପତ୍ର-୨୦୨୫ରୁ ଏହି ତଥ୍ୟ ମିଳିଛି।
ଶ୍ୱେତପତ୍ର ଅନୁସାରେ, ୨୦୨୫ ମସିହାରେ ରାଜ୍ୟରେ ମୋଟ ୧୩୦୪ଟି ହତ୍ୟା ମାମଲା ରୁଜୁ ହୋଇଛି। ଅର୍ଥାତ୍ ପ୍ରତି ୬.୭ ଘଣ୍ଟରେ ଜଣେ ବ୍ୟକ୍ତି ଓ ଦୈନିକ ହାରାହାରି ୩.୫୭ ଜଣ(୪ଜଣ) ହତ୍ୟାର ଶିକାର ହେଉଛନ୍ତି। ୨୦୨୪ରେ ୧୨୫୮ଟି ହତ୍ୟା ମାମଲା ପଞ୍ଜିକୃତ ହୋଇଥିବାବେଳେ ୨୦୨୫ରେ ଏହା ୩.୬୫% ବୃଦ୍ଧି ପାଇ ୧୩୦୪ରେ ପହଂଚିଛି। ସେହିପରି ମହିଳା ଓ ଶିଶୁକନ୍ୟାଙ୍କ ସହ ଦୁଷ୍କର୍ମ ମାମଲା ରାଜ୍ୟରେ ଅପେକ୍ଷାକୃତ ହ୍ରାସ ପାଇଥିଲେ ମଧ୍ୟ ଚିନ୍ତାଜନକ ସ୍ଥିତି ଲାଗି ରହିଛି। ୨୦୨୫ରେ ମୋଟ ଦୁଷ୍କର୍ମ ମାମଲା ୨୯୯୪ ରହିଛି। ଅର୍ଥାତ୍ ଓଡ଼ିଶାରେ ପ୍ରତି ୩ଘଣ୍ଟାରେ ଜଣେ ମହିଳା ଅବା ଶିଶୁକନ୍ୟା ଦୁଷ୍କର୍ମର ଶିକାର ହେଉଛନ୍ତି। ଦିନକୁ ହାରାହାରି ୮.୨୦ଜଣ। ତେବେ ୨୦୨୪ ମସିହାରେ ମୋଟ ୩୦୫୪ଟି ଦୁଷ୍କର୍ମ ମାମଲା ପଞ୍ଜିକୃତ ହୋଇଥିବାବେଳେ ୨୦୨୫ରେ ଏହା ୧.୯୬ ପ୍ରତିଶତ ହ୍ରାସ ପାଇଛି। ସେହିପରି ପୁଲିସ ପ୍ରାୟ ୬୪.୪୬% ଦୁଷ୍କର୍ମ ମାମଲାରେ ଚାର୍ଜସିଟ୍ ଦାଖଲ କରିଥିବାବେଳେ ହତ୍ୟା ମାମଲାରେ ଏହି ହାର ପ୍ରାୟ ୪୬% ରହିଛି। ସେହିପରି ୨୦୨୫ ମସିହାରେ ୪୩୬୧ଟି ଯୌତୁକ ମାମଲା ଓ ୧୪୫ଟି ଯୌତୁକଜନିତ ହତ୍ୟା ମାମଲା ଓ ୧୬୪ଟି ମହିଳା ଚାଲାଣ ମାମଲା ରୁଜୁ ହୋଇଛି।
୨୦୨୪ ମସିହାରେ ମୋଟ ୨ଲକ୍ଷ ୧୪ହଜାର ୧୧୩ଟି ଧର୍ତ୍ତବ୍ୟ ଅପରାଧ ମାମଲା ପଞ୍ଜିକୃତ ହୋଇଥିବାବେଳେ ୨୦୨୫ରେ ଏହା ୭.୩୬ ପ୍ରତିଶତ ଅଧିକ ରହିଛି। ତେବେ ହତ୍ୟା ମାମଲା ୩.୬୫ ପ୍ରତିଶତ ବୃଦ୍ଧି ପାଇ ୧୩୦୪ଟି, ଚୋରି ମାମଲା ୧୭୮୦୫ରୁ ୧୯.୦୨% ବଢ଼ି ୨୧୧୯୨ଟି, ସାଇବର ଅପରାଧ ମାମଲା ୨୫୦୧ଟି ରୁ ୧୨.