ପରୀକ୍ଷାରେ ପୁଣି ବାଜି ମାରିଲେ ଝିଅ
ଚଳିତବର୍ଷ ମାଟ୍ରିକ ପରୀକ୍ଷାରେ ପୁଣିଥରେ ଝିଅମାନେ ବାଜିମାତ୍ କରିଛନ୍ତି। ଚଳିତଥର ମୋଟ୍ ପାସ୍ ହାର ୯୫.୩୩% ଥିବାବେଳେ ପୁଣିଥରେ ପୁଅମାନଙ୍କୁ ପଛରେ ପକାଇ ଝିଅମାନେ ବାଜିମାତ୍ କରିଛନ୍ତି। ପୁଅମାନଙ୍କ ପାସ୍ ହାର ୯୪.୦୩% ଥିବାବେଳେ ୯୬.୩୭% ଝିଅମାନେ ପରୀକ୍ଷାରେ କୃତକାର୍ଯ୍ୟ ହୋଇଛନ୍ତି। ସମଗ୍ର ରାଜ୍ୟରେ ଗଜପତି ସର୍ବାଧିକ ୯୯.୩୧ ପ୍ରତିଶତ ଛାତ୍ରଛାତ୍ରୀଙ୍କ କୃତକାର୍ଯ୍ୟ ସହ ଶୀର୍ଷରେ ଥିବାବେଳେ କେନ୍ଦୁଝର ଜିଲ୍ଲାରେ ସର୍ବନିମ୍ନ ପାସ୍ ହାର ୯୪.୩୫% ରହିଛି। ରାଜ୍ୟର ୩୩୧୦ଟି ସ୍କୁଲରେ ଶତପ୍ରତିଶତ ଛାତ୍ରଛାତ୍ରୀ କୃତକାର୍ଯ୍ୟ ହୋଇଛନ୍ତି । ଚଳିତବର୍ଷଠାରୁ ଛାତ୍ରଛାତ୍ରୀମାନଙ୍କୁ ଉଭୟ ଓଡ଼ିଆ ଓ ଇଂରାଜୀ ଭାଷାରେ ସେମାନଙ୍କର ସାର୍ଟିଫିକେଟ୍ ମିଳିବ । କଟକସ୍ଥିତ ମାଧ୍ୟମିକ ଶିକ୍ଷା ପରିଷଦ କାର୍ଯ୍ୟାଳୟରେ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଆନୁଷ୍ଠାନିକ ଭାବେ ଏହି ଫଳାଫଳ ପୁସ୍ତିକାକୁ ଉନ୍ମୋଚନ କରିଛନ୍ତି।
ରାଜ୍ୟ ସରକାରଙ୍କ ପକ୍ଷରୁ ଜାରି ସୂଚନା ଅନୁସାରେ, ଜିଲ୍ଲାୱାରି ପ୍ରଦର୍ଶନରେ ଗଜପତି ଜିଲ୍ଲା ସର୍ବାଧିକ ୯୯.୩୧ ପ୍ରତିଶତ ପ୍ରଦର୍ଶନ ସହ ଶୀର୍ଷରେ ରହିଛି । ଜିଲ୍ଲାର ୯୯.୩୧% ଛାତ୍ରଛାତ୍ରୀ ମାଟ୍ରିକ ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବାବେଳେ କେନ୍ଦୁଝର ଜିଲ୍ଲାରେ ଛାତ୍ରଛାତ୍ରୀଙ୍କ ପାସ୍ ହାର ସର୍ବନିମ୍ନ ୯୪.୩୫ ପ୍ରତିଶତ ରେକର୍ଡ କରାଯାଇଛି । ଅନ୍ୟ ପ୍ରମୁଖ ଜିଲ୍ଲାଗୁଡ଼ିକ ମଧ୍ୟରେ କଟକରେ ୯୭.୨୨%, ଜଗତସିଂହପୁରରେ ୯୭.୮୯%, ଯାଜପୁରରେ ୯୪.୬୨%, କେନ୍ଦ୍ରାପଡ଼ାରେ ୯୫.୯୭% ଓ ପୁରୀରେ ୯୬.୮ ପ୍ରତିଶତ ପିଲା ପାସ୍ କରିଛନ୍ତି ।
