ପୁରୀ : ମହାପ୍ରଭୁଙ୍କର ରତ୍ନଭଣ୍ଡାରର ଗଣତିମଣତି ଆଜି ଠାରୁ ଆରମ୍ଭ ହୋଇଯାଇଛି। ପ୍ରଥମ ଦିନରେ ଚଳନ୍ତି ଭଣ୍ଡାରର ଅଳଙ୍କାର ଗଣତିମଣତି କରାଯାଇଛି। ଆଜି ଚଳନ୍ତି ଭଣ୍ଡାରର ୮୦ ପ୍ରତିଶତ ଅଳଙ୍କାର ଗଣତି କରାଯାଇଛି। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି।
ଶ୍ରୀ ପାଢ଼ୀ ଗଣମାଧ୍ୟମକୁ କହିଛନ୍ତି, କଡ଼ା ସୁରକ୍ଷା ବଳୟ ମଧ୍ୟରେ ମୂଲ୍ୟବାନ ରତ୍ନ ଅଳଙ୍କାରର ଗଣତି କାର୍ଯ୍ୟ କରାଯାଇଛି। ଏହି କାର୍ଯ୍ୟରେ ନିୟୋଜିତ ଥିବା ବ୍ୟକ୍ତି ବିଶେଷ ଆଜି ମଧ୍ୟାହ୍ନରେ ଶ୍ରୀମନ୍ଦିରରେ ପ୍ରବେଶ କରିଥିଲେ। ପ୍ରାୟ ୬ଘଣ୍ଟା ପର୍ଯ୍ୟନ୍ତ ଗଣତି କରିଥିଲେ। ଚଳନ୍ତି ଭଣ୍ଡାରର ୮୦ ପ୍ରତିଶତ ଅଳଙ୍କାର ଗଣତି କରିଥିଲେ। ପ୍ରଥମ ଦିନରେ ମହାପ୍ରଭୁଙ୍କର ଦୈନନ୍ଦିନ ବ୍ୟବହୃତ ସୁବର୍ଣ୍ଣର ଗଣତି ହୋଇଛି। ଅଳଙ୍କାର ଗଣତି ସମୟରେ ୩ଡି ମ୍ୟାପିଂ, ଫଟୋ ଓ ଭିଡିଓ ରେକର୍ଡିଂ କରାଯାଇଛି।
ଶ୍ରୀ ପାଢ଼ୀ କହିଛନ୍ତି ଯେ, ଚଳନ୍ତି ଭଣ୍ଡାର ପରେ ବାହାର ଭଣ୍ଡାର ଗଣତି ହେବ। ଶେଷରେ ଭିତର ରତ୍ନଭଣ୍ଡାର ଗଣତି ହେବ। ରାଜ୍ୟ ସରକାରଙ୍କ ଏସ୍ଓପି ଏବଂ ଶ୍ରୀମନ୍ଦିର ପରିଚାଳନା କମିଟିର ନିର୍ଦ୍ଦେଶ ଅନୁସାରେ ପ୍ରକ୍ରିୟା ଜାରି ରହିଛି। ଆମେ କହିପାରିବା ଯେ, ଭଣ୍ଡାର ମୋକାପ ସେବକ ନିର୍ଦ୍ଦେଶ ଅନୁସାରେ ଗଣତିମଣତି ଆଜି ସରିଛି। ପୂର୍ଣ୍ଣାଙ୍ଗ ଗଣତି ପରେ ତଥ୍ୟ ପ୍ରଦାନ କରାଯିବ। ୧୯୭୮ର ତାଲିକା ପରେ ମଧ୍ୟ ଭଣ୍ଡାର ମେକାପ ପାଖରେ ଥିବା ଗହଣାର ମଧ୍ୟ ତାଲିକା କରାଯାଉଛି।
ସୂଚନାଯୋଗ୍ୟ, ଶୁଦ୍ଧପୁତ ଭାବେ ସ୍ବତନ୍ତ୍ର ଏକକ ପାରମ୍ପରିକ ପରିଧାନ ସହ କେବଳ ଅଧିକୃତ ସଦସ୍ୟମାନେ ରତ୍ନଗଣତି ପ୍ରକ୍ରିୟାରେ ସାମିଲ ହୋଇଛନ୍ତି। ପ୍ରତ୍ୟେକ ସଦସ୍ୟ ଏସ୍ଓପି (ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋସେଜିଓର)ର ପ୍ରତିଟି ବିନ୍ଦୁକୁ ଗୁରୁତ୍ବପୂର୍ବକ ଏହି ପ୍ରକ୍ରିୟାରେ ସାମିଲ ହୋଇଛନ୍ତି। ଅଳଙ୍କାର ଗଣତି ବେଳେ ଯେପରି ଦୈନନ୍ଦିନ ନୀତିକାନ୍ତି ଓ ଭକ୍ତଙ୍କ ଦର୍ଶନରେ ସମସ୍ୟା ନହୁଏ, ଏହାକୁ ଦୃଷ୍ଟିରେ ରଖି ଏସ୍ଓପି ପ୍ରସ୍ତୁତ ହୋଇଛି। ରତ୍ନଭଣ୍ଡାର ରତ୍ନ ଅଳଙ୍କାର ଗଣତି ପରେ ୧୯୭୮ ମସିହାର ତାଲିକା ସହ ମେଳକ କରାଯିବ। ମେଳକ ସହ ଏହାକୁ ଓଜନ କରାଯିବ। ଅଳଙ୍କାରକୁ ଚିହ୍ନଟ କରିବା ପାଇଁ ୨ ଜେମୋଲୋଜିଷ୍ଟ ନିୟୋଜିତ ହେବେ। ଅଳଙ୍କାରର ଡିଜିଟାଲ ଫଟୋଗ୍ରାଫି କରାଯିବ। ଚିହ୍ନଟ, ଗଣତି ଓ ଓଜନ ପରେ ୨-୩ ପରସ୍ତ ଗୁଡ଼ାଇ ସିନ୍ଦୁକରେ ସୁରକ୍ଷିତ ରଖାଯିବ।