୦୭% ବୃଦ୍ଧି ପାଇ ୨୮୦୩ଟି ପଞ୍ଜିକୃତ ହୋଇଛି। ସେହିପରି ସଡ଼କ ଦୁର୍ଘଟଣା ମାମଲା ୨୦୨୪ ମସିହା ତୁଳନାରେ ୩.୨୯ ପ୍ରତିଶତ ବୃଦ୍ଧି ପାଇ ୧୨୭୮୨ଟି ପଞ୍ଜିକୃତ ହୋଇଛି। ଅନ୍ୟପକ୍ଷରେ ୨୦୨୪ ମସିହାରେ ୩୫୬ଟି ଡକାୟତି ମାମଲା ଥିବାବେଳେ ୨୦୨୫ରେ ଏହା ୩୫୩କୁ ହ୍ରାସ(୦.୮୪%) ପାଇଛି। ସିନ୍ଧିଚୋରୀ ମାମଲା ୨୦୨୫ ମସିହାରେ ୧.୯୬ପ୍ରତିଶତ ହ୍ରାସ ପାଇ ୬୨୮୨ ରହିଛି। ପ୍ରତାରଣା ମାମଲା ୪.୦୨ ପ୍ରତିଶତ ହ୍ରାସ ପାଇ ୨୦୨୫ ମସିହାରେ ୬୦୫୩ଟିରେ ରହିଛି।
ଶ୍ୱେତପତ୍ରରୁ ମିଳିଥିବା ତଥ୍ୟ ଅନୁସାରେ ସାଇବର ଅପରାଧ ଓ ଠକେଇ ମାମଲାର ତଦନ୍ତରେ ସଫଳତା ରାଜ୍ୟ ପୁଲିସ ପାଇଁ ବଡ଼ ଚ୍ୟାଲେଞ୍ଜ ପାଲଟିଛି। ୨୦୨୫ ମସିହାରେ ସାଇବର ଠକେଇର ଏକ ଭୟଙ୍କର ଚିତ୍ର ସାମ୍ନାକୁ ଆସିଛି। ନ୍ୟାସନାଲ ସାଇବର କ୍ରାଇମ ରିପୋର୍ଟ ପୋର୍ଟାଲର ତଥ୍ୟ ଅନୁସାରେ ୨୦୨୫ ମସିହାରେ ମୋଟ ୨୮୦୩ଟି ସାଇବର ମାମଲା ରୁଜୁ ହୋଇଛି। ଏଥିରୁ ୧୫୬୯ଟି ମାମଲା(୫୬%) କେବଳ ଅର୍ଥନୀତିକ ସାଇବର ଅପରାଧ ସହ ଜଡ଼ିତ। ସାଇବର ଠକେଇ ରାଶି ପରିମାଣ ୪୧୭.୧୮କୋଟି ଟଙ୍କା ଥିବାବେଳେ ଏଥିରୁ ମାତ୍ର ୨.୮୫ପ୍ରତିଶତ ଅର୍ଥାତ ୧୧.୯୧କୋଟି ଟଙ୍କାକୁ ଫ୍ରିଜ୍ କରାଯାଇପାରିଛି। ଠକେଇ ଶିକାର ହୋଇଥିବା ଲୋକଙ୍କୁ ମାତ୍ର ୧.୦୧ପ୍ରତିଶତ ଅର୍ଥାତ୍ ପ୍ରାୟ ୪.୧୯କୋଟି ଟଙ୍କା ଫେରସ୍ତ ସମ୍ଭବପର ହୋଇଛି। ଅନ୍ୟାନ୍ୟ ଅପରାଧ ମଧ୍ୟରେ ସୋସିଆଲ ମିଡିଆ ସମ୍ପର୍କିତ ୧୮୩ଟି, ହ୍ୟାକିଂ ମାମଲାର ୮ଟି ଓ ଅନ୍ୟାନ୍ୟ ଶ୍ରେଣୀର ୪୩ଟି ମାମଲା ରୁଜୁ ହୋଇଥିବାବେଳେ ପୁଲିସ ଏଥିରେ ମୋଟ ୧୨୧୦ଜଣ ଅପରାଧୀଙ୍କୁ ଚିହ୍ନଟ କରି ୭୪୪ଜଣଙ୍କୁ ଗିରଫ କରିବାରେ ସକ୍ଷମ ହୋଇଛି।