ସେହିଭଳି ଗଞ୍ଜାମ ଜିଲ୍ଲାରେ ୯୮.୨୫ ପ୍ରତିଶତ, କନ୍ଧମାଳରେ ୯୮.୧୭%, କଳାହାଣ୍ଡିରେ ୯୭.୮୬ %, ନୂଆପଡ଼ାରେ ୯୭.୮୭ ଓ ରାୟଗଡ଼ାରେ ୯୬.୫ ପ୍ରତିଶତ ଛାତ୍ରଛାତ୍ରୀ କୃତକାର୍ଯ୍ୟ ହୋଇଛନ୍ତି । ବାଲେଶ୍ୱରରେ ୯୭.୭୧ %, ମୟୂରଭଞ୍ଜରେ ୯୭.୫୨ ପ୍ରତିଶତ ପିଲା ପାସ୍ କରିଥିବାବେଳେ ଭଦ୍ରକରେ ଏହି ହାର ୯୬.୦୧ ପ୍ରତିଶତ ରହିଛି । ସମ୍ବଲପୁର ଜିଲ୍ଲାରେ ୯୭.୭୯, ଝାରସୁଗୁଡ଼ାରେ ୯୭.୮୯ ଏବଂ ସୁନ୍ଦରଗଡ଼ରେ ୯୭.୪୮ ପ୍ରତିଶତ ପାସ୍ ହାର ରହିଥିବାବେଳେ ବଲାଙ୍ଗୀର ଓ ନୟାଗଡ଼ରେ ସମାନ ଭାବେ ୯୬.୬୮ % ପିଲା ମାଟ୍ରିକ ପରୀକ୍ଷାରେ ସଫଳ ହୋଇଛନ୍ତି । ଯେଉଁ ଛାତ୍ରଛାତ୍ରୀମାନେ ନିଜର ଫଳାଫଳରେ ସନ୍ତୁଷ୍ଟ ନାହାନ୍ତି, ସେମାନେ ମଇ ୧୧ ରୁ ୨୨ ତାରିଖ ମଧ୍ୟରେ ରିଚେକିଂ ପାଇଁ ଅନଲାଇନରେ ଆବେଦନ କରିପାରିବେ। ସେହିଭଳି ଜୁଲାଇ ପ୍ରଥମ ସପ୍ତାହରେ ହେବାକୁ ଥିବା ସପ୍ଲିମେଣ୍ଟାରୀ ପରୀକ୍ଷା ପାଇଁ ଆଗ୍ରହୀ ପରୀକ୍ଷାର୍ଥୀମାନେ ମଇ ୮ରୁ ୧୮ତାରିଖ ମଧ୍ୟରେ ବୋର୍ଡ ୱେବସାଇଟ୍ www.bseodisha.ac.in ଜରିଆରେ ଫର୍ମ ପୂରଣ କରିପାରିବେ ବୋଲି ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।
ଚଳିତ ବର୍ଷ ୫ ଲକ୍ଷ ୩୬ ହଜାର ୩୦୭ ଜଣ ଛାତ୍ରଛାତ୍ରୀ ରେଗୁଲାର୍ ପରୀକ୍ଷା ଦେଇଥିବାବେଳେ ସେଥିରୁ ୫ ଲକ୍ଷ ୧୯ ହଜାର ୨୫୧ ଜଣ କୃତକାର୍ଯ୍ୟ ହୋଇଛନ୍ତି । ଗ୍ରେଡ୍ ଆଧାରରେ ୨୪୫୬ ଜଣ ଛାତ୍ରଛାତ୍ରୀ A1 ଗ୍ରେଡ୍ ହାସଲ କରିଛନ୍ତି । ସେହିପରି ୧୫,୬୮୧ ଜଣ A2, ୪୩୫୬୫ ଜଣ B1,, ୮୬,୧୦୩ ଜଣ B2, ୧ ଲକ୍ଷ ୨୯ ହଜାର ୮୧୩ ଜଣ C ଗ୍ରେଡ୍, ୧ ଲକ୍ଷ ୪୬ ହଜାର ୧୫୨ ଜଣ Dଗ୍ରେଡ୍ ଓ ୯୫,୪୮୧ ଜଣ ଛାତ୍ରଛାତ୍ରୀ E ଗ୍ରେଡ୍ରେ ଉତ୍ତୀର୍ଣ୍ଣ ହୋଇଛନ୍ତି । ମଧ୍ୟମା ପରୀକ୍ଷାରେ ପାସ୍ ହାର ୮୭.୩ % ରହିଥିବାବେଳେ ରାଜ୍ୟ ମୁକ୍ତ ବିଦ୍ୟାଳୟ ପରୀକ୍ଷାରେ ୫୯.୮୨% ଛାତ୍ରଛାତ୍ରୀ ସଫଳ ହୋଇଛନ୍ତି ।














