ଭୁବନେଶ୍ୱର: ଶୁକ୍ରବାର ଦିନ କୋଲକାତା ବିମାନବନ୍ଦରରୁ ଓଡ଼ିଶାର ୨୪୯ ଜଣ ତୀର୍ଥଯାତ୍ରୀ ସାଉଦି ଆରବ ହଜ ପାଇଁ ଯାତ୍ରା କରିଛନ୍ତି। ସେମାନଙ୍କ ଯାତ୍ରାକୁ ସହଜ କରିବା ପାଇଁ ରାଜ୍ୟ ସରକାରଙ୍କ ଅଧିକାରୀ ବିମାନବନ୍ଦରରେ ଉପସ୍ଥିତ ଥିଲେ।
ଚଳିତ ବର୍ଷ ରାଜ୍ୟରୁ ହଜ ଯାତ୍ରା କରୁଥିବା ତୀର୍ଥଯାତ୍ରୀଙ୍କ ଏହା ଦ୍ୱିତୀୟ ଦଳ। ରାଜ୍ୟର ୯୫ ଜଣ ତୀର୍ଥଯାତ୍ରୀଙ୍କ ଏକ ପ୍ରଥମ ଦଳ ଏପ୍ରିଲ ୨୯ ରେ ମୁମ୍ବାଇରୁ ସାଉଦି ଆରବ ଯାତ୍ରା କରିଛନ୍ତି।
ରାଜ୍ୟ ହଜ କମିଟିର କାର୍ଯ୍ୟନିର୍ବାହୀ ଅଧିକାରୀ ଶେଖ ସାଗିର କହିଛନ୍ତି ଚଳିତ ବର୍ଷ ରାଜ୍ୟରୁ ମୋଟ ୫୭୫ ଜଣ ତୀର୍ଥଯାତ୍ରୀ ହଜ ଯାତ୍ରା କରିବେ। ସେମାନଙ୍କ ମଧ୍ୟରେ ୩୨୭ ଜଣ ପୁରୁଷ ଏବଂ ବଳକା ମହିଳା ଅନ୍ତର୍ଭୁକ୍ତ।
ସେ କହିଛନ୍ତି ହଜ କମିଟି ଏହି ବାର୍ଷିକ ଯାତ୍ରା ପୂର୍ବରୁ କଟକ ଏବଂ ଭୁବନେଶ୍ୱର ସମେତ ବିଭିନ୍ନ ସ୍ଥାନରେ ତୀର୍ଥଯାତ୍ରୀଙ୍କ ପାଇଁ ନିୟମିତ ତାଲିମ କାର୍ଯ୍ୟକ୍ରମ ଆୟୋଜନ କରିଥିଲା।
ସେ କହିଛନ୍ତି ଯେ ରାଜ୍ୟରୁ ପ୍ରାୟ ୧୦୫ ଜଣ ତୀର୍ଥଯାତ୍ରୀଙ୍କ ଆଉ ଏକ ଦଳ ମେ ୧୧ ତାରିଖରେ ମୁମ୍ବାଇରୁ ହଜ ପାଇଁ ଯାତ୍ରା କରିବେ। ସେହିପରି ମେ ୮ ତାରିଖରେ ହାଇଦ୍ରାବାଦରୁ ୯୪ ଜଣ ତୀର୍ଥଯାତ୍ରୀଙ୍କ ଆଉ ଏକ ଦଳ ବାହାରିବ।
ଅନ୍ୟ ସ୍ଥାନରୁ ଓଡ଼ିଶା ତୀର୍ଥଯାତ୍ରୀ ହଜଯାତ୍ରା କରୁଥିବା ସଂଖ୍ୟା ମଧ୍ୟରେ ଦିଲ୍ଲୀରୁ ୯, ବାଙ୍ଗାଲୋରରୁ ୧୦ ଏବଂ ନାଗପୁରୁ ୧୩ ଅନ୍ତର୍ଭୁକ୍ତ।
କଟକ ଜିଲ୍ଲାର ସୁଙ୍ଗଡାର ମୌଲାନା ଦାଉଦ ହଜଯାତ୍ରା ପୂର୍ବରୁ କହିଥିଲେ, ” ପ୍ରାର୍ଥନା କରୁଛି, ଆଲହା ସମସ୍ତ ତୀର୍ଥଯାତ୍ରୀଙ୍କ ପବିତ୍ର ଯାତ୍ରାକୁ ସୁଚାର ଓ ସୁରକ୍ଷିତ ଭାବେ ସମ୍ପନ୍ନ କରାନ୍ତୁ”. ସେ କହିଥିଲେ ସମସ୍ତ ଯାତ୍ରୀ ମଧ୍ୟ ସେମାନଙ୍କ ନିକଟତମ ଏବଂ ପ୍ରିୟଜନଙ୍କ ପାଇଁ ପ୍ରାର୍ଥନା କରିବାକୁ କେବେ ଭୁଲିଵେ ନାହିଁ।
ଓଡିଶା ହାଇକୋର୍ଟର ଜଣେ ଓକିଲ ଏବଂ କଟକ ଚାନ୍ଦିନୀଚୌକ ନିକଟସ୍ଥ ମେହେନ୍ଦିପୀର ଅଞ୍ଚଳର ବାସିନ୍ଦା, ଫୟାଜୁର ରେହମାନ କୁହନ୍ତି, “ଜୀବନର ଏକ ସ୍ୱପ୍ନ ପୂରଣ ହେବାକୁ ଯାଉଛି। ମୁଁ ମଧ୍ୟ ସମସ୍ତ ପ୍ରିୟଜନଙ୍କ ପାଇଁ ପ୍ରାର୍ଥନା କରିବାକୁ କେବେ ଭୁଲିବି ନାହିଁ”।