ବାମପନ୍ଥୀ ଉଗ୍ରବାଦ ବା ମାଓବାଦୀ ଦମନରେ ପୋଲିସକୁ ବଡ଼ ସଫଳତା ମିଳିଛି। ସୁରକ୍ଷା ବାହିନୀର ସକ୍ରିୟ ଅଭିଯାନ ଯୋଗୁଁ ସିପିଆଇ-ମାଓବାଦୀର କେନ୍ଦ୍ରୀୟ କମିଟି ସଦସ୍ୟ ଗଣେଶ ଉଇକେ ଓ ଚଲପତିଙ୍କ ସମେତ ମୋଟ ୨୫ ଜଣ ମାଓବାଦୀ ନିହତ ହୋଇଛନ୍ତି। ମାଓବାଦୀଙ୍କ ପ୍ରଭାବ ହ୍ରାସ ପାଇଛି। ସେହିପରି ନିଶା କାରବାର ବିରୋଧରେ ପୁଲିସର କାର୍ଯ୍ୟାନୁଷ୍ଠାନ ଯୋଗୁ ବର୍ଷକ ମଧ୍ୟରେ ପ୍ରାୟ ୧୮୦ କ୍ୱିଣ୍ଟାଲ୍ ଗଞ୍ଜେଇ ଓ ୧୮ କିଲୋଗ୍ରାମରୁ ଅଧିକ ବ୍ରାଉନ୍ସୁଗାର ଜବତ କରାଯାଇଥିବା ବେଳେ ୩୦୦ ଜଣ ନିଶା ମାଫିଆଙ୍କୁ ଗିରଫ କରାଯାଇଛି।
ଶ୍ୱେତପତ୍ର ଅନୁଯାୟୀ, ୨୦୨୫ ମସିହାରେ ରାଜ୍ୟରେ ମୋଟ ୧୨୨ଟି ସାମ୍ପ୍ରଦାୟିକ ବିଶୃଙ୍ଖଳା ଘଟଣା ଘଟିଛି, ଯେଉଁଥିରେ ୧୦୬ଟି ହିନ୍ଦୁ-ମୁସଲିମ୍ ଓ ୧୬ଟି ହିନ୍ଦୁ-ଖ୍ରୀଷ୍ଟିଆନ୍ ଗୋଷ୍ଠୀ ମଧ୍ୟରେ ବିବାଦ ହୋଇଛି। ଏହି ଘଟଣାଗୁଡ଼ିକ ପାଇଁ ମୋଟ ୧୬୫ଟି ଅପରାଧିକ ମାମଲା ରୁଜୁ ହୋଇଛି। ରାଜ୍ୟର ବିଭିନ୍ନ ଭାଗରେ ମୋଟ ୧୦୯୫ଟି ଦଙ୍ଗା ବା ରାୟୋଟିଂ ମାମଲା ପଞ୍ଜିକୃତ ହୋଇଛି ଓ ପୁଲିସ ଏଥିରୁ ୪୯୮ଟି ମାମଲାରେ ଚାର୍ଜସିଟ୍ ଦାଖଲ କରିଥିବାବେଳେ ୫୪୮ଟି ମାମଲାରେ ତଦନ୍ତ ଜାରି ରହିଛି। ସେହିପରି କଟକରେ ଦଶହରା ପର୍ବବେଳେ ସାମ୍ପ୍ରଦାୟିକ ଉତ୍ତେଜନା ଓ ପୁରୀ ରଥଯାତ୍ରାରେ ଦଳଚକଟା ହୋଇଥିଲେ ମଧ୍ୟ ସରକାର ଓ ପୁଲିସ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଯୋଗୁ ଏହାକୁ ନିୟନ୍ତ୍ରଣ କରାଯାଇଛି। ତେବେ ୨୦୨୫ ମସିହାରେ ରାଜ୍ୟରେ ଆଇନଶୃଙ୍ଖଳା ପରିସ୍ଥିତି ମୋଟାମୋଟି ଶାନ୍ତିପୂର୍ଣ୍ଣ ଥିଲା ତଥା ଏହା ଶାନ୍ତିଶୃଙ୍ଖଳା ବଜାୟ ରଖିବା ଦିଗରେ ସରକାରଙ୍କ ଦୃଢ଼ ସଂକଳ୍ପକୁ ପ୍ରତିଫଳିତ କରୁଛି ବୋଲି ଶ୍ୱେତପତ୍ରରେ ଦାବି କରାଯାଇଛି।














